ବାତିଲ ହେଲା ମାଟ୍ରିକ୍ ପରୀକ୍ଷା

0 939

ଭୁବନେଶ୍ୱର : ରାଜ୍ୟର ୬ଲକ୍ଷ ମାଟ୍ରିକ୍ (ଦଶମ ଶ୍ରେଣୀ) ପରୀକ୍ଷାର୍ଥୀଙ୍କ ଦ୍ୱନ୍ଦ୍ୱର ଅବସାନ ଘଟିଛି । ଗତକାଲି ରାଜ୍ୟ ପ୍ରଥମ ଥର ପାଇଁ କୋମଳ ବୟସର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ପ୍ରତିବାଦ ଜଣାଇବା ପରେ ଆଜି ତୁରନ୍ତ ରାଜ୍ୟ ସରକାର ଏନେଇ ନିଷ୍ପତ୍ତି ନେଇଛନ୍ତି । ଗତ ସପ୍ତାହକ ତଳେ ରାଜ୍ୟ ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାଟ୍ରିକ୍ ଓ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ଆସୁଥିବା ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖିଥିଲେ । ଆସନ୍ତା ଜୁନ୍ ପ୍ରଥମ ସପ୍ତାହରେ କରୋନା ସ୍ଥିତିରେ ସ୍ୱାଭାବିକତା ଆସିଥିଲେ ରାଜ୍ୟ ସରକାର ରାଜ୍ୟର ମର୍ଯ୍ୟାଦା ସମ୍ପନ୍ନ ମାଟ୍ରିକ୍ ପରୀକ୍ଷା ନିୟମାନୁଯାୟୀ କରିଥାନ୍ତେ ଏବଂ ଫଳ ମଧ୍ୟ ପ୍ରକାଶନ ହୋଇଥାନ୍ତା । ତେବେ କେନ୍ଦ୍ରୀୟ ଶିକ୍ଷା ବୋର୍ଡ ଉଭୟ ସିବିଏସଇ ଓ ଆଇସିଏସି ପରୀକ୍ଷା ବାତିଲ କରିବା ପରେ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ବାତିଲ୍ ପାଇଁ ସ୍ୱର ଶୁଣାଯାଇଥିଲା । ଏହାକୁ ଭିତ୍ତି କରି କରୋନାର ତୀବ୍ର ସଂକ୍ରମଣ ପରିପ୍ରେକ୍ଷୀରେ ରାଜ୍ୟ ସରକାର ମାଟ୍ରିକ୍ ପରୀକ୍ଷାକୁ ବାତିଲ୍ କରିଛନ୍ତି । ଏହା ସହିତ ମାଦ୍ରାସା ପରୀକ୍ଷା ମଧ୍ୟ ବାତିଲ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଗତ ୧୫ ଏପ୍ରିଲରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶମତେ କୋଭିଡ୍‌-୧୯ ମହାମାରୀର ଅତ୍ୟଧିକ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମସ୍ତ ଅଂଶୀଦାରମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଚଳିତ ବର୍ଷ ମଇ ୩ ତାରିଖରେ ଆରମ୍ଭ ହେବାକୁ ଥିବା ମାଟ୍ରିକ୍ ଓ ମଇ ୧୮ ତାରିଖରେ ଆରମ୍ଭ ହେବାକୁ ଥିବା ମାଦ୍ରାସା ବୋର୍ଡ ପରୀକ୍ଷାକୁ ବାତିଲ୍ କରାଗଲା । ଏହି ବୋର୍ଡମାନଙ୍କ ଦ୍ୱାରା ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଫଳ ପ୍ରକାଶନ କରାଯିବ । ଏହି ପରୀକ୍ଷା ଫଳରେ ଯେଉଁ ଛାତ୍ରଛାତ୍ରୀମାନେ ଅସମ୍ମତି ପ୍ରକାଶ କରିବେ ସେମାନଙ୍କୁ ପରବର୍ତ୍ତୀ ସମୟରେ କୋଭିଡ୍ ମହାମାରୀ ସଂକ୍ରମଣ ପ୍ରଶମିତ ହେବା ପରେ ବୋର୍ଡମାନଙ୍କ ଦ୍ୱାରା ନିର୍ଦ୍ଧାରିତ ଦିବସରେ ପରୀକ୍ଷା ଦେବାର ସୁଯୋଗ ଦିଆଯିବ ।

hiranchal ad1
Leave A Reply

Your email address will not be published.

sixteen − 4 =