ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ କରୋନା ତା’ର କାୟାବିସ୍ତାର କରିଚାଲିଛି । ଆଜି ଜିଲ୍ଲାର ବୀରମହାରାଜପୁର ବ୍ଲକର ପିତାମହୁଲ ପଞ୍ଚାୟତ ର ଟେଭାପଦର ଗ୍ରାମରେ ଗୋଟିଏ ପରିବାରର ୫ଜଣ କରୋନା ସଂକ୍ରମିତ ହବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଟେଭାପଦରଗ୍ରାମର କିଛି ବ୍ୟକ୍ତି ଗତ ୧୦ତାରିଖରେ ବୌଦ୍ଧ ଅଞ୍ଚଳକୁ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ପରେ ଉକ୍ତ ପରିବାର ର ଜଣେ ୫୪ବର୍ଷୀୟ ବ୍ୟକ୍ତି, ତାଙ୍କର ୫୦ବର୍ଷୀୟା ସ୍ତ୍ରୀ ୧୮ବର୍ଷ ର ପୁଅ ୨୧ବର୍ଷୀୟା ବୋହୂ ଓ ୫ବର୍ଷର ନାତି ଆକ୍ରାନ୍ତ ହୋଇଥିଲା ବେଳେ ଉଲୁଣ୍ଡା ବ୍ଲକରର ଇଛାପୁର ଗ୍ରାମର ଜଣେ ୨୭ବର୍ଷ ର ଯୁବକ ଉକ୍ତଗ୍ରାମର ସଂପର୍କୀୟ ଭଉଣୀ ଘରକୁ ଯାଇ ନିଜେ ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡିଛି । ଆକ୍ରାନ୍ତ ସମସ୍ତଙ୍କୁ ଜିଲ୍ଲାର କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ଦିଲ୍ଲୀପ କୁମାର ପଣ୍ଡା ସୂଚନା ଦେଇଛନ୍ତି । ଏ ସମସ୍ତଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇବାରୁ ସମସ୍ତଙ୍କର ରାପିଡ଼ ଆଣ୍ଟିଜେନ ପରୀକ୍ଷା କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ୫୫ ଜଣଙ୍କ କରୋନା ପଜିଟିଭ କେସ୍ ଥିବାବେଳେ ୪୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୂଚନାଯୋଗ୍ୟ ଯେ ଆଜିର ସଂକ୍ରମିତ ଘଟଣାରେ ବୀରମହାରାଜପୁର ବ୍ଲକର ସୁବଳୟା ସରପଞ୍ଚ ଲିଲିପାତ୍ର ଜଟେସିଂହା ସରପଞ୍ଚ ରୁଦ୍ରାଣୀ, କମିରା ସରପଞ୍ଚ ଶ୍ରୀକୃଷ୍ଣ ପ୍ରଧାନ, ସଂଗ୍ରାମପୁର ସରପଞ୍ଚ ରାଜକିଶୋର ନାୟକ, ଟେଭାପଦର ସରପଞ୍ଚ ସରୋଜ ବାରିକ ପ୍ରମୁଖ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ତାଙ୍କ ଅଞ୍ଚଳକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି ।