ସମ୍ବଲପୁର, ୨୪/୬- ଆଜି ସ୍ଥାନୀୟ ମୁଦିପଡାସ୍ଥ ଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରା ପାରମ୍ପରିକ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ଦୃଷ୍ଟିରୁ ସୀମିତ ସଂଖ୍ୟକ ଭକ୍ତଙ୍କ ଉପସ୍ଥିତିରେ ସ୍ନାନ ପର୍ବ ଅନୁଷ୍ଠିତ ହୋଇଥିଲା । ଆଜି ସକାଳୁ ଜଗନ୍ନାଥଙ୍କ ଦ୍ୱାରଫିଟା ମଙ୍ଗଳ ଆଳତୀ ଅନ୍ନଭୋଗ ଆଦି ଦୈନନ୍ଦିନ ନୀତି ପରେ ଅପରାହ୍ନ ୩ ଟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନମଣ୍ଡପକୁ ଧାଡି ପହଣ୍ଡିରେ ଅଣାଯାଇଥିଲା । ସେଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ପୂର୍ବରୁ ପ୍ରସ୍ତୁତ ଅଭିମନ୍ତ୍ରିତ ଜଳରେ ସ୍ନାନ କରାଯାଇଥିଲା । ପଣ୍ଡିତ ଜୟଗୋପାଳ ସୁଆର ଓ ପୂଜକ ବ୍ୟୋମକେଶ ପଣ୍ଡା ଏହି ଅବସରରେ ବିଭିନ୍ନ ନୀତି ସମ୍ପାଦନ କରିଥିଲେ । କୋଭିଡ କଟକଣା ପାଇଁ ଜନଗହଳି ବାରଣ କରାଯାଇଥିଲା । ଉପସ୍ଥିତ ଅଳ୍ପସଂଖ୍ୟକ ଭକ୍ତମାନଙ୍କ ମନରେ ବିପୁଳ ଉତ୍ସାହ ଦେଖାଯାଇଥିଲା ।