ଭୁବନେଶ୍ୱର,: ଚଳିତବର୍ଷ ଟୋକିଓ ଅଲିମ୍ପିକ୍ସରେ କିଟ୍ ବିଶ୍ୱବିଦ୍ୟାଳୟର ୩ ଜଣ ଛାତ୍ରଛାତ୍ରୀ ଓ ଜଣେ ଡାକ୍ତରଙ୍କୁ ମିଶାଇ ମୋଟ ୪ଜଣ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି । ସମଗ୍ର ଭାରତରେ କିଟ୍ ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ଏହି ସୌଭାଗ୍ୟର ଅଧିକାରୀ ହୋଇପାରିଛି । ଗୋଟିଏ ବିଶ୍ୱବିଦ୍ୟାଳୟରୁ ୩ଜଣ ଖେଳାଳି ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ରାଜ୍ୟ ତଥା ଦେଶ ପାଇଁ ଗୌରବର ବିଷୟ ବୋଲି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସୂଚନା ଦେଇଛନ୍ତି । ରବିବାର ଭୁବନେଶ୍ୱରରେ ଭର୍ଚୁଆଲ୍ରେ ଆୟୋଜିତ ଜାତୀୟସ୍ତରର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ସାମନ୍ତ କହିଛନ୍ତି, କିଟ୍ ଓ କିସ୍ ସର୍ବଦା ଶିକ୍ଷା ସହ କ୍ରୀଡ଼ାକୁ ପ୍ରାଧାନ୍ୟ ଦେଇ ଆସୁଥିବା ବେଳେ କ୍ରୀଡ଼ା କ୍ଷେତ୍ର ପ୍ରତି କିଟ୍ ଓ କିସ୍ର ଯଥେଷ୍ଟ ଅବଦାନ ରହିଛି । କିସ୍ ମାଧ୍ୟମରେ ହଜାର ହଜାର କ୍ରୀଡ଼ାବିତ୍ଙ୍କୁ ସୁଯୋଗ ଦିଆଯାଇଥିବା ବେଳେ କିଟ୍ ବିଶ୍ୱବିଦ୍ୟାଳୟ ଜରିଆରେ ମଧ୍ୟ ବହୁ ଛାତ୍ରଛାତ୍ରୀ ଜାତୀୟ ଓ ଆନ୍ତର୍ଜାତିକସ୍ତରର ଖେଳାଳି ଭାବେ ସୁଯୋଗ ପାଇଛନ୍ତି । ଜୁଲାଇ ୨୩ରୁ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସରେ ଭାରତ ତଥା ଓଡ଼ିଶାର ଗର୍ବ ଓ ଗୌରବ କିଟ୍ ଛାତ୍ରୀ ଦୂତୀ ଚାନ୍ଦ ଦ୍ୱିତୀୟ ଥର ଅଲିମ୍ପିକ୍ସରେ ୧୦୦ ଓ ୨୦୦ ମିଟର ଦୌଡ଼ ଭଳି ଦୁଇଟି ଇଭେଣ୍ଟରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଛନ୍ତି ।
ଦୂତୀଙ୍କ ବ୍ୟତୀତ କିଟ୍ ବିଶ୍ୱବିଦ୍ୟାଳୟର ଆଉ ଦୁଇ ଛାତ୍ରଛାତ୍ରୀ, ଅସି ଚାଳିକା ସି ଏ ଭବାନୀ ଦେବୀ ଓ ଜାଭେଲିନ୍ ଥ୍ରୋ ଖେଳାଳି ଶିବ୍ପାଲ୍ ସିଂହ ମଧ୍ୟ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଭବାନୀ ଦେବୀ ଏବେ କିଟ୍ରେ ପିଏଚ୍ଡି କରୁଛନ୍ତି । ଭବାନୀ ଏକମାତ୍ର ଓ ପ୍ରଥମ ଭାରତୀୟ ଅସି ଚାଳିକା ଭାବେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଛନ୍ତି । ଗତ ମାର୍ଚ୍ଚ ମାସରେ ହଙ୍ଗେରୀରେ ଅନୁଷ୍ଠିତ ଅସିଚାଳନା ବିଶ୍ୱକପ୍ରେ ଉତ୍ତମ ପ୍ରଦର୍ଶନ ସହ ଟୋକିଓ ଅଲିମ୍ପିକ୍ ପାଇଁ ଯୋଗ୍ୟତା ହାସଲ୍ କରିଛନ୍ତି । ତାଙ୍କର ବିଶ୍ୱ ର୍ୟାଙ୍କ ୪୨ ରହିଥିବା ବେଳେ ୨୦୧୮ରେ ଅଷ୍ଟ୍ରିଆରେ ଅନୁଷ୍ଠିତ ବରିଷ୍ଠ ରାଜ୍ୟଗୋଷ୍ଠୀ ଅସିଚାଳନା ଚାମ୍ପିଅନ୍ସିପ୍ରେ ସ୍ୱର୍ଣ୍ଣପଦକ ହାସଲ କରିବାରେ ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିଛନ୍ତି । କିଟ୍ ବିବିଏ ଛାତ୍ର ଶିବ୍ପାଲ୍ ସିଂହ ମାର୍ଚ୍ଚ ମାସରେ ଦକ୍ଷିଣ ଆଫ୍ରିକାର ଏସିଏନ୍ଡବ୍ଲ୍ୟୁ ମିଟ୍ରେ ୮୫.୪୭ ମିଟର ଜାଭେଲିନ୍ ଥ୍ରୋ କରି ସ୍ୱର୍ଣ୍ଣ ପଦକ ସହ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଭାରତର ଅନ୍ୟତମ କ୍ରୀଡ଼ାବିତ୍ ନିରଜ ଚୋପ୍ରାଙ୍କ ସହ ଶିବ୍ପାଲ୍ ଜଭେଲିନ୍ ଥ୍ରୋ ରେ ଭାରତର ପ୍ରତିନିଧିତ୍ୱ କରିବେ । ସେହିପରି ଭାରତୀୟ ପୁରୁଷ ହକି ଦଳରେ ଡାକ୍ତର ଭାବେ କିମ୍ସ ଡାକ୍ତର ସୁଦୀପ ଶତପଥୀ ମନୋନୀତ ହୋଇ ଜାପାନ ଗସ୍ତ କରୁଛନ୍ତି । ଡା. ଶତପଥୀ ପୂର୍ବରୁ ୨୦୧୬ରେ ରିଓ ଅଲିମ୍ପିକ୍ସରେ ସ୍ପୋର୍ଟସ ମେଡିସିନ୍ ଡାକ୍ତର ଭାବେ ଯୋଗ ଦେଇଥିବା ବେଳେ କ୍ଲିନିକାଲ୍ ଫିଜିଓଲୋଜିଷ୍ଟ ତଥା ସ୍ପୋର୍ଟସ ଆଣ୍ଡ ଏକସରସାଇଜ୍ ଫିଜିଓଲୋଜିଷ୍ଟ ଭାବେ ଯଥେଷ୍ଟ ଅଭିଜ୍ଞତା ରହିଛି ।
ଶ୍ରୀ ସାମନ୍ତଙ୍କ ପୌରୋହିତ୍ୟରେ ରବିବାର ଏହି ଖେଳାଳିଙ୍କ ପାଇଁ ଅ।।ୟୋଜିତ ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ତଥା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ସମ୍ମାନୀୟ ଅତିଥି ଭାବେ କ୍ରୀଡ଼ା ଓ ଯୁବବ୍ୟାପାର ତଥା ପର୍ଯ୍ୟଟନ ବିଭାଗ ମୁଖ୍ୟ ସଚିବ ବିଶାଳ କୁମାର ଦେବ ପ୍ରମୁଖ ଯୋଗଦେଇଥିଲେ । କିଟ୍ କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିବା ବେଳେ ଶ୍ରୀ ସାମନ୍ତ ସ୍ୱାଗତ ଭାଷଣ ଦେଇ କହିଲେ, ୨୦୧୩ରୁ ଦୂତୀଙ୍କ ସମସ୍ତ ସମସ୍ତ ସୁଖ ଓ ଦୁଃଖରେ କିଟ୍ ଏବଂ ସେ ନିଜେ ରହି ଆସିଛନ୍ତି ଓ ଆଗାମୀ ଦିଗରେ ଦୂତୀଙ୍କ ସୁଖ ଓ ଦୁଃଖରେ ରହିବେ ବୋଲି କହିଥିଲେ । ଅଲିମ୍ପିକ୍ରୁ ଫେରିବା ପରେ ଦୂତୀଙ୍କ ପାଇଁ କିଟ୍ ତରଫରୁ ଦୁଇଟି ବଡ଼ ଉପହାର ପ୍ରଦାନ କରାଯିବ ବୋଲି ଏହି ଅବସରରେ ଶ୍ରୀ ସାମନ୍ତ ଘୋଷଣା କରିଥିଲେ । କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟ ଉପକୁଳପତି ପ୍ରଫେସର ସସ୍ମିତା ସାମନ୍ତ ବକ୍ତବ୍ୟ ରଖିଥିବା ବେଳେ କିଟ୍ ଓ କିସ୍ ର ସମସ୍ତ କର୍ମଚାରୀ ଓ ଲକ୍ଷାଧିକ କ୍ରୀଡ଼ାପ୍ରେମୀ ଭର୍ଚୁଆଲ୍ରେ ଯୋଡ଼ି ହୋଇଥିଲେ ।