କୋଭିଡ କଟକଣା ଭିତରେ ଐତିହାସିକ ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ ସଂପନ୍ନ

0 102

ପୁରୀ,୧୨/୭- ମହାପ୍ରଭୁଙ୍କ ଅପାର କରୁଣାରୁ କୋଭିଡ କଟକଣା ଭିତରେ ଐତିହାସିକ ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ ସଂପନ୍ନ ହୋଇଛି । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ଦେଢ଼ ଘଣ୍ଟା ପୂର୍ବରୁ ପହଣ୍ଡି ଓ ତିନିଘଣ୍ଟା ପୂର୍ବରୁ ରଥଟଣା ଆରମ୍ଭ ହୋଇଥିଲା । ତିନିରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଛନ୍ତି । କର୍ଫ୍ୟୁ ଯୋଗୁଁ ବଡ଼ଦାଣ୍ଡ ଥିଲା ଜନଶୂନ୍ୟ । ସେପଟେ ଟେଲିଭିଜନରେ ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି ଓ ରଥଟଣା ଦେଖି ଭାବବିହ୍ୱଳ ହୋଇଉଠୁଥିଲେ ଭକ୍ତ । ଗତବର୍ଷ ପରି ଚଳିତବର୍ଷ ରଥଯାତ୍ରା ସୃଷ୍ଟି କରିଛି ନୂଆ ଇତିହାସ । ଗତକାଲି ସୂର୍ଯ୍ୟାସ୍ତ ପୂର୍ବରୁ ମହାପ୍ରଭୁଙ୍କ ରାତ୍ରପହୁଡ଼ ହୋଇଥିଲା । ଏହି କାରଣରୁ ସଅଳ ନୀତି ହୋଇଥିଲା ।ସକାଳ ୯ଟା ସୁଦ୍ଧା ପହଣ୍ଡି ଶେଷ ହୋଇ ଠିକ ମଧ୍ୟାହ୍ନ ୧୨ଟାରେ ରଥଟଣା ଆରମ୍ଭ ହୋଇଥିଲା । ଭୋର ୪ଟାରେ ମଙ୍ଗଳଆଳତୀ,୫.୫୦ରେ ଗୋପାଳବଲ୍ଲଭ ହୋଇ ୬.୧୦ରେ ରଥପ୍ରତିଷ୍ଠା ହୋଇଥିଲା । ସକାଳ ୭ଟାର ମଙ୍ଗଳାର୍ପଣ ହୋଇ ଚତୁର୍ଦ୍ଧାବିଗ୍ରହଙ୍କ ଧାଡିପହଣ୍ଡି ଆରମ୍ଭ ହୋଇଥିଲା । ସାତପାହାଚରେ ଟାହିଆ ପରିଧାନ କରି ନୀଳକନ୍ଦରରୁ ବାହାରି ଆସିଥିଲେ ମହାପ୍ରଭୁ । ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ କାଳିଆ ସାଆନ୍ତ ଝୁଲିଝୁଲି ହଲିହଲି ରଥାରୂଢ ହୋଇଥିଲେ । ସକାଳ ୯.୫୦ସୁଦ୍ଧା ମହାପ୍ରଭୁଙ୍କ ପହଣ୍ଡି ସରିବା ପରେ ମଦନମୋହନ ଓ ରାମକୃଷ୍ଣ ବିଜେ ହୋଇଥିଲେ । ପରେ ଚତୁର୍ଦ୍ଧାବିଗ୍ରହଙ୍କ ମସ୍ତକରେ ଚିତାଲାଗି ପରେ ଶଙ୍କରାଚାର୍ଯ୍ୟ ନିଜ ୭ ଜଣ ଶିଷ୍ୟଙ୍କ ସହ ଆସି ରଥାରୂଢ ଶ୍ରୀବିଗ୍ରହଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା ପରେ ତିନିଥର ରଥ ପ୍ରଦୀକ୍ଷଣ କରିଥିଲେ । ପ୍ରଥମେ ଗଜପତି ବଡଠାକୁରଙ୍କ ରଥରେ ଛେରାପହଁରା କରିବା ପରେ ଶ୍ରୀଜଗନ୍ନାଥ ଓ ଶେଷରେ ଦେବୀ ସୁଭଦ୍ରାଙ୍କ ରଥରେ ସୁନା ଖଡିକାରେ ଛେରାପହଁରା କରିବା ପରେ ତିନିରଥରେ ଭୋଇ ସେବାୟତ ମାନେ ସାରଥୀଙ୍କୁ ନେଇ ଅଧଷ୍ଠିତ କରାଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ରଥଟଣା ପ୍ରସ୍ତୁତି । ତିନିରଥରୁ ଚାରମାଳ ଫିଟାଯିବା ପରେ ଘୋଡା ସଂଯୋଗ କରାଯାଇଥିଲା । ମଧ୍ୟାହ୍ନ ୧୨ଟାରେ ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡିବା ଆରମ୍ଭ କରିଥିଲା । ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ଜଗତରନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା କରାଯାଇଥିଲା । ସଂଧ୍ୟା ପୂର୍ବରୁ ତିନିରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା । ଶୃଙ୍ଖଳିତ ରଥଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କରାଯାଇଥିଲା ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରାୟ ୬୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ସୁରକ୍ଷା ବ୍ୟବସ୍ଥା ପାଇଁ ନିୟୋଜିତ ହୋଇଥିବା ବେଳେ ସହରର ସମସ୍ତ ପ୍ରବେଶପଥ ସିଲ୍‌ ହେବାସହ ବଡଦାଣ୍ଡକୁ ୪ଟି ଜୋନ୍‌ ଓ ସହରକୁ ୧୨ଟି ଜୋନ୍‌ ରେ ବିଭକ୍ତ କରାଯାଇଥିଲା । ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ ସଂପନ୍ନ ହୋଇଥିବା ଏବଂ ତିନିରଥ ଗୁଣ୍ଡିଚା ମନ୍ଦିରରେ ଠିକ୍‌ ସମୟରେ ପହଞ୍ଚିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସେବାୟତମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଦିନରାତି ପରିଶ୍ରମ କରିଥିବା ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ତଥା ବିଭିନ୍ନ ବିଭାଗର କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

1 + 13 =