ଫୁଲବାଣୀ,୧୪/୭- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ନୂଆପଦର ପଞ୍ଚାୟତ ଅନ୍ତର୍ଗତ ବରପଡା ଗ୍ରାମର ସୋନାଲି ସାହାଣୀ । କୈାଣସି କାରଣ ବଶତଃ ଦେହର ଜଙ୍ଘ ଅଂଶ ଗଭୀର ଭାବରେ ପୋଡ଼ି ଯାଇଥିଲା । ଚିକିତ୍ସା ପାଇଁ ପରିବାର ଲୋକେ ପ୍ରଥମେ ଫୁଲବାଣୀ ଏବଂ ପରେ ବ୍ରହ୍ମପୁର ଯାଇ ଚିକିତ୍ସା କରାଇଥିଲେ । ଡାକ୍ତର ପ୍ଲାଷ୍ଟିକ ସର୍ଜରୀ ହେବା କଥା କହିଥିଲେ । ସେଥିପାଇଁ ଅର୍ଥ ତାଙ୍କ ପରିବାର ପାଇଁ ବାଧକ ସାଜିଥିଲା । ଶେଷରେ ନିରୁପାୟ ହୋଇ ପୁନଃ ନିଜ ଗ୍ରାମକୁ ଫେରି ଆସିଥିଲେ । କୌଣସି ସୁତ୍ରରୁ ଖବର ପାଇ ତାଙ୍କ ପିତା ଟିମ୍ ହ୍ୟୁମାନିଟି କନ୍ଧମାଳକୁ ନିଜ ଅସହାୟ ଝିଅ ସୋନାଲିଙ୍କ ବିଷୟରେ ଜଣାଇଥିଲେ । ଖବର ପାଇ ଟିମ ସଦସ୍ୟ ତୁରନ୍ତ ଉକ୍ତ ବ୍ୟକ୍ତିଙ୍କ ଘରେ ପହଞ୍ଚିଥିଲେ ଏବଂ ସମସ୍ତ ବିଷୟ ପଚାରି ବୁଝି ସୋନାଲିଙ୍କ ଉପଯୁକ୍ତ ଚିକିତ୍ସା କରାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଟିମ୍ ତରଫରୁ ପ୍ରାଥମିକ ଅବସ୍ଥାରେ କିଛି ଔଷଧ ବ୍ୟବସ୍ଥା କରାଯାଇଥିଲା । ତତ୍ପରେ ଟିମ୍ ତରଫରୁ ସମସ୍ତ ସଦସ୍ୟ ସଦସ୍ୟାଙ୍କ ଦ୍ୱାରା ଆର୍ଥିକ ସହାୟତା ପାଇଁ ଏକ ମିଳିତ ଉଦ୍ୟମ କରାଯାଇଥିଲା । ଜିଲ୍ଲା ପ୍ରଶାସନ ଜିଲ୍ଲାର ଆପଦ କାଳୀନ ଅଫିସର , ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, କନ୍ଧମାଳ ଜିଲ୍ଲା ଜନସାଧାରଣ ତଥା ରାଜ୍ୟ ବାହାରୁ ବହୁତ ଆର୍ଥିକ ସହାୟତା ଆସି ପହଞ୍ଚିଥିଲା । ଟିମ୍ର ପ୍ରଚେଷ୍ଟା ଦ୍ୱାରା କିଛିଦିନ ଭିତରେହିଁ ସୋନାଲି ସାହାଣୀଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଦୁଇ ଦିନ ପରେ ପରବର୍ତ୍ତୀ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ ମେଡିକାଲରେ ଭର୍ତ୍ତି କରାଗଲା । ଏହି ଗୁରୁତ୍ୱପୂର୍ଣ୍ଣ ଚିକିତ୍ସାପାଇଁ ଟିମ୍ର ସମସ୍ତ ସଦସ୍ୟ ସଦସ୍ୟା ଆପ୍ରାଣ ଉଦ୍ୟମ ଜାରି ରଖିଥିଲେ । ତନ୍ମଧ୍ୟରୁ ଭି. ଜଗନ୍ନାଥ ରାଜୁ, ହିମାଂଶୁ ନାୟକ, ପ୍ରଶାନ୍ତ ସେନାପତି, ଆଲୋକ କୁମାର ବିଶୋଇ, ପ୍ରଫୁଲ୍ଲ କୁମାର ପୃଷ୍ଟି, ଅନୁପ ବିକ୍ରମ ପାତ୍ର,ସାଇରାମ ପାତ୍ର,ସସ୍ମିତା ସାହୁ, ସାଇ ପ୍ରସାଦ ପାଢ଼ୀ,ଏହି ସଦସ୍ୟମାନେ ଆରମ୍ଭଦିନ ଠାରୁ ଭୁବନେଶ୍ୱର ନେବା ପର୍ଯ୍ୟନ୍ତ ନିରନ୍ତର ଚେଷ୍ଟା ଜାରି ରଖିଥିଲେ । ଅନ୍ୟ ଜଣେ ଟିମ୍ ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ରମେଶ ଚନ୍ଦ୍ର ମହାନ୍ତି (ବନ ଭାଇ) ଯାହାଙ୍କ ପାଇଁ ଆଜି ଭୁବନେଶ୍ୱରର ଏମ୍ସ ହସ୍ପିଟାଲ ଏକ ବିଶିଷ୍ଟ ଡାକ୍ତରଙ୍କ ସହ ଯୋଗାଯୋଗ କରି କେମିତି ସବୁ ଭଲରେ ଓ ଯଥାଶୀଘ୍ର ଚିକିତ୍ସା ହୋଇ ପ୍ଲାଷ୍ଟିକ ସର୍ଜରୀ ହୋଇପାରିବ ସେନେଇ ପୁରା ଦାୟିତ୍ୱ ସହ ସୋନାଲିଙ୍କ ଚିକିତ୍ସା ସଂପୂର୍ଣ୍ଣ କରାଇଥିଲେ । ଉଭୟଙ୍କ ଇଛା ଆଉ ନିରନ୍ତର ଆନ୍ତରିକ ଉଦ୍ୟମ ଜାରି ରହିଥିଲା କେମିତି ଏ ଉଦ୍ୟମ ସଫଳ ହେବ । ଚିକିତ୍ସା କରିଥିବା ସେହି ତିନି ଡାକ୍ତରଙ୍କ ସହଯୋଗ ପାଇଁ ଟିମ୍ ହ୍ୟୁମାନିଟି କନ୍ଧମାଳର ଏହି ଉଦ୍ୟମ ଆଜି ସଂପୂର୍ଣ୍ଣ ଭାବେ ସଫଳ ହୋଇଛି । ବର୍ତ୍ତମାନ ସୋନାଲି ପୂର୍ବପରି ଚାଲିବାକୁ ସକ୍ଷମ ହେଇପାରିଛନ୍ତି । ଟିମ୍ ହ୍ୟୁମାନିଟି ସଦସ୍ୟ ସଦସ୍ୟା ସେହି ଡାକ୍ତରଙ୍କ ପାଖରେ ଚିରଋଣୀ ବୋଲି ଟିମ୍ର ଆବାହକ ଭି. ଲୋକନାଥ ରାଜୁ ସୂଚନା ଦେଇଛନ୍ତି ।