ସମ୍ବଲପୁର, ୧୨/୮- କରୋନା କଟକଣା ଯୋଗୁଁ ସମାଜର ସବୁପ୍ରକାର କାମ ଅଟକି ରହିଛି ଓ ଏଥିପାଇଁ ପୂର୍ବଭଳି ରକ୍ତଦାନ ଶିବିରମାନ ଆୟୋଜିତ ମଧ୍ୟ ହୋଇପାରୁନାହିଁ । ଏଥିପାଇଁ ବ୍ଲଡ଼ ବ୍ୟାଙ୍କରେ ଅଧିକାଂଶ ରକ୍ତର ନିଅଣ୍ଟିଆ ସ୍ଥିତି ରହୁଛି, ଯଦିଓ ହସ୍ପିଟାଲରେ ରୋଗୀଙ୍କ ପାଇଁ ରକ୍ତର ଚାହିଦା ବଢିଯାଇଛି । ଏପରି ନିଅଣ୍ଟିଆ ସ୍ଥିତିର ଭରଣା କରିବା ପାଇଁ ପୁଲିସ କର୍ମଚାରୀମାନେ ବହୁସଂଖ୍ୟାରେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ ପାଇଁ ଆଗେଇ ଆସିଛନ୍ତି । ଏହି ଶୃଙ୍ଖଳାରେ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଠେଲକୁଲି ଥାନା ପରିସରରେ ୫ଟି ଓ ମୋ ସରକାର କାର୍ଯ୍ୟକ୍ରମ ଅନୁସାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ଓ ଏଥିରେ ପୁଲିସ କର୍ମଚାରୀଙ୍କ ପକ୍ଷରୁ ୯୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ପୁଲିସ ଅଧିକ୍ଷକ ବାତୁଲା ଗଙ୍ଗାଧର ଏହାର ଉଦଘାଟନ କରି ପୁଲିସ କର୍ମକର୍ତ୍ତାମାନଙ୍କୁ ଅଧିକ ରୁ ଅଧିକ ସଂଖ୍ୟାରେ ଏଥିପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ ।