ସମ୍ବଲପୁର,୧୭/୬- ସମ୍ବଲପୁର ଜିଲ୍ଲା ଓ ଆଖପାଖ ଅଞ୍ଚଳରେ ବଢ଼ି ଚାଲିଥିବା ଗୋହତ୍ୟା ବିଷୟରେ ବଜରଙ୍ଗ ଦଳ ପକ୍ଷରୁ ଗଭୀର ଉଦ୍ବେଗ ପ୍ରକାଶ ପାଇବାସହ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୮ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏଥିପାଇଁ ପୂର୍ବରୁ କଡ଼ା ପୁଲିସ ସୁରକ୍ଷା ବ୍ୟବସ୍ଥା ଦେଖିବାକୁ ମିଳିଥିଲା । ସଂଯୋଜକ ସୁଧୀର ରଞ୍ଜନ ବହିଦାରଙ୍କ ନେତୃତ୍ୱରେ ବଜରଙ୍ଗ ଦଳର କର୍ମକର୍ତ୍ତାଙ୍କ ଗହଣରେ ସେଠାରେ ନାରାବାଜି କରିବା ପରେ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ଦାବିପତ୍ର ଅନୁସାରେ ରାଜ୍ୟରେ ଗୋହତ୍ୟା ବନ୍ଦ କରିବା ପାଇଁ ଏକ ଦୃଢ଼ ଆଇନ ପାରିତ କରିବାକୁ କୁହାଯାଇଛି । ଏହା ସହିତ ଗୋରକ୍ଷକଙ୍କ ବିରୁଦ୍ଧରେ ଲଗା ଯାଇଥିବା ମିଥ୍ୟା ମାମଲା ସବୁ ରଦ୍ଦ କରିବା, ଗୋତସ୍କରୀକୁ ନିୟନ୍ତ୍ରଣରେ ରଖିବା ପାଇଁ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ, ଗୋତସ୍କରଙ୍କ ବିରୁଦ୍ଧରେ ରାଷ୍ଟ୍ରୀୟ ସୁରକ୍ଷା କାନୁନ ଲଗେଇବା, ରାଜ୍ୟର ପ୍ରତି ଜିଲ୍ଲାରେ ଗୋସଂରକ୍ଷଣ ପାଇଁ ଗୋଶାଳା ନିର୍ମାଣ ଓ ଗୋଧନ ଉପରେ ଆଧାରିତ ଶିଳ୍ପପାଇଁ ତାଲିମ ସହିତ ପ୍ରୋତ୍ସାହନ ରାଶିର ବ୍ୟବସ୍ଥା କରାଯିବାପାଇଁ ଦାବି କରାଯାଇଛି ।