ସମ୍ବଲପୁର, ୨୪/୭- ଓଡ଼ିଶା ସରକାର ଗତକାଲି ୧୭ଜଣ ମୃତ ସାମ୍ବାଦିକ ଙ୍କ ପାଇଁ ପୂର୍ବ ଘୋଷିତ ଅନୁକମ୍ପା ମୂଳକ ରାଶି ମଞ୍ଜୁର କରିଛନ୍ତି । କରୋନା ଯୋଦ୍ଧା ରୂପେ ଚିହ୍ନିତ ଏମାନେ କର୍ତ୍ତବ୍ୟ ପାଳନ ସମୟରେ କରୋନା ଆକ୍ରାନ୍ତ ହୋଇ ଜୀବନ ହରାଇଛନ୍ତି । ଗତକାଲି ମଞ୍ଜୁର ଏହି ସୂଚୀରେ ସମ୍ବଲପୁରର ବହୁ ପ୍ରତିଭା ସମ୍ପନ୍ନ ଉଦୀୟମାନ ଯୁବ ସାମ୍ବାଦିକ ମାନସ ରଞ୍ଜନ ଜୟପୁରିଆଙ୍କ ନାମ ସାମିଲ ରହିଛି, ଯାହାକି ଏଅଞ୍ଚଳର ସାମ୍ବାଦିକ ଙ୍କୁ ଉତ୍ସାହିତ କରୁଛି । ସେ ଏକାଧାରରେ ସଂଗଠକ, କବି, ଲେଖକ, ଅଭିନେତା ଓ ଗାୟକ ହେବା ସହିତ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ ଉଭୟ ମିଡ଼ିଆରେ କାର୍ଯ୍ୟ କରିବା ସୁଯୋଗ ପାଇଥିଲେ । କରୋନା ଆକ୍ରାନ୍ତ ହେବା ସମୟରେ ସେ ଜୀ-ନ୍ୟୁଜର ଗୁରଗାଁଓ ଠାରେ କାର୍ଯ୍ୟରତ ଥିଲେ ଓ ଆକ୍ରାନ୍ତ ହେଲା କ୍ଷଣି ନିଜ ମାଁ ମାଟି ସମ୍ବଲପୁରକୁ ଫେରିଆସି ଏଠାରେ ଚିକିତ୍ସା ସମୟରେ ମୃତ୍ୟୁବରଣ କରିଥିଲେ । ତାଙ୍କ ପାଇଁ ମଞ୍ଜୁର ଏହି ୧୫ ଲକ୍ଷ ଟଙ୍କା ଏଠାରେ ପହଞ୍ଚିଯାଇଛି ଓ ତାଙ୍କର ବିଧବା ପତ୍ନୀଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।