ସିଲ୍ ହେଲା ଫୁଲବାଣୀ ଏସବିଆଇ ଶାଖା

0 278

ଫୁଲବାଣୀ: ଭାରତୀୟ ଷ୍ଟେଟବ୍ୟାଙ୍କର ଜଣେ ଅଧିକାରୀ କୋରନା ସଂକ୍ରମିତ ଚିହ୍ନଟ ହେବାପରେ ଫୁଲବାଣୀରେ ଥିବା ଆଞ୍ଚଳିକ କାର୍ଯ୍ୟାଳୟ ସମେତ ବଜାର ଶାଖାକୁ ସିଲ୍ କରି ଦିଆଯାଇଛି । ଏହାସହ ଉକ୍ତ କାର୍ଯ୍ୟାଳୟକୁ ସାନିଟାଇଜ୍ ମଧ୍ୟ କରାଯାଇଛି । ବୁଧବାର ଫୁଲବାଣୀ ମୁଖ୍ୟ ଶାଖା ସିଲ୍ କରି ଦିଆଯାଇଛି । ଏହା ସହିତ ଜି.ଉଦୟଗିରି ଶାଖାର ଜଣେ କର୍ମଚାରୀ ସଂକ୍ରମିତ ହୋଇଥିବା ନେଇ ସୂଚନା ମିଳିଛି । ଉକ୍ତ କର୍ମଚାରୀ ଜଣକ ୬ ଦିନ ଧରି ଅସୁସ୍ଥ ରହିଥିଲେ ଓ ଘରେ ରହୁଥିଲେ । ତେବେ ଉକ୍ତ କର୍ମଚାରୀଙ୍କ ଜଣେ ରୁମ୍ ମେଟ୍ ବ୍ୟାଙ୍କକୁ ଯାଉଥିଲେ । ତେଣୁ ଜି.ଉଦୟଗିରି ବ୍ୟାଙ୍କକୁ ମଧ୍ୟ ସିଲ୍ କରି ଦିଆଯାଇଛି ।
ସୂଚନା ଅନୁଯାୟୀ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟର ଜୈନେକ ଅଧିକାରୀ ଗତ ଶୁକ୍ରବାର ଭୁବନେଶ୍ୱର ଯାଇଥିବା ବେଳେ ସେଠାରେ ତାଙ୍କର କରୋନା ଲକ୍ଷଣ ପ୍ରକାଶ ପାଇଥିଲା । ସେଠାରେ ତାଙ୍କର ସ୍ୱାବ୍ ପରୀକ୍ଷା କରାଯାଇଥିବାବେଳେ ତାହା ଆଜି ପଜିଟିଭ୍ ଆସିଥିବା ସୂଚନା ମିଳିଛି । ଏହା ଜଣା ପଡିବା ପରେ ଆଜି ସଙ୍ଗେ ସଙ୍ଗେ ଆଞ୍ଚଳିକ କାର୍ଯ୍ୟାଳୟ ଓ ଏହି କାର୍ଯ୍ୟାଳୟର ତଳ ମହଲାରେ ଥିବା ବଜାର ଶାଖାକୁ ମଧ୍ୟ ସିଲ୍ କରାଯାଇ ସାନିଟାଇଜ୍ କରାଯାଇଥିବା ଜଣାପଡିଛି । ଏଠାରେ ସୂଚନାଯୋଗ୍ୟ ଯେ କରୋନା ମହାମାରୀ ସମୟରେ ସରକାର କୋଭିଡ୍ ଗାଇଡ ଲାଇନ ଜାରି କରିଥିବା ବେଳେ ଅନେକ ସରକାରୀ କର୍ମଚାରୀ ଓ ଅଧିକାରୀ ଏହାକୁ ଉଲଂଘନ କରୁଥିବା ଅଭିଯୋଗ ହୋଇଥିଲା । ଜିଲ୍ଲାପାଳଙ୍କ ବିନା କୌଣସି ଅନୁମତିରେ ଛୁଟି ଦିନମାନଙ୍କରେ ଅଧିକାରୀ ଓ କର୍ମଚାରୀମାନେ ହଟସ୍ପଟ ଜିଲ୍ଲାକୁ ଯାଇ ପୁଣି ଛୁଟି ସରିଲେ ଜିଲ୍ଲାକୁ ଫେରୁଥିଲେ । ଏହା ଦ୍ୱାରା ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ହେବାର ସମ୍ଭାବନା ରହୁଥିଲା । ଏ ନେଇ ଖବରକାଗଜରେ ପ୍ରକାଶ ପାଇବା ପରେ ଜିଲ୍ଲାପାଳ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଚିଠି କରି କୌଣସି ସରକାରୀ କର୍ମଚାରୀ ଓ ଅଧିକାରୀ ଜିଲ୍ଲାପାଳଙ୍କ ବିନା ଅନୁମତିରେ ସଦର ମହକୁମା ଛାଡି ଗଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚିଠି ଉଲ୍ଲେଖ କରିଥିଲେ ।

hiranchal ad1
Leave A Reply

Your email address will not be published.

4 × two =