ଧନୁପାଲି ଅଞ୍ଚଳର ଚରମ ଉପେକ୍ଷା ଅଭିଯୋଗ ନେଇ ପ୍ରବୁଦ୍ଧ ନାଗରିକଗଣ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ

0 67

ସମ୍ବଲପୁର,୧୯/୭- ସ୍ଥାନୀୟ ଧନୁପାଲି ନାଗରିକ ସମନ୍ୱୟ ସମିତି ପକ୍ଷରୁ ପ୍ରତିନିଧିସ୍ୱରୂପ କିଛି ପ୍ରବୁଦ୍ଧ ନାଗରିକ ଆଜି ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ସେମାନଙ୍କ ଅଞ୍ଚଳ ପ୍ରତି ଚରମ ଅବହେଳାର ଅଭିଯୋଗନେଇ । ସମିତି ସମନ୍ୱୟ ରାଜେନ୍ଦ୍ର ପଣ୍ଡା ଏବିଷୟରେ ଜିଲ୍ଲାପ୍ରଶାସନକୁ ଜଣାଇ କହିଲେ, ନଗର ନିଗମର ୱାର୍ଡ ନମ୍ବର ୩୫, ୩୬ ଓ ୩୭ ଅନ୍ତର୍ଗତ ଧନୁପାଲି, ଗୋବିନ୍ଦତୋଲା, ଭତରା ଓ ପୁଟିବନ୍ଧ ଅଞ୍ଚଳ ବର୍ତ୍ତମାନ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହି ଚରମ ଅବହେଳାର ଶିକାର ହେଉଛି । ସେଠାରେ ସ୍ୱରେଜ ବୋର୍ଡର ଅଧାପନ୍ତରିଆ କାମ ଫଳରେ ଲୋକଙ୍କ ଯିବାଆସିବାରେ ଅସୁବିଧା ହେଉଛି । ପୁଣି ଜନସ୍ୱାସ୍ଥ୍ୟ ବିଭାଗ ପାଇପ ବିଛାଇବା ନାଁରେ କାମ ଅସମ୍ପୂର୍ଣ୍ଣ କରି ରଖିଛି, ଏଣୁ ରାସ୍ତାଘାଟ କଦର୍ଥ ହେବା ସହିତ ଜଳକଷ୍ଟ ସମସ୍ୟା ଲାଗି ରହିଛି । ନିଗମର ଅବହେଳା ଯୋଗୁଁ ବାଟଘାଟ ଓ ନାଳନର୍ଦ୍ଦମା ଗୁଡ଼ିକ ଅପରିଷ୍କାର ରହୁଛି ଓ ବର୍ଷା ସମୟରେ ରୋଗବ୍ୟାଧି ସଂକ୍ରମଣର ଆଶଙ୍କା ରହୁଛି । ସେ ଅଞ୍ଚଳରେ ବିଜୁଳି ବିଭ୍ରାଟ ଓ ଅଘୋଷିତ ବିଜୁଳି କାଟ ଏକ ନିତିଦିନିଆ ସମସ୍ୟା ହୋଇ ରହିଛି । ଏବିଷୟରେ ନିଗମ ଆୟୁକ୍ତଙ୍କ ସହିତ ତାଙ୍କର ବାରମ୍ବାର ସାକ୍ଷାତକାର ଓ ଆଲୋଚନା କୈାଣସି ଫଳପ୍ରଦ ହୋଇନଥିବାରୁ ସେମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ବର୍ତ୍ତମାନ ପ୍ରଭାରୀ ଜିଲ୍ଲାପାଳ ସୁକାନ୍ତ ତ୍ରିପାଠୀଙ୍କୁ ସେମାନଙ୍କ ସମସ୍ୟା ବିଷୟରେ ଅବଗତ କରାଇ ସେଗୁଡିକର ଶୀଘ୍ର ସମାଧାନ ପାଇଁ ଦାବି କରାଯାଇଛି । ସମୟ ସୀମା ଭିତରେ ଏହାର ଉଚିତ କାର୍ଯ୍ୟାନୁଷ୍ଠାନ ନହେଲେ ସେମାନେ ଆନ୍ଦୋଳନ ପନ୍ଥା ଆପଣେଇବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

5 − 3 =