ହୀରାକୁଦରେ ପର୍ଯ୍ୟଟନ ବିକାଶ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦର ବଡ଼ ଘୋଷଣା

0 221

ସମ୍ବଲପୁର,୨୯/୭- ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ୍‌ କୁମାର ତ୍ରିପାଠୀ ଗତକାଲି ସମଲେଶ୍ୱରୀ ମନ୍ଦିର ଓ ହୀରାକୁଦ ପରିଦର୍ଶନ କରିଥିଲେ । ପରିଦର୍ଶନ ପରେ ସନ୍ଧ୍ୟାରେ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପ୍ରେସ ଓ ମିଡ଼ିଆକର୍ମୀଙ୍କୁ ସମ୍ବୋଧିତ କରି କହିଲେ ବର୍ତ୍ତମାନ ରାଜ୍ୟ ସରକାର ଏଠାରେ ଅନେକ ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ବାବଦରେ ଚିନ୍ତା କରୁଛନ୍ତି । ଏଠାକାର ସମ୍ବଲେଶ୍ୱରୀ ମନ୍ଦିର ଓ ହୀରାକୁଦ ଜଳଭଣ୍ଡାର ଠାରେ ଏକ ବଡ ଧରଣର ପର୍ଯ୍ୟଟନ ବିକାଶ କାର୍ଯ୍ୟ ହାତକୁ ନିଆଯାଉଛି । ପୁରୀ ଶ୍ରୀମନ୍ଦିର ପରି ଏଠାରେ ସମଲେଶ୍ୱରୀ ମନ୍ଦିରକୁ ମଧ୍ୟ ବିକଶିତ କରାଯିବ, ଯାହାକି ବହୁ ପରିମାଣରେ ଭକ୍ତ ଓ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବ । ସେହିପରି ହୀରାକୁଦ ଜଳଭଣ୍ଡାର ଠାରେ ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ପ୍ରତିଷ୍ଠିତ ହୋଟେଲ ବ୍ୟବସାୟୀମାନଙ୍କ ସହଯୋଗରେ ଏକ ଭାସମାନ ହୋଟେଲ (କ୍ରୁସ) ପାଇଁ ଯୋଜନା ରହିଛି । ଏହା ସହିତ ସେଠାରେ ଆନୁସଙ୍ଗିକ ସଂରଚନା ନିର୍ମାଣ କରାଯିବ । ଏଥିପାଇଁ ଇଚ୍ଛୁକ ହୋଟେଲ ବ୍ୟବସାୟୀ ମାନଙ୍କ ସହିତ ଆଲୋଚନା ଚୁଡାନ୍ତ ପର୍ଯ୍ୟାୟରେ ରହିଛି ତଥା ବେଶ କିଛି ଦିନରେ ଏହାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଏହି ପରିଯୋଜନା ସହିତ ଡେବ୍ରୀଗଡ ଅଭୟାରଣ୍ୟ ଓ ସେଠାରେ ପ୍ରତିଷ୍ଠିତ ପର୍ଯ୍ୟଟନ କେନ୍ଦ୍ରକୁ ସାମିଲକରି ବିକଶିତ କରାଯିବ । ହୀରାକୁଦ ଜଳଭଣ୍ଡାର ପାଖରେ ଗତବର୍ଷ ଆୟୋଜିତ ଇକୋରିଟ୍ରିଟକୁ ଏଥର ବର୍ଷକପାଇଁ ନୁହେଁ ୫ ବର୍ଷ ପାଇଁ ଠିକା ଦିଆଯିବ । ଏହା ବ୍ୟତୀତ ସମ୍ବଲପୁର ଠାରେ ଏକ ସାଧନ ସମ୍ପନ୍ନ ଆଧୁନିକ ପ୍ରେକ୍ଷାଳୟ ଓ ମ୍ୟୁୁଜିୟମ ନିର୍ମାଣ କରାଯିବ । ଏହି ପ୍ରେକ୍ଷାଳୟ ପାଇଁ ଉଚିତ ସ୍ଥାନ ଖୋଜା ଯାଉଛି ଓ ମ୍ୟୁୁଜିୟମ ପାଇଁ ନଗର ମଧ୍ୟଭାଗରେ ଅବସ୍ଥିତ ଐତିହାସିକ ଭିକ୍ଟୋରିଆ ଟାଉନହଲକୁ ଚୟନ କରାଯାଇଛି । ସମ୍ବଲପୁରରେ ଦୀର୍ଘ ୫ ବର୍ଷ ହେଲା ଲମ୍ବିତ ନିର୍ମାଣାଧୀନ ଫ୍ଲାଇଓଭର ବିଷୟରେ ଏକ ପ୍ରଶ୍ନର ଉତ୍ତରଦେଇ ସେ କହିଲେ ଆଗାମୀ ଏକ ସପ୍ତାହ ମଧ୍ୟରେ ଏହା ସମ୍ପୂର୍ଣ୍ଣ ହେବା ସହିତ ଲୋକାର୍ପିତ ହୋଇଯିବ ।

hiranchal ad1
Leave A Reply

Your email address will not be published.

16 + 2 =