ସମ୍ବଲପୁର, ୨୨/୭- ପଶ୍ଚିମାଞ୍ଚଳର ପ୍ରାଣକେନ୍ଦ୍ର ବୋଲାଉଥିବା ଓ ହୀରାକୁଦ ଜଳଭଣ୍ଡାରର ତଳେ ରହିଥିବା ସମ୍ବଲପୁବାସୀଙ୍କୁ ମଧ୍ୟ ଜଳକଷ୍ଟ ଅତିଷ୍ଠ କରିଦେଇଛି । ମହାନଗର ନିଗମର ଏମିତି କୌଣସି ଅଞ୍ଚଳ ଏଇ ସମସ୍ୟାରୁ ବର୍ତ୍ତିନାହିଁ ଓ ବିଶେଷକରି ସାକ୍ଷୀପଡା ଅଞ୍ଚଳରେ ବର୍ତ୍ତମାନ ପାନୀୟଜଳ ଯୋଗାଣକୁ ନେଇ ଅଞ୍ଚଳବାସୀ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ପାଇପରେ ଠିକ ସମୟରେ ଓ ଯଥେଷ୍ଟ ପରିମାଣରେ ପାଣି ଆସୁନାହିଁ ଓ ପାଣି ଟେଙ୍କର ମଧ୍ୟ ନିୟମିତ ଆସୁନାହିଁ । ଏହି ଅଞ୍ଚଳର ସରଲାକାନି, କୁରେଇଟୋଲା, ନ୍ୟୁ ବେଙ୍କ କଲୋନୀ, ସମଲେଇପଦର, ମହାନ୍ତିପଡା, ଗୌଡ଼ପଡା, ଗୁସେଇଁଟୋଲା, ବାହାଲପଡା, ହନୁମାନ କଲୋନୀ ଅଞ୍ଚଳରେ ଘୋର ପାନୀୟଜଳ ଯୋଗାଣ ସମସ୍ୟା ଓ ଜଳାଭାବ ସମସ୍ୟାକୁ ନେଇ ଜନସ୍ୱାସ୍ଥ୍ୟ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଇଂ. ଭାଗ୍ୟଧର ମହାନ୍ତିଙ୍କୁ ସାକ୍ଷାତ କରି ଯାଇଥିଲେ ଅଞ୍ଚଳବାସୀ । ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷାକରି ଅଞ୍ଚଳର କେତେକ ବରିଷ୍ଠ ନାଗରିକ ସାକ୍ଷାତ ଓ ଆଲୋଚନା ପାଇଁ ଯାଇଥିଲେ ମଧ୍ୟ ନିଜର ଅପାରଗତା, ନିଷ୍କ୍ରିୟତା ଓ ବିଫଳତାକୁ ଲୁଚେଇବା ପାଇଁ କରୋନା ଆଳ ଦେଖାଇ ଯନ୍ତ୍ରୀ ମହୋଦୟ ଆଲୋଚନା ପାଇଁ ରାଜି ହୋଇନଥିଲେ । ବହୁ ଯୁକ୍ତିତର୍କ ପରେ ୪ଜଣଙ୍କ ସହିତ ଆଲୋଚନା କରିଥିଲେ । ଆଲୋଚନା ସମୟରେ ଅଞ୍ଚଳବାସୀ ତାଙ୍କୁ ସମସ୍ତ ବିଷୟ ଅବଗତ କରାଇଛନ୍ତି । ବୁଢାରଜା ପାହାଡ଼ ଉପରେ ରହିଥିବା ଟାଙ୍କିରୁ ଜଗନ୍ନାଥ କଲୋନୀ ଦେଇ ଏକ ପାଇପ ଆସିବାର ଯୋଜନା ବହୁ ବର୍ଷରୁ ପଡିରହିଛି । ରେଳ ଧାରଣା ଅତିକ୍ରମଣ ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ରେଳ ବିଭାଗ ପାଖରେ ୧୯ ଲକ୍ଷ ଟଙ୍କା ଜମା ଦେବାର ଦୁଇବର୍ଷରୁ ଅଧିକ ସମୟ ବିତିଲା ପରେ ବି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଓ ନିଷ୍କ୍ରିୟତା ଯୋଗୁଁ କାମ ଆଗକୁ ବଢିପାରିନାହିଁ । ସାକ୍ଷୀପଡା ମୁଖ୍ୟରାସ୍ତାରେ ପାଇପ ଲାଇନ ବିଛେଇବା କାର୍ଯ୍ୟ ହୋଇଥିଲେ ସୁଦ୍ଧା କେତେକ ସ୍ଥାନରେ ସାମାନ୍ୟ ପାଇପ ଯୋଡିବା କାର୍ଯ୍ୟ ହୋଇପାରୁନାହିଁ । ଅଞ୍ଚଳରେ ବହୁତ ନଳକୂପ ମାନେ ଅଚଳ ହୋଇ ପଡିଛି ତାର ଶୀଘ୍ର ମରାମତି, ଯେଉଁଠି ପାଣି ପାଇପ ଲାଇନ ବିଛା ଯାଇନି ତାକୁ ଶୀଘ୍ର ସମାପ୍ତ କରିବା, ଟେଙ୍କର ଯୋଗେ ଯୋଗେଇ ଦିଆଯାଉଥିବା ପାନୀୟ ଜଳର ପରିମାଣ ବୃଦ୍ଧି ଭଳି ଅନେକ ବିଷୟ ଉପସ୍ଥାପନ କରିଥିଲେ । ଏଠାରେ ଉଲ୍ଲେଖ ଥାଉ ଯେ ବହୁଦିନରୁ ନିୟମିତ ଭାବରେ ବିଭାଗୀୟ ଅଧିକାରୀ, ନିର୍ବାଚିତ ଜନପ୍ରତିନିଧିଙ୍କୁ ଜଳକଷ୍ଟ ବିଷୟରେ ଅଭିଯୋଗ କରାଯାଉଥିଲା । ଗତ ଏପ୍ରିଲ ୪ ତାରିଖରେ ଅଞ୍ଚଳବାସୀ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବଙ୍କୁ ପତ୍ର ଲେଖି ଏ ବିଷୟରେ ଅବଗତ କରାଇଥିଲେ । ଉଚ୍ଚ଼ପଦସ୍ଥ ଅଧିକାରୀଙ୍କ ଠାରୁ ବାରମ୍ବାର ନିର୍ଦ୍ଦେଶ ଆସିଲା ପରେ ମଧ୍ୟ ସ୍ଥାନୀୟ ଅଧିକାରୀ କର୍ଣ୍ଣପାତ କରୁନାହାନ୍ତି । ଶେଷରେ ଅତିଷ୍ଠ ହୋଇ ଅଞ୍ଚଳବାସୀ ଆଜି ଅଧିକ୍ଷଣ ଯନ୍ତ୍ରୀଙ୍କୁ ଘେରିଥିଲେ ଓ ଆଗାମୀ ୧୫ ଦିନ ଭିତରେ ସମସ୍ୟାର ସମାଧାନ କରାନଗଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇ ଆସିଛନ୍ତି । ଆଜିର ଆଲୋଚନାରେ କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳ ଏକତା ମଞ୍ଚର ଆବାହକ ଭବାନୀ ଶଙ୍କର ଭୋଇ, ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି, ସମ୍ବଲପୁର କାର୍ଯ୍ୟକ୍ରମ ସଂଯୋଜକ ରାଜେଶ ସ୍ୱାଇଁ, ସମ୍ବଲପୁର ଶାଖା ସଂଯୋଜକ ରାହୁଲ ଗୁପ୍ତା ଙ୍କ ସହିତ ଅଞ୍ଚଳର ବରିଷ୍ଠ ନାଗରିକ ବୃନ୍ଦ ସନ୍ତୋଷ କୁମାର ସେଠ, ପ୍ରଫୁଲ୍ଲ ନାଏକ, ଶଙ୍କର୍ଷଣ ପଣ୍ଡା, ସମୀର କୁମାର ସେନଗୁପ୍ତା, ମହେନ୍ଦ୍ର ସାହୁ, ଶୁଧାଂଶୁ ମିଶ୍ର, ଶମ୍ଭୁ ଭୂଷଣ ସେନ, ଉଦ୍ଧବ ବଗର୍ତ୍ତି, ସିଦେ୍ଧଶ୍ୱର ପ୍ରଧାନ, ଗୋପାଲ ଗୁପ୍ତା, ପ୍ରମୁଖ ସାମିଲ ଥଲେ ।