ସମ୍ବଲପୁର,୧୩/୬- ସମ୍ବଲପୁର ରିଙ୍ଗରୋଡ ପାର୍ଶ୍ୱରେ ନିର୍ମିତ ମୁଖ୍ୟନାଳରୁ କାଦୁଅ, ପଙ୍କ ଓ ଆବର୍ଜନା ଆଦି ବାହାର କରିବାପାଇଁ ସମ୍ବଲପୁର ନଗର ନିଗମ ପକ୍ଷରୁ ଜେସିବି ମେସିନ ଲଗାଇ ଏକ ଅଭିଯାନ ଆରମ୍ଭ କରାଯାଇଛି । ଦୀର୍ଘବର୍ଷ ପୂର୍ବେ ଏହି ବିସ୍ତୀର୍ଣ୍ଣ ନାଳ ନିର୍ମିତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହା ରକ୍ଷଣାବେକ୍ଷଣ ଦିଗରେ ନିଗମ ପକ୍ଷରୁ ଦୃଷ୍ଟି ଦିଆଯାଇନଥିଲା । ଏଣୁ ଏହା ସର୍ବଦା ଦୁର୍ଗନ୍ଧପୂର୍ଣ୍ଣ ରହି ଆସୁଥିଲା । ଏଥର କିନ୍ତୁ ଏ ଦିଗରେ ନିଗମ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଇଛି ଓ ଏହାର ସଫେଇ ଅଭିଯାନ ଆରମ୍ଭ କରାଯାଇଛି ।
ଅନେକ ସ୍ଥାନରେ ଏହି ନାଳ ଗଭୀର ରହିବା ସହିତ ସେଠାରେ କାଦୁଅ ପଙ୍କ ବସି ଏତେ ଟାଣ ହୋଇଯାଇଛି ଯେ ମେସିନ ନଲଗାଇ ଏହାର ସଫେଇ ସମ୍ଭବ ହେଉନାହିଁ । ଏଥିପାଇଁ ଜେସିବି ମେସିନ ସହିତ ପ୍ରଶିକ୍ଷିତ ଲୋକଙ୍କ ସାହାଯ୍ୟ ନିଆଯାଉଛି । ବିଳମ୍ବରେ ହେଲେ ମଧ୍ୟ ଏଦିଗରେ ଦୃଷ୍ଟି ଦିଆଯାଇଥିବାରୁ ଜନସାଧାରଣଙ୍କ ପକ୍ଷରୁ ନଗର ନିଗମ କର୍ତୃପକ୍ଷଙ୍କୁ ପ୍ରଶଂସା କରାଯାଇଛି ।