ମହିମା ଧର୍ମର ସଂସ୍ଥାପକ ମହିମା ଗୋସାଇଁ ଓ ବୌଦ୍ଧ ଜିଲ୍ଲାର ବଲାସିଙ୍ଗା

0 1,102

ବୈଶାଖ ପୁର୍ଣ୍ଣିମାର ପବିତ୍ର ଦିବସରେ ଜନ୍ମ ଗ୍ରହଣ କରିଥିବା ସନ୍ଥ କବି ଭୀମ ଭୋଇଙ୍କ ମହିମା ଧର୍ମ ପ୍ରତି ଅବଦାନ ଯଥେଷ୍ଟ l ତାଙ୍କ ରଚିତ ଅମୁଲ୍ୟ ଜଣାଣ ଭଜନ ଓ ଚଉତିଶା ଆଦି ନଥିଲେ ହୁଏତ ମହିମା ଧର୍ମ ଶତାଧିକ ବର୍ଷ ଧରି ନିଜର ଅସ୍ତିତ୍ୱ ବଜାୟ ରଖିବାରେ ସମର୍ଥ ହେବା ସମ୍ଭବ ହୋଇ ପାରିନଥାନ୍ତା l ଅନ୍ୟାନ୍ୟ ଧର୍ମର ପୁରାଣ ପୁସ୍ତକ ଭଳି ମହିମା ଧର୍ମର ବିରାଟ ବିରାଟ ପୁସ୍ତକ ନଥିଲେ ମଧ୍ୟ କେବଳ ଭୀମ ଭୋଇଙ୍କ ଛୋଟ ଛୋଟ ଭଜନ ଓ ଜଣାଣ ଚଉତିଶା ଏ ଧର୍ମକୁ ଲୋକପ୍ରିୟ କରାଇବାରେ ଯଥେଷ୍ଟ ସହାୟକ ହୋଇ ଆସୁଛି l ଭୀମ ଭୋଇ ତାଙ୍କ ରଚନାରେ ମହିମା ଧର୍ମର ସଂସ୍ଥାପକଙ୍କୁ ପୁର୍ଣ୍ଣବ୍ରମ୍ହ ଅଲେଖ ନିରାକାର ଓ ଅଯୋନି ସମ୍ଭୂତ ବୋଲି ବର୍ଣ୍ଣନା କରିଛନ୍ତି ସେହି ସଂସ୍ଥାପକ ମହିମା ଗୋସାଇଁଙ୍କ ଆଦି ପିଠ ବଲାସିଙ୍ଗା ଉପରେ ଆଜିର ସ୍ବତନ୍ତ୍ର ଆଲେଖ୍ୟ l

ଓଡିଶାରୁ ସୃଷ୍ଟି ହୋଇଥିବା ମହିମା ଧର୍ମ ଆଜି ମଧ୍ୟ ବଞ୍ଚିରହିଛି । ଇଂରେଜମାନଙ୍କ ଶାସନ ସମୟରେ ଭାରତୀୟମାନଙ୍କ ଧାର୍ମିକ ବିଶ୍ୱାସରେ ଦ୍ୱନ୍ଦ ଉପୁଜିଥିବା ବେଳେ ନୀତିପୂର୍ଣ୍ଣ ବୈପ୍ଲବିକ ଗଣଧର୍ମ ମହିମା ଧର୍ମର ସୃଷ୍ଟି ହୋଇଥିଲା . ଏହି ଧର୍ମର ସଂସ୍ଥାପକ ମହିମା ଗୋସାଇଁ ୧୮୨୬ ମସିହାରେ ପୁରୀରେ ଧୂଳିଆ ବାବା ଭାବରେ ପରିଚିତ ହେବା ପୂର୍ବରୁ ବୌଦ୍ଧ ରାଜ୍ୟର ବଲାସିଙ୍ଗା ଗ୍ରାମ ଉପକଣ୍ଠରେ ମହାନଦୀ କୂଳଠାରୁ ଅଳ୍ପଦୂରରେ ମହୁଲ ମୂଳ ନିକଟରେ ବୈଷ୍ମବ ମଠ ସ୍ଥାପନ କରି ରହୁଥିଲେ । ତାଙ୍କର ଅତିପ୍ରିୟ ଭକ୍ତ ଗୋବିନ୍ଦ ଦାସଙ୍କ ସହିତ ପ୍ରଭୁ ନାମ ସଂକୀର୍ତ୍ତନ୍ୟରେ ସଦା ବୁଡି ରହୁଥିଲେ । ପୁରୀ ମୁକ୍ତି ମଣ୍ଡପ ବ୍ରାହ୍ଣଣ ମହାସଭାରେ ଠାକୁରଙ୍କର ନିର୍ଗୁଣବାଦ ଉପରେ ଯୁକ୍ତିକରି ତିରସ୍କୃତ ହେବା ପରେ ଲାଗି ପଡିଥିଲେ ୨୪ବର୍ଷର କଠୋର ସାଧନାରେ । ଢେଙ୍କାନାଳ ରାଜଙ୍କ ପୃଷ୍ଠପୋଷକତାରେ ଯୋରନ୍ଦାଠାରେ ପ୍ରତିଷ୍ଠିତ ହେଲା ମହିମାଗାଦୀ ।

hiring


ମହିମା ଧର୍ମର ସୃଷ୍ଟି ପରେ ସଂସ୍ଥାପକ ମହିମା ଗୋସାଇଁ ତାଙ୍କର ଅନ୍ତରଙ୍ଗ ଶିଯ୍ୟ ଯିଏକି ତାଙ୍କର ଦୀର୍ଘ ବର୍ଷର ଅନୁପସ୍ଥିତିରେ ବଲାସିଙ୍ଗା ବୈଷ୍ଣବ ମଠର ପରିଚାଳନା କରୁଥିଲେ ଶ୍ରୀ ଗୋବିନ୍ଦ ଦାସଙ୍କୁ ପ୍ରଥମେ ଦୀକ୍ଷିତ କରିଥିଲେ ମହିମାଧର୍ମରେ । ଭୀମଭୋଇଙ୍କ ରଚିତ ନିର୍ବେଦ ସାଧନା ଗ୍ରନ୍ଥରେ ମହିମା ଗୋସାଇଁଙ୍କର ପୂର୍ବଧାମ ବଲାସିଙ୍ଗା ଉପରେ ବର୍ଣ୍ଣନା ରହିଛି । ଧର୍ମର ସଂସ୍ଥାପକ ମହିମା ଗୋସାଇଁ ଗୋବିନ୍ଦ ବାବାଙ୍କୁ କହିଛନ୍ତି ବଲାସିଙ୍ଗା ଆମର ସିଦ୍ଧଭୂଇଁ ବୋଲି । ମହିମା ଗୋସାଇଁଙ୍କ ଠାରୁ ମହିମା ଧର୍ମର ଦୀକ୍ଷିତ ହେବା ପରେ ଗୋବିନ୍ଦ ବାବା ଗୁରୁଙ୍କ ଆଦେଶ ଅନୁସାରେ ଦାରୁଠେଙ୍ଗ ମଠରେ ଥିବା ୭ଜଣଙ୍କୁ ମହିମାଧର୍ମରେ ଦୀକ୍ଷିତ କରିଥିଲେ । ମହିମା ଧର୍ମ ଓ ଭୀମଭୋଇଙ୍କ ସଂପର୍କରେ ଅନେକ ଗବେଷଣାତ୍ମକ ପୁସ୍ତକ ପ୍ରକାଶ କରିଥିବା ଭାଗୀରଥି ନେପାକଙ୍କ ତଥ୍ୟାନୁଯାୟୀ ମହିମା ଧର୍ମର ସଂସ୍ଥାପକ ମହିମା ଗୋସାଇଁ ବୌଦ୍ଧ ରାଜ୍ୟର ବାସିନ୍ଦା ଥିଲେ । ବୌଦ୍ଧରେ ଜନ୍ମଗ୍ରହଣ କରିଥିବା ମୁକୁନ୍ଦ ଦାସ ହିଁ ହେଉଛନ୍ତି ଯୋଗଜନ୍ମା ମହିମା ଗୋସାଇଁ । ତାଙ୍କର ଆଦେଶରେ ଶିଷ୍ୟମାନେ ବିଭିନ୍ନ ସ୍ଥାନ ଯାଇ ମହିମାଧର୍ମର ପ୍ରଚାର ପ୍ରସାର କରିଥିଲେ । ମହିମାସ୍ୱାମୀ ନିଜେ ଶିଷ୍ୟ ଗୋବିନ୍ଦଙ୍କୁ ଧରି ପଶ୍ଚିମ ଓଡିଶା ଭ୍ରମଣ କରି ଧର୍ମ ପ୍ରଚାର କରିଥିବା ଭୀମଭୋଇଙ୍କ ରଚନାରୁ ଜଣାପଡେ । ମହିମା ଗୋସାଇଁ ଯୋରନ୍ଦା ଠାରେ ଦେହତ୍ୟାଗ କରିଥିବା ବେଳେ ଗୋବିନ୍ଦ ବାବା ବଲାସିଙ୍ଗାରେ ସ୍ୱର୍ଗବାସ ହୋଇଥିଲେ । ବଲାସିଙ୍ଗା ଗ୍ରାମ ମଧ୍ୟରେ ଗୋବିନ୍ଦ ବାବାଙ୍କ ଜଟକୁ ସମାଧି ଦିଆଯାଇ ତାଙ୍କର ସ୍ମୃତିରେ ଏକ ଜଟ ସମାଧି ମନ୍ଦିର ଭକ୍ତଙ୍କ ଦ୍ୱାରା ନିର୍ମାଣ କରାଯାଇଛି । ମହିମା ଧର୍ମର ନୀତି ପରଂପରା ଅନୁଯାୟୀ ଜଟ ସମାଧିରେ ଦୈନନ୍ଦିନ ପୂଜାଅର୍ଚ୍ଚନା ଓ ଭଜନ କୀର୍ତ୍ତନ କରାଯାଇଥାଏ ।


ଗୋବିନ୍ଦ ବାବା ଜଣେ ସିଦ୍ଧପୁରୁଷ ଥିଲେ । ମହିମା ସାଧୁଙ୍କ ପରି ଭିକ୍ଷା କରି ଚଳୁଥିଲେ । ସେ ମହାନଦୀର ଭରା ଜଳରେ ଖାଲି ପାଦରେ ଚାଲିଆସି ପାରୁଥିଲେ । ତାଙ୍କର ଅଲୌକିକତା ବଳରେ ମଲା ମଣିଷ, ମଲା ଗାଈଙ୍କୁ ମଧ୍ୟ ଜୀବଦାନ ଦେଇପାରୁଥିଲେ । ମହୁଲ ମୂଳର ମହିମା ଗାନ୍ଦୀ ସମସ୍ତ ମହିମା ଧର୍ମାବଲମ୍ବୀମାନଙ୍କ ପାଇଁ ଯେପରି ପୂଣ୍ୟ ଓ ପବିତ୍ର ଠିକ୍ ସେହିପରି ଗୋବିନ୍ଦ ଦାସଙ୍କ ଜଟ ସମାଧୀ ମନ୍ଦିର ମଧ୍ୟ ପୂଣ୍ୟ କ୍ଷେତ୍ର । ବର୍ଷ ସାରା ଅନେକ ମହିମା ସାଧଉ ଗୋବିନ୍ଦ ବାବାଙ୍କ ଜଟସମାଧିକୁ ଦର୍ଶନ କରି ଆସିବା ସହିତ ମହୁଲ ମୂଳ ପରିଦର୍ଶନ କରିଥାନ୍ତି । ମହୁଲ ମୂଳ ନିକଟରେ ଗତ କିଛି ବର୍ଷ ହେଲା ମହିମା ସାଧୁମାନଙ୍କ ପାଇଁ ଆଶ୍ରମ ନିର୍ମାଣ କରାଯାଇ ରହଣୀର ବ୍ୟବସ୍ଥା କରାଯାଇଛି । ସକାଳେ ସଂଧ୍ୟାରେ ଭୀମଭୋଇଙ୍କ ଭଜନ, ଜଣାଣ, ଚଉତିଶାକୁ ଖଞ୍ଜଣୀ ବାଦ୍ୟର ତାଳେ ତାଳେ ଗାଇ ଉଠନ୍ତି ମହିମା ସାଧୁମାନେ । ମହିମା ଗୋସାଇଁ ଓ ଗୋବିନ୍ଦ ବାବାଙ୍କ ପରି ସିଦ୍ଧପୁରୁଷଙ୍କୁ ତା’ର କୋଳରେ ଜନ୍ମ ଦେଇ ବଲାସିଙ୍ଗା ଏକ ପୂଣ୍ୟ ପବିତ୍ର ମାଟି ହୋଇଯାଇଥିବା ବେଳେ ବୌଦ୍ଧ ମଧ୍ୟ ଧନ୍ୟ ହୋଇଯାଇଛି ।

hiranchal ad1
Leave A Reply

Your email address will not be published.

three + 19 =