ସମ୍ବଲପୁର,୧୫/୭- ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଓଡ଼ିଶାରେ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ ଆଣି ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ କାର୍ଯ୍ୟାଳୟ ସାମ୍ନାରେ ଧାରଣା ପ୍ରଦର୍ଶନ କରାଯାଇଥିଲା । ଏହି ଆନ୍ଦୋଳନରେ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ଓ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ସହିତ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ଓ ପୂର୍ବତନ କୁଚିଣ୍ଡା ବିଧାୟକ ରବି ନାଏକ ଓ ଆଖପାଖ ଅଞ୍ଚଳର ୫ ଜଣ ବିଧାୟକ ତଥା ଜିଲ୍ଲାସ୍ତରୀୟ ସବୁ ନେତା ସେମାନଙ୍କ ସମର୍ଥକଙ୍କ ସହିତ ସାମିଲ ହୋଇଥିଲେ । ସ୍ଥାନୀୟ ରେଙ୍ଗାଲି ବିଧାୟକ ଓ ପାର୍ଟିର ରାଜ୍ୟ ଉପସଭାପତି ନାଉରି ନାଏକ ଏହି ସଭାର ସଭାପତି ଭାବେ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏନେଇ ସର୍ବପ୍ରଥମେ ସମ୍ବଲପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଉତଥାପିତ କଲାପରେ ଅଞ୍ଚଳର ପ୍ରାୟ ସବୁ ବ୍ଲକସ୍ତରରେ ଏହାକୁ ନେଇ ପ୍ରଦର୍ଶନମାନ ଆୟୋଜିତ ହୋଇଯାଇଛି । ଭାଜପା ପକ୍ଷରୁ ଅଣା ଯାଇଥିବା ଅଭିଯୋଗ ଅନୁସାରେ ରାଜ୍ୟ ସରକାର ରାଜନୈତିକ ବିଦ୍ୱେଷ ରଖି ପଶ୍ଚିମାଞ୍ଚଳର ଅଧିକାଂଶ ହିତାଧିକାରୀ ଙ୍କୁ ଏଥିରେ ବଞ୍ଚିତ କରାଯାଇଛି । ସ୍ଥିତି ଏପରି ହୋଇଛି ଯେ ସମ୍ବଲପୁର ଓ ଆଖପାଖ ୫ଟି ଜିଲ୍ଲାରେ ଜଣକୁ ହେଲେ ଏଥିରେ ସାମିଲ କରାଯାଇନାହିଁ । ଏହାସହିତ ଏହି କେନ୍ଦ୍ରୀୟ ଯୋଜନା ଅନୁସାରେ ବାସହୀନଙ୍କୁ ପକ୍କାଘର ଯୋଗାଇବାରେ ପ୍ରାୟ ଏକ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି ବୋଲି ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି ।