କେନ୍ଦୁଝର,୨୮/୬- ସରକାରଙ୍କ ତହବିଲରୁ ଲକ୍ଷଲକ୍ଷ ଟଙ୍କାର ବିନିଯୋଗରେ ନିର୍ମାଣ ହୋଇଥିବା ଶୌଚାଳୟ ଆଜି ଭାଙ୍ଗି ଚୁରମାର । ଶୌଚାଳୟଟି ସାଧାରଣ ଜନତାଙ୍କ ସେବାରେ ଲାଗିଲା ନା ତା’ର ରକ୍ଷଣାବେକ୍ଷଣ ପ୍ରତି କେହି ଦୃଷ୍ଟି ଦେଲେ । ରାମ ମନ୍ଦିର ନିକଟରେ ଥିବା ଆରଏମସି ତତ୍ତ୍ୱାବଧାନରେ କୃଷକ ବଜାର କୋଟି କୋଟି ଟଙ୍କା ରେ ନିର୍ମାଣ ହୋଇ ବହୁ ଉତଥାନ ପତନ ମଧ୍ୟରେ ଚାଲୁଥିବାର ଦେଖାଯାଉଛି । କୃଷକ ବଜାରଟି ଜିଲ୍ଲା ପ୍ରଶାସନଙ୍କ ମୁଖ୍ୟ ଦପ୍ତର ନିକଟରେ ଥାଇ ମଧ୍ୟ ପ୍ରଶାସନିକ ଅଧିକାରୀଙ୍କ ନଜର ଆଢୁଆଳରେ ଥିବା ଭଳି ମନେହୁଏ । କାରଣ ପ୍ରଶାସନିକ ଅଧିକାରୀମାନେ କେବେହଲେ ସେ ଅଞ୍ଚଳକୁ ଯିବା ଦେଖିବାକୁ ମିଳେ ନାହିଁ । କୃଷକମାନଙ୍କ ପାଇଁ ନିର୍ମାଣ ହୋଇଥିବା ପିଣ୍ଡି ଗୁଡିକ ଖାଲି ପଡୁଛି କିନ୍ତୁ ପରିବା ବିକାଳି ବସୁଛନ୍ତି ଏଣେତେଣେ । କିଛି ପିଣ୍ଡି ବେପାରୀ ମାନଙ୍କ ଦ୍ୱାରା କବଜାରେ ଅଛି, ସେମାନେ ସେସବୁକୁ ନିଜର ପୈତୃକ ସଂପତ୍ତି ଭଳି ଅସ୍ଥାୟୀ ଗୃହ କରି ବେପାର କରୁଛନ୍ତି । କିଛି ବର୍ଷ ପରେ ଆରଏମସି ସେମାନଙ୍କୁ ସେ ସବୁ ସ୍ଥାନରୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କଲେ ସେମାନେ କୋଟ କଚେରୀ ଯାଇ ପ୍ରଶାସନକୁ ନାଲି ଆଖି ଦେଖାଇବେ ବୋଲି ଚର୍ଚ୍ଚା ହେଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଚାଷିଠାରୁ ଆରମ୍ଭ କରି ସାଧାରଣ ଜନତା ଯେଉଁମାନେ ସେ ମାର୍କେଟକୁ ଯାଇ ପରିବାପତ୍ର କିଣାବିକା କରୁଛନ୍ତି ସେମାନଙ୍କର ବ୍ୟବହାର ପାଇଁ ନିର୍ମାଣ ହୋଇଥିବା ପରିସ୍ରାଗାରର ଅବସ୍ଥା ନ କହିବା ଭଲ, ନିର୍ମାଣ ଦିନଠାରୁ ଆଜିପର୍ଯ୍ୟନ୍ତ ଦୀର୍ଘବର୍ଷ ହେଲାଣି ସେଥିରେ ତାଲା ଲାଗିଛି । ଭିତରେ ଟାଇଲସବୁ ଭାଙ୍ଗିରୁଜି ଗଲାଣି । ସ୍ତ୍ରୀ ପୁରୁଷ ଛୁଆ ପିଲା ଏଣେତେଣେ ପରିସ୍ରା କରୁଛନ୍ତି ।
ବର୍ତ୍ତମାନ ସେ ସ୍ଥାନଟି ସନ୍ଧ୍ୟା ହେଲେ ମାତାଲଙ୍କ ଆଡ୍ଡା ପାଲଟିଛି । ଲକଡାଉନ ପାଇଁ ଅବଶ୍ୟ ମାତାଲ କମ୍ ଆସୁଛନ୍ତି କିନ୍ତୁ ସ୍ଥାନଟି ସନ୍ଧ୍ୟା ସମୟରେ ଅସୁରକ୍ଷିତ ହୋଇପଡିଛି । କମ ସେ କମ୍ ଶୌଚାଳୟଟିକୁ ବ୍ୟବହାର ଉପଯୋଗୀ କରି ଦେବାକୁ ଦାବୀ ହେଉଛି । ପ୍ରଥମତଃ ଆର ଏମସିର ବର୍ତ୍ତମାନ ଅବସ୍ଥାପିତ ସମ୍ପାଦକ ପ୍ରାୟତଃ ମାର୍କେଟକୁ ଆସିନଥାନ୍ତି ଯାହାର ଫଳ ସାଧାରଣ ଜନତା ଠାରୁ ଆରମ୍ଭକରି କୃଷକ.ବ୍ୟବସାୟୀଙ୍କୁ ଭୋଗିବାକୁ ପଡୁଛି । ଆରଏମସିକୁ ପରିଚାଳନା ଉପଜିଲ୍ଲାପାଳ କେନ୍ଦୁଝରଙ୍କ କାର୍ଯ୍ୟାଳୟ କରିଥାଏ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଟି କୃଷକ ବଜାର ପାଖ ରୁ ମାତ୍ର ୪/୫ଶହ ମିଟର ଦୂରତାରେ ରହିଥିବାବେଳେ ଏହାର ବିଭିନ୍ନ ଅବ୍ୟବସ୍ଥା ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।