ବର୍ଷାଋତୁରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର କମିବା ଚିନ୍ତାର ବିଷୟ

0 83

ସମ୍ବଲପୁର,୨/୭- ବର୍ଷାଋତୁ ଓ ତାହା ପୁଣି ଆଷାଢ଼ ମାସ, ଏଭଳି ସମୟରେ ଏଠାକାର ହୀରାକୁଦ ଜଳଭଣ୍ଡାରର ଜଳସ୍ତର କମିବା, ନିଶ୍ଚିତ ଭାବରେ ଚିନ୍ତାର ବିଷୟ । ମହାନଦୀରେ ଜଳ ସଙ୍କଟକୁ ନେଇ ଆମର ପଡୋଶୀ ରାଜ୍ୟ ଛତିଶଗଡ ସହିତ ବିବାଦ ଘନେଇବା ପରିପ୍ରେକ୍ଷୀରେ ଏହା ଆଗାମୀ ଦିନରେ ମୁଣ୍ଡବ୍ୟଥାର କାରଣ ହେବ । ଏଥିପାଇଁ ଏକମାତ୍ର କାରଣ ହେଉଛି ଉପରମୁଣ୍ଡରୁ ଆସୁଥିବା ଜଳରାଶି କମିଯିବା । ହୀରାକୁଦ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ଉପରମୁଣ୍ଡରୁ ଏହାର ଜଳଭଣ୍ଡାରକୁ ଆସୁଥିବା ଜଳରାଶି ପ୍ରାୟ ୧୧ ହଜାର କ୍ୟୁସେକ ଊଣା ହେବା ଫଳରେ ଏହାର ଜଳସ୍ତର ୦.୦୨ ଫୁଟ ଅର୍ଥାତ୍‌ ୦.୨୪ କମିଯାଇଛି । ଆଜି ସକାଳ ୮ଟା ସମୟରେ ଏହାର ଜଳସ୍ତର ୬୦୬.୦୮ ଫୁଟ ରହିଥିଲା ତଥା ଗତକାଲି ସେହି ସମୟରେ ଏହା ୬୦୬.୧୦ ଫୁଟ ରେକର୍ଡ କରାଯାଇଥିଲା । ଆଜି ସକାଳ ସମୟରେ ଏହି ଜଳଭଣ୍ଡାର ଭିତରକୁ ୧୭,୯୦୮ କ୍ୟୁସେକ ଜଳରାଶି ପ୍ରବେଶ କରୁଥିଲା ଓ ଠିକ ୨୪ ଘଣ୍ଟା ପୂର୍ବରୁ ଏହା ୨୮,୮୯୧ କ୍ୟୁସେକ ରେକର୍ଡ କରାଯାଇଥିଲା । ଏହି ସମୟରେ ଜଳଭଣ୍ଡାରରୁ ନିଷ୍କାସିତ ଜଳରାଶିର ପରିମାଣ ଯଥାବତ ରହିଛି, କାରଣ ଜଳବିଦ୍ୟୁତ ଉତ୍ପାଦନ କାର୍ଯ୍ୟ ଅବ୍ୟାହତ ରହିଛି । ଆଜି ସ୍ଥାନୀୟ ବୁର୍ଲା ସ୍ଥିତ ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ର ରୁ ପାୱର ଚେନେଲ ମାଧ୍ୟମରେ ୧୪,୭୮୧ କ୍ୟୁସେକ ଓ ଚିପିଲିମା ରୁ ୬,୭୧୩ କ୍ୟୁସେକ ଜଳରାଶି ନିଷ୍କାସିତ ହେଉଛି । ଏହି ପ୍ରକାରେ ବୁର୍ଲାଠାରେ ୯୧.୮୭୫ ମେଗାୱାଟ ଓ ଚିପିଲିମା ଠାରେ ୩୫.୭୦୮ ମେଗାୱାଟ ସହିତ ସର୍ବମୋଟ ୧୨୭.୫୮୩ ମେଗାୱାଟ ଜଳବିଦ୍ୟୁତ ଉତ୍ପାଦନ ଅବ୍ୟାହତ ରହିଛି ।

hiranchal ad1
Leave A Reply

Your email address will not be published.

eight + eighteen =