ରେଢାଖୋଲ, ୨୦/୭ – ରେଢାଖୋଲ ଏନଏସି ଅନ୍ତର୍ଗତ ଗଣେଶନଗର ନୂଆସାହି-କଇଥସାହି ଓ କୁହି ଅଞ୍ଚଳରେ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକସେନା ରେଢାଖୋଲ ଏନଏସିର ୩ନଂ, ୪ନଂ, ୫ନଂ, ୮ନଂ ୱାର୍ଡକୁ ବଫର ଜୋନ ଭାବରେ ଘୋଷଣା କରିଛନ୍ତି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଅର୍ଥାତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ଆଦେଶ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହି ବଫର ଜୋନ ମଧ୍ୟକୁ ବାହାର ଲୋକଙ୍କ ଯିବାଆସିବା ବା ଯାନବାହାନ ଚଳାଚଳ ବନ୍ଦ ରହିବ । ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିବେ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଆଇନଶୃଙ୍ଖଳା ଦାୟିତ୍ୱ ତହସିଲଦାର ଓ ଥାନା ଆଇଆଇସି ପରିଚାଳନା କରିବେ ଓ ସମସ୍ତ ବିଷୟରେ ରେଢାଖୋଲ ଉପଜିଲ୍ଲାପାଳ ଅନୁଧ୍ୟାନ କରିବେ ବୋଲି କ୍ଷମତା ଦିଆଯାଇଛି । ସେଥିପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ କ ଣ୍ଟ୍ରୋଲ ରୁମ ଖୋଲାଯାଇଛି । ଏସବୁ ସତ୍ତେ୍ୱ ବଫର ଜୋନର ଜନସାଧାରଣ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ପନିପରିବା, ରାସନ ଓ ପାନୀୟଜଳ ପାଉନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ବଫର ଜୋନ ଅଞ୍ଚଳକୁ ସାନିଟାଇଜ କରାଯାଇନଥିବାରୁ ଲୋକେ ସଂକ୍ରମଣର ଆଶଙ୍କା କରି ଭୟଭୀତ ଅବସ୍ଥାରେ ଥିବା ଜଣାପଡିଛି । ଉପଖଣ୍ଡ ପ୍ରଶାସନ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି ।