କୋଭିଡ କଟକଣା ଅନୁସାରେ ବୁର୍ଲାରେ ଦୁଇଦିନିଆ ସଟଡାଉନ

0 111

ସମ୍ବଲପୁର, ୮/୭– ସମ୍ବଲପୁର ଜିଲ୍ଲାରେ କରୋନା ତାହାର କରାଳ ରୂପ ଦେଖାଇବା ଆରମ୍ଭ କରିଦେଇଛି । ସ୍ଥାନୀୟ ଉପନଗରୀ ବୁର୍ଲାରେ ଏହାର ପରାକ୍ରମ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସେଠାରେ ୱାର୍ଡ ୩ରୁ ୭ ପର୍ଯ୍ୟନ୍ତ ଅଞ୍ଚଳରେ ଆସନ୍ତା କାଲି ଓ ପରଦିନ ଦୁଇ ଦିନିଆ ସଟଡାଉନ ଘୋଷଣା କରାଯାଇଛି । ଆଜି ଆଉ ଜଣକର ପଜିଟିଭ ଚିହ୍ନଟ ସହିତ ଜିଲ୍ଲାରେ ମୋଟ ଚିହ୍ନିତ କରୋନା ପଜିଟିଭଙ୍କ ସଂଖ୍ୟା ୧୦୫ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୪୭ଜଣ ସୁସ୍ଥହୋଇ ଘରକୁ ଗଲାପରେ ବାକି ୫୮ଜଣଙ୍କ ର ଚିକିତ୍ସା କୋଭିଡ ହସ୍ପିଟାଲରେ କରାଯାଉଛି । ଏବିଷୟରେ ଆଜି ପ୍ରଶାସନିକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ସେଠାରେ ସ୍ୱାସ୍ଥ୍ୟ ସେବାର ଉପଯୁକ୍ତ ପରିଚାଳନା ପାଇଁ ଉକ୍ତ ଅଞ୍ଚଳରେ ଥାଇ ମଧ୍ୟ ଭିମସାର କ୍ୟାଂପସକୁ ଉକ୍ତ କଟକଣାରୁ ବାଦ ରଖାଯାଇଛି । ଘୋଷିତ କଟକଣା ଅନୁସାରେ ଉକ୍ତ ଅଞ୍ଚଳରେ ସମସ୍ତ ସରକାରୀ ଓ ଘରୋଇ ଅନୁଷ୍ଠାନମାନ ବନ୍ଦ ରଖିବା ସହିତ ସେଠାରେ ସରକାରୀ ଓ ଘରୋଇ ବାହନ ଚଳାଚଳ ମଧ୍ୟ ବନ୍ଦ ରହିବ । କେବଳ ଅତ୍ୟାବଶ୍ୟକୀୟ ସେବା ଯଥା ସ୍ୱାସ୍ଥ୍ୟସେବା, ଆପାତକାଳ ସେବାରେ ନ୍ୟସ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ, ମିଡିଆ, ପେଟ୍ରୋଲ ପମ୍ପ, ଏଟିଏମ, ମାଲପରିବହନ ଓ ଜରୁରୀ ବାହନ ସେବା ପାଇଁ ସେଠାରେ ଅନୁମତି ରହିଛି । ଏହା ବ୍ୟତୀତ ଅନ୍ୟ କୌଣସି ସେବାକାର୍ଯ୍ୟ ପାଇଁ ପ୍ରଶାସନ ଠାରୁ ଅନୁମତି ନେବାକୁ ପଡିବ । ଏହି ପ୍ରଶାସନିକ ଘୋଷଣା ର ବିରୁଦ୍ଧରେ ଗଲେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ତାଗିଦ କରାଯାଇଛି ।

hiranchal ad1
Leave A Reply

Your email address will not be published.

5 × three =