ସମ୍ବଲପୁର ଜିଲ୍ଲାରେ ୧୧୩ ନୂଆ ପଜିଟିଭ ଚିହ୍ନଟ ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୯୫୦ ହେଲା

0 81

ସମ୍ବଲପୁର :ପ୍ରଶାସନିକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ଜିଲ୍ଲାରେ ନୂଆ ପଜିଟିଭ ରୂପେ ୧୧୩ ଜଣ ଚିହ୍ନଟ ହୋଇଛନ୍ତି ଓ ଏମାନଙ୍କୁ ମିଶାଇ ଏପର୍ଯ୍ୟନ୍ତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୯୫୦ ରେ ପହଞ୍ଚିଛି । ଜିଲ୍ଲା ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ପାଖାପାଖି ପହଞ୍ଚି ଥିବାରୁ ପ୍ରଶାସନ ସହ ଜନସାଧାରଣ ମଧ୍ୟ ଚିନ୍ତାରେ ପଡିଛନ୍ତି । ଏମାନଙ୍କ ମଧ୍ୟରୁ ୩୬୨୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି, ୨୨ ଜଣଙ୍କ ମୃତ୍ୟୁ ହୋଇଛି ତଥା ବାକି ୧୨୯୯ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ବର୍ତ୍ତମାନ ହସ୍ପିଟାଲରେ ଶଯ୍ୟା ଅଭାବରୁ ରାଜ୍ୟ ସରକାର ଯଥା ସମ୍ଭବ ଘରେ ରହି ଚିକିତ୍ସିତ ହେବା ପାଇଁ ପରାମର୍ଶ ଦେଇଛନ୍ତି ଓ ଅନେକ ଲୋକ ତାହାର ପରିପାଳନ ମଧ୍ୟ କରୁଛନ୍ତି । ଏପରି ସ୍ଥଳେ ନୂତନ ସମସ୍ୟାମାନ ଦେଖିବାକୁ ମିଳୁଛି । ଘରେ ରହି ଚିକିତ୍ସା ପରେ ଆରୋଗ୍ୟ ଲାଭକଲେ ତ ଅତି ଭଲ କଥା, କିନ୍ତୁ ଦୁର୍ଭାଗ୍ୟକୁ ମୃତ୍ୟୁ ହୋଇଗଲା ପରେ ସେମାନଙ୍କ ଘରେ ପରିଜନଙ୍କ ଦୁର୍ଦ୍ଦଶା ଅକଥନୀୟ ହେଇଯାଉଛି । ଆଜି ସକାଳେ ନଗର ଉପକଣ୍ଠସ୍ଥ ବୈଦାର ନୂଆପାଲିରେ ଏହିପରି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଲା । ସେ କରୋନା ଆକ୍ରାନ୍ତ ହୋଇ ଘରେ ଚିକିତ୍ସିତ ହେଉଥିଲେ, ଏଣୁ ଘର ସହିତ ଗାଁରେ ମଧ୍ୟ କେହି ତାଙ୍କର ଶବ ଛୁଇଁବା ପାଇଁ ରାଜି ହେଲେ ନାହିଁ । ଉକ୍ତ ଗାଁ ଟି ସମ୍ବଲପୁର ମହାନଗର ନିଗମ ଅଧୀନରେ ଆସୁଥିବାରୁ ସମ୍ବଦ୍ଧ ଅଧିକାରୀଙ୍କୁ ଏବିଷୟରେ ସୂଚନା ଦେଇ ଶବ ଉଠାଇ ଦାହସଂସ୍କାର ବ୍ୟବସ୍ଥା ପାଇଁ କୁହାଯାଇଛି, ହେଲେ ଏପର୍ଯ୍ୟନ୍ତ ସେଠାରେ କେହି ପହଞ୍ଚି ନାହାନ୍ତି । ଏହି ମାମଲାରେ ତ ନିଗମକୁ କୁହାଯାଇ ପାରିଲା, ଯଦି ସୁଦୂର ଗ୍ରାମାଞ୍ଚଳରେ ଏପରି ଘଟଣା ହୁଏ, ତାହେଲେ ସେଥିପାଇଁ କଣ ବ୍ୟବସ୍ଥା ରହିଛି କି? ଏହାର ଉତ୍ତର କହାରି ପାଖରେ ନାହିଁ । ସେପରି ଭିମସାର ପରି ବଡ ହସ୍ପିଟାଲରେ ଗତକାଲି ଅକ୍ସିଜନ ସରିଯିବାରୁ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ସେଠାରେ ନିୟମକୁ କୋହଳକରି ଗୁରୁତର ରୋଗୀ ଙ୍କ ଚିକିତ୍ସା ପ୍ରଥମେ କରିବା ପାଇଁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ଓ ଏହି ନିଷ୍ପତ୍ତି ଅନୁସାରେ କରୋନା ରୋଗୀ ଉପେକ୍ଷିତ ହେଉଛନ୍ତି ବୋଲି ଅଭିଯୋଗ ସାମନାକୁ ଆସିଛି । ଭିମସାର ଆଇସୋଲେଶନ ଚାମ୍ବରରେ ଉକ୍ତ ରୋଗୀଙ୍କ ଚିକିତ୍ସା ଚାଲୁଥିବା ସମୟରେ ତାଙ୍କର ସିଲିଣ୍ଡର ରେ ଅକ୍ସିଜନ ସରିଗଲା ଓ କେହି ଜାଣି ପାରିଲେ ନାହିଁ ଓ ପରିଣାମ ସ୍ୱରୂପ ସେ ମରିଗଲେ । ଏପରି ମାମଲାରେ ରୋଗୀଙ୍କ ପରିଜନ ଉତ୍ତେଜିତ ହେବା ସ୍ୱାଭାବିକ । ଗତ ଗୋଟିଏ ଦିନରେ ଭିମସାରରେ ଦୁଇ ଜଣ ଓ ସମ୍ବଲପୁର କୋଭିଡ ହସ୍ପିଟାଲରେ ୩ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି କିନ୍ତୁ ପ୍ରଶାସନିକ ସୂଚନା ଅନୁସାରେ ସମଗ୍ର ଜିଲ୍ଲାରେ ମାତ୍ର ଗୋଟିଏ ମୃତ୍ୟୁ ହୋଇଛି ବୋଲି କୁହାଯାଇଛି । ଏଥିରେ ଜନସାଧାରଣ ଙ୍କ ତୀବ୍ର ପ୍ରତିକ୍ରିୟା ରହିବା ସ୍ୱାଭାବିକ ।

hiranchal ad1
Leave A Reply

Your email address will not be published.

two × 1 =