ଆଜିକାର ପଜିଟିଭ ଚିହ୍ନଟ ୧୦୧ ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୯୨୮

0 178

ସମ୍ବଲପୁର,୬/୮- ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ଘୋଷଣା ଅନୁସାରେ ଆଜି ସମ୍ବଲପୁର ଜିଲ୍ଲାରେ ୧୦୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସମ୍ବଲପୁରରେ କରୋନାର ପ୍ରଥମ ଦିନିକିଆ ଶତକ ଓ ରେକର୍ଡ ବୋଲି କୁହାଯାଉଛି । ଯଦି ଏପରି ସ୍ଥିତି ଲାଗି ରହେ, ତେବେ ଆଗାମୀ ଦିନରେ ଅବସ୍ଥା ଆହୁରି ବିପନ୍ନ ହେବାର ଆଶଙ୍କା କରାଯାଉଛି । ଆଜିକାର ଘୋଷଣା ପରେ ଏପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୨୮ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ଜଣେ ମୃତ ଓ ୩୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୫୮୬ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଏବିଷୟରେ ସବୁଠାରୁ ଚିନ୍ତାର ବିଷୟ ହେଲା ଯେ ବର୍ତ୍ତମାନ ଚିହ୍ନଟ ଅଧିକାଂଶ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଦେଖିବାକୁ ମିଳିଛି । ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ସବୁଠାରୁ ଅଧିକ ସାଙ୍ଘାତିକ ସ୍ଥିତି ସ୍ଥାନୀୟ ଷ୍ଟେସନ ପଡ଼ାରେ ଦେଖାଯାଇଛି । ସେଠାରେ ପ୍ରତିଦିନ ୨୦ରୁ ୩୦ ଜଣ ପଜିଟିଭ ଚିହ୍ନଟ ହେଉଛନ୍ତି । ସମ୍ବଲପୁର ରେଲ ଷ୍ଟେସନ ଓ ରେଲୱେ କଲୋନୀ ମଧ୍ୟରେ ଥିବା କିଛି ଖାଲି ସ୍ଥାନରେ ଏହା ଅବସ୍ଥିତ ଓ ସେଠାକାର ସମସ୍ତ ବାସିନ୍ଦା ଦିନ ମଜୁରିଆ ଓ କାହାରି ଘରେ ପାଇଖାନାଟିଏ ସୁଦ୍ଧା ନାହିଁ । ବର୍ତମାନ ସେଠାରେ ଅଧିକାଂଶ ପଜିଟିଭ ଚିହ୍ନଟ ଯୋଗୁଁ ପ୍ରଶାସନ ପକ୍ଷରୁ ଏହାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ଓ ବ୍ୟାରିକେଡ଼ ଲଗେଇ ଯିବାଆସିବା ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ଦିଆଯାଇଛି । ଯେଉଁମାନେ ଚିହ୍ନଟ ହୋଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସେମାନଙ୍କ ଚିନ୍ତା ତ ସରକାର କରୁଛନ୍ତି କିନ୍ତୁ ବର୍ତମାନ ଉକ୍ତପଡ଼ାରେ ରହୁଥିବା ଲୋକଙ୍କ ଅବସ୍ଥା ସାଙ୍ଘାତିକ । ଉକ୍ତପଡ଼ାର ଅଧିକାଂଶ ଲୋକେ ନିକଟସ୍ଥ କ୍ଷେତରାଜପୁର ଥୋକବଜାରରେ ହେମାଲ ଓ ମଜୁରିଆ ଭାବେ ଜୀବିକା ନିର୍ବାହ କରନ୍ତି । ଆଜିଠାରୁ ଆଗାମୀ ଚାରି ଦିନ ପାଇଁ ସେଠାରେ ସଟଡାଉନ ଘୋଷଣା ସହିତ ଉକ୍ତ ଅଞ୍ଚଳକୁ ବିଶୋଧନ କରିବାର କାର୍ଯ୍ୟକ୍ରମ ରହିଛି, ଏଥିପାଇଁ ସେଠାକାର ସବୁ ଦୋକାନ ବନ୍ଦ ରଖାଯାଇଛି । ଏପରି ସ୍ଥିତିରେ ଏହି ବଜାର ଉପରେ ଆଶ୍ରିତ ଦିନ ମଜୁରିଆଙ୍କ ଅବସ୍ଥା କେହି ଚିନ୍ତା କରୁନାହାନ୍ତି ।

hiranchal ad1
Leave A Reply

Your email address will not be published.

4 × one =