ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧିରୁ କର୍ତ୍ତୃପକ୍ଷ ଆଶ୍ୱସ୍ତ

0 153

ସମ୍ବଲପୁର, ୮/୭- ବିଗତ କିଛି ଦିନ ମଧ୍ୟରେ ଉପର ମୁଣ୍ଡରେ ବର୍ଷାଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ସ୍ଥାନୀୟ ଜନସାଧାରଣଙ୍କ ସହିତ ସେଠାକାର କର୍ତ୍ତୃପକ୍ଷଙ୍କ ମନରେ ଆଶ୍ୱସ୍ତି ଆଣିଛି । ବିଗତ ସପ୍ତାହର ସ୍ଥିତି ଅନୁସାରେ ବର୍ଷାଋତୁ ଓ ତାହା ପୁଣି ଆଷାଢ଼ ମାସ, ଏଭଳି ସମୟରେ ଏଠାକାର ହୀରାକୁଦ ଜଳଭଣ୍ଡାରର ଜଳସ୍ତର କମିବା, ନିଶ୍ଚିତ ଭାବରେ ଚିନ୍ତାର ବିଷୟ ହୋଇଥିଲା । ବିଗତ କିଛି ବର୍ଷ ହେଲା ମହାନଦୀରେ ଜଳ ସଙ୍କଟକୁ ନେଇ ଆମର ପଡୋଶୀ ରାଜ୍ୟ ଛତିଶଗଡ ସହିତ ଘନୀଭୂତ ବିବାଦ ସମଗ୍ର ରାଜ୍ୟ ପାଇଁ ମୁଣ୍ଡବ୍ୟଥାର କାରଣ ଏଥିରେ କୌଣସି ସନ୍ଦେହ ନାହିଁ । ଆଜି ହୀରାକୁଦ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ଉପରମୁଣ୍ଡରୁ ଏହାର ଜଳଭଣ୍ଡାରକୁ ଆସୁଥିବା ଜଳରାଶି ବୃଦ୍ଧି ଯୋଗୁଁ ବିଗତ ସପ୍ତାହେ ମଧ୍ୟରେ ଏହାର ଜଳସ୍ତର ୧.୫ଫୁଟ ଅର୍ଥାତ୍‌ ୧୮ଇଞ୍ଚ ବଢିଯାଇଛି । ଆଜି ସକାଳ ୮ଟା ସମୟରେ ଏହାର ଜଳସ୍ତର ୬୦୭.୫୮ ଫୁଟ ରହିଥିଲା ତଥା ଗତକାଲି ସେହି ସମୟରେ ଏହା ୬୦୬.୯୭ ଫୁଟ ରେକର୍ଡ କରାଯାଇଥିଲା, ଯଦିଓ ପ୍ରାୟ ସପ୍ତାହେ ପୂର୍ବେ ଜୁଲାଇ ୨ ତାରିଖ ଦିନ ଏହା ୬୦୬.୦୮ ଫୁଟ ଥିଲା । ଆଜି ସକାଳେ ଉକ୍ତ ସମୟରେ ଏହି ଜଳଭଣ୍ଡାର ଭିତରକୁ ୪୯,୯୧୨ କ୍ୟୁସେକ ଜଳରାଶି ପ୍ରବେଶ କରୁଥିଲା ଓ ଠିକ ୨୪ ଘଣ୍ଟା ପୂର୍ବେ ଏହା ୩୩,୪୭୬ କ୍ୟୁସେକ ରେକର୍ଡ କରାଯାଇଥିଲା । ଆଜି ଜଳଭଣ୍ଡାରରୁ ନିଷ୍କାସିତ ଜଳରାଶିର ପରିମାଣ ୨୩,୭୬୯କ୍ୟୁସେକ ରହିଛି, କାରଣ ଏଠାରୁ ଜଳବିଦ୍ୟୁତ ଉତ୍ପାଦନ କାର୍ଯ୍ୟ ଅବ୍ୟାହତ ରହିଛି । ଆଜି ସ୍ଥାନୀୟ ବୁର୍ଲା ସ୍ଥିତ ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ରରୁ ପାୱାର ଚେନଲ ମାଧ୍ୟମରେ ୧୯,୦୪୯ କ୍ୟୁସେକ ଓ ଚିପିଲିମାରୁ ୬,୬୦୯ କ୍ୟୁସେକ ଜଳରାଶି ନିଷ୍କାସିତ ହେଉଛି । ଏହି ପ୍ରକାରେ ବୁର୍ଲା ପାୱାର ହାଉସରୁ ୧୧୯.୧୨୫ ମେଗାୱାଟ ଓ ଚିପିଲିମାରୁ ୩୫.୫୪୨ ମେଗାୱାଟ ସହିତ ସର୍ବମୋଟ ୧୫୪.୬୬୭ ମେଗାୱାଟ ଜଳବିଦ୍ୟୁତ ଉତ୍ପାଦନ ଅବ୍ୟାହତ ରହିଛି । ଏଥିରୁ ଏହାମଧ୍ୟ ସ୍ପଷ୍ଟ ଯେ ଜଳସ୍ତରରେ ବୃଦ୍ଧି ସହିତ ଏଠାରୁ ଜଳ ବିଦ୍ୟୁତ ଉତ୍ପାଦନ ମଧ୍ୟ ବଢ଼ୁଛି ।

hiranchal ad1
Leave A Reply

Your email address will not be published.

20 − 7 =