ଡାକ୍ତର ବାଚସ୍ପତି ଦାସଙ୍କୁ ବହିଷ୍କାର ଦାବୀରେ କୋଶଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

0 236

ପାଟଣାଗଡ଼,୧୭/୫- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟ ଏକ ଗୁରୁତ୍ୱପୂର୍ଣ୍ଣ ଡାକ୍ତରଖାନା । ଏହି ଡାକ୍ତରଖାନାରେ ପଡୋଶୀ ବ୍ଲକ ତଥା ପଡୋଶୀ ଜିଲ୍ଲାର ରୋଗୀ ନିର୍ଭର କରନ୍ତି । ଏହି ଡାକ୍ତରଖାନା ବିଗତ ଦିନରେ ଜିଲ୍ଲା ତଥା ରାଜ୍ୟରେ ନାଁ କମେଇଥିଲା ପୂର୍ବରୁ ଏହି ଡାକ୍ତରଖାନା ରେ ଭଲ ଭଲ ଡାକ୍ତର ଥିଲେ ଓ ଉଚିତ ସେବା ଯୋଗାଉଥିଲେ । କିଛି ବର୍ଷ ହେବ ଏହି ଡାକ୍ତରଖାନାରେ ଏଭଳି ରୋଗୀମାନଙ୍କୁ ଶୋଷଣ କରାଯାଉଛି ଯେ ବର୍ତ୍ତମାନ ରୋଗୀ ତଥା ଜନସାଧାରଣ ଏହି ଡାକ୍ତରଖାନାକୁ ଆସିବାପାଇଁ ମୁହଁ ମୋଡୁଛନ୍ତି । ଡାକ୍ତରଖାନାର ଅବ୍ୟବସ୍ଥା କହିଲେ ନସରେ । ଡାକ୍ତରଖାନା ପରିବେଶ ଦୂଷିତ, ଯେତିକି ଡାକ୍ତର ରହିବା କଥା ସେତେ ଡାକ୍ତର ନାହିଁ, ଷ୍ଟାଫ ନାହିଁ, ବେଡ଼ ନାହିଁ, ରୋଗୀ ତଳେ ଶୋଉଛନ୍ତି, ଉତ୍ତମ ଚିକିତ୍ସା ନାହିଁ, ଅକ୍ସିଜେନ ଅଭାବ, ଏକ୍ସ- ରେ ମେସିନ ଅଚଳ, ଅଲ୍ଟ୍ରାସାଉଣ୍ଡ ଅଚଳ, ଏକ୍ସ -ରେ ମେସିନ ଓ ଅଲ୍ଟ୍ରାସାଉଣ୍ଡ ଅପରେଟର ନାହିଁ , ଡାକ୍ତରଖାନା ପରିବେଶ ଦୁର୍ଗନ୍ଧମୟ, ନର୍ସ ମାନଙ୍କର ମନମାନି , ନର୍ସ ମାନେ ଉପରିସ୍ଥ ଅଧିକାରୀଙ୍କ ଇସାରାରେ ଦଲାଲ ସାଜି ରୋଗୀଙ୍କୁ ଶୋଷଣ କରୁଛନ୍ତି , ଝିଅ ଜନ୍ମ ହେଲେ ବାଧ୍ୟତାମୂଳକ ଦୁଇରୁ ତିନି ହଜାର ଓ ପୁଅ ଜନ୍ମ ହେଲେ ପାଞ୍ଚ ହଜାରରୁ ଉର୍ଦ୍ଧ୍ୱ ନେଉଛନ୍ତି ଯଦି ଟଙ୍କା ନଦେଲେ ବଲାଙ୍ଗୀର କିମ୍ବା ବୁର୍ଲା ଡାକ୍ତରଖାନାକୁ ରେଫର କରୁଛନ୍ତି । ଯାହାଫଳରେ ରୋଗୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଡାକ୍ତରଖାନାର ମୁଖ୍ୟ ଖୋଦ୍‌ ଏସଡିଏମଓ ଡାକ୍ତର ବାଚସ୍ପତି ଦାସ ଜଣେ ଗରିବ ରୋଗୀଠାରୁ କୋଡିଏ ହଜାର ଲାଞ୍ଚ ନେଉଥିବା ଭିଡିଓ ଭାଇରଲ ହୋଇଛି । ଏହି ବଳିଷ୍ଠ ପ୍ରମାଣ ପ୍ରସାର ପ୍ରଚାର ହେବାପରେ ଉପରିସ୍ଥ ଅଧିକାରୀ ନାମକୁ ମାତ୍ର ଜନସାଧାରଣଙ୍କୁ ଭୂତେଇଲା ଭଳି କେବଳ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ବଦଳି କରିଛନ୍ତି କିନ୍ତୁ ସେହିପରି ବଲାଙ୍ଗୀର ମୁଖ୍ୟ ଚିକିତ୍ସାଳୟରେ ଜଣେ ଆଟେଣ୍ଡାଣ୍ଟ ମାତ୍ର ଦୁଇଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାକୁ ତୁରନ୍ତ ନିଲମ୍ବନ କରିଛନ୍ତି । ଆଜି ଡାକ୍ତରଖାନା ଅବ୍ୟବସ୍ଥା , ଡାକ୍ତର ବାଚସ୍ପତି ଦାସଙ୍କୁ ବହିଷ୍କାର ଓ ନର୍ସ ମାନଙ୍କ ବୈମାତୃକ ମନୋଭାବ ,ଦୀର୍ଘ ବର୍ଷ ଧରି ଆଡ୍ଡା ଜମେଇଥିବା ନର୍ସ ମାନଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି ତଥା ଡାକ୍ତରଖାନାରେ ଖାଲି ଥିବା ସମସ୍ତ ପଦବୀ ପୂରଣ ,କୋଭିଡ ସମୟରେ ଦିନ ମଜୁରିଆ, ଶ୍ରମିକ, ଗରିବମାନେ ଖାଇବାକୁ ପାଉନାହାନ୍ତି ଏମାନଙ୍କୁ ପାଞ୍ଚ ହଜାର ଲେଖାଏଁ ସହାୟତା ରାଶି ,ପାଟଣାଗଡ଼ରେ କୋଭିଡ ହସ୍ପିଟାଲ ନିର୍ମାଣ ଦାବୀରେ କୋଶଲ ରାଜ୍ୟ ସମନ୍ୱୟ ସମିତି ତରଫରୁ କୋଶଲ ରାଜ୍ୟ ସମନ୍ୱୟ ସମିତି ର ସଂଗଠନ ସମ୍ପାଦକ ଶ୍ରୀ ଗିରିରାଜ ଭୋଇଙ୍କ ନେତୃତ୍ୱରେ କଚେରୀ ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଡାକ୍ତରଙ୍କ ବିରୋଧରେ ବିଭିନ୍ନ ନରବାଜି ସହ ପ୍ଲା କାର୍ଡ ଧରି ପାଟଣାଗଡ ଉପଜିଲ୍ଲାପାଳ ସୋମନାଥ ପଧାନଙ୍କୁ ଚାରି ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ର ଦେବା ସମୟରେ କୋଶଲ ରାଜ୍ୟ ସମନ୍ୱୟ ସମିତିର ରାଜ୍ୟ ସମ୍ପାଦକ ସିପୁନ ଖମାରୀ, ଜିଲ୍ଲା ଯୁବ ସଭାପତି ବନମାଳୀ ନାଏକ, ଜିତୁ ନାଏକ, ଚୈତନ ବାଗ, ଜୟ ମେହେର, ଅମିତ ପଣ୍ଡା ନାରୀ ନେତ୍ରୀ ଅନିତା ଭୋଇ, ଚନ୍ଦ୍ରକାନ୍ତି ସେଟ, ନିରୂପମା ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଯଦି ପ୍ରଶାସନ ଏହି ଦାବିପତ୍ର ପ୍ରତି ଓ ଡାକ୍ତର ବାଚସ୍ପତି ଦାସଙ୍କୁ ବହିଷ୍କାର ପାଇଁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ଭୟାବହ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

eleven − four =