ବାଲିଗୁଡ଼ା: କନ୍ଧମାଳ ପୋଲିସ୍ କୁ ପୁଣି ବଡ଼ ସଫଳତା । ତୁମୁଡ଼ିବନ୍ଧ ଥାନା ସିର୍ଲା ନିକଟ ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ । ଗୁଳିବିନିମୟରେ ଦୁଇଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଅନ୍ୟଜଣେ ପୁରୁଷ ମାଓବାଦୀ ଥିବା ଜଣାପଡ଼ିଛି । ଘଟଣାସ୍ଥଳରୁ ଗୋଟିଏ ଇନସାସ୍ ଓ ଦୁଇଟି ଦେଶି ବନ୍ଧୁକ ସହ ବିଭିନ୍ନ ସାମଗ୍ରୀ ଜବତ କରିଛି ପୋଲିସ୍ । ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ କୁମ୍ବିଂ ଓ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଗତ ୫ ତାରିଖରେ ସିର୍ଲା ପଞ୍ଚାୟତର କେହାଲିଗୁଡ଼ା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଜଣ ମାଓବାଦୀ ନିହତ ହୋଇଥିଲେ ଏନକାଉଁଣ୍ଟରରେ । ମୃତକ ଚାରିଜଣଙ୍କ ମଧ୍ୟରୁ ଦୁଇଜଣ ମହିଳା ମାଓବାଦୀ ଥିବା ବେଳେ ଦୁଇଜଣ ପୁରୁଷ ମାଓବାଦୀ ଥିଲେ। ଘଟଣାର ଦିନକ ପରେ ପୁଣି ଜଣେ ମାଓବାଦୀ ପୋଲିସ ଗୁଳିରେ ପ୍ରାଣ ହରାଇଥିଲେ । ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଥିଲା । ଗତକାଲି ସିର୍ଲା ନିକଟବର୍ତ୍ତୀ ନାକୁଡ଼ିପଡ଼ା,ସଲାଗୁଡ଼ା,ଜୁନାଗଡ଼, ଡିଣ୍ଡେରପାଟା ଅଞ୍ଚଳରେ ସୁରକ୍ଷାକର୍ମୀ କୁମ୍ବିଂ ଅପରେସନ କରୁଥିବା ବେଳେ ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ସୁରକ୍ଷାକର୍ମୀଙ୍କୁ ଦେଖି ମାଓବାଦୀ ପ୍ରଥମେ ଗୁଳି ଚଳାଇବାରୁ ପାଲଟା ଗୁଳିଚାଳନା କରିଥିଲେ ସୁରକ୍ଷାକର୍ମୀ । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ପୁଣି ଦୁଇଜଣ ମାଓବାଦୀ ମୃତ୍ୟୁବରଣ କରିଥିବା ବେଳେ ଘଟଣାସ୍ଥଳରୁ ଅନ୍ୟମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି ।
୨୦ଦିନ ମଧ୍ୟରେ ପୋଲିସ୍ ଗୁଳିରେ ବର୍ତ୍ତମାନ ସୁଦ୍ଧା ୭ଜଣ ମାଓବାଦୀ ମୃତୁ୍ୟବରଣ କରିଛନ୍ତି । କନ୍ଧମାଳ ପୋଲିସ୍ ପାଇଁ ଏହା ଏକ ବଡ଼ ସଫଳତା ।
ଗତ ୩ ତାରିଖରେ କନ୍ଧମାଳ ପୋଲିସ ଜିଲ୍ଲାର ଫିରିଙ୍ଗିଆ ଥାନାର ସୁମରବନ୍ଧ ଅଞ୍ଚଳରେ ଏକ ମାଓ କ୍ୟାମ୍ପ ଧ୍ୱଂସ କରିଥିଲା ପୋଲିସ୍ । ସେଠାରୁ ଏସଓଜି ୧୬ କେଜି ବିସ୍ଫୋରକ ସହ ୨୮ଟି ଡିଟୋନେଟର ଓ ଟିଫିନ୍ ବୋମା (ଆଇଡି) ଜବତ କରିଥିଲା । କ୍ୟାମ୍ପରୁ ସୁରକ୍ଷାକରମୀ ମାଓବାଦୀଙ୍କ ବ୍ୟାଗ, ଜୋତା ଓ ଅନ୍ୟ ସାମଗ୍ରୀ ଜବତ କରିଥିବା ବେଳେ ମାଓବାଦୀମାନେ ଖସି ପଳାଇବାରେ ସକ୍ଷମ ହୋଇଥିଲେ ।