ମାଳମାଳ ସରକାରୀ ଯୋଜନା : ଅସହାୟ ଭାବେ ଭିକ ମାଗି ଚଳୁଛନ୍ତି ଭିନ୍ନକ୍ଷମ ଦମ୍ପତ୍ତି

0 380

ବୌଦ୍ଧ : ଜନ୍ମରୁ ମୃତ୍ୟୁ ଯାଏଁ ମାଳ ମାଳ ଯୋଜନା ଖଞ୍ଜି ରଖିଥିବା ସରକାର କହୁଥିବା ବେଳେ ତାହା ବାସ୍ତବରେ କେତେ ସୁଫଳ ମିଳୁଛି ତାର ଏକ ନଗ୍ନ ଉଦାହରଣ ଆଠମଲ୍ଲିକ ଉପଖଣ୍ଡରେ ଦେଖିବାକୁ ମିଳେ । ଆଠମଲ୍ଲିକ ଉପଖଣ୍ଡ ସଦର ବ୍ଲକ ଅନ୍ତର୍ଗତ ଟୁସର ପଞ୍ଚାୟତ ବେଲତଇଲା ଗ୍ରାମରେ ରହୁଥିବା ଭିନ୍ନକ୍ଷମ ଦମ୍ପତ୍ତିଙ୍କ ଦୁଃଖ ଶୁଣିଲେ ସରକାରଙ୍କ ସାମାଜିକ ନିରାପତ୍ତା ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ତା’ର ବାସ୍ତବ ଚିତ୍ର ଦେଖିପାରିବେ । ବେଲତଇଲା ଗ୍ରାମର ଭିନ୍ନକ୍ଷମ ବାବୁଲା ନାଏକ ଚାଲିପାରନ୍ତି ନାହିଁ ଓ ତାଙ୍କ ସ୍ତ୍ରୀଙ୍କ ଆଖିକୁ ଦେଖାଯାଏ ନାହିଁ । ଉଭୟେ ଭିନ୍ନକ୍ଷମ ହୋଇଥିବାରୁ ଓ କୌଣସି ଜମିବାଡି ନଥିବାରୁ ଭିକ ମାଗି ଚଳିଥାନ୍ତି । ତାଙ୍କର କୌଣସି ସନ୍ତାନସନ୍ତତି ମଧ୍ୟ ନାହାନ୍ତିା ସେମାନଙ୍କୁ ସାମାଜିକ ନିରାପତ୍ତା ଯୋଜନାରେ ଭିନ୍ନକ୍ଷମ ଭତ୍ତା ଏଯାଏଁ ମିଳିନି । ପଞ୍ଚାୟତସ୍ତରରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଯାଏଁ ଗୁହାରି କରି ମଧ୍ୟ ସେମାନଙ୍କୁ ଭିନ୍ନକ୍ଷମ ଭତ୍ତା ମିଳୁନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କାଘର ଯୋଜନାରେ ପକ୍କାଘର ସେମାନଙ୍କ ପାଇଁ ସାତସପନ । ଝାଟିମାଟି ଚାଳଛପର ଘରେ ବିତୁଛି ଭିନ୍ନକ୍ଷମ ଦମ୍ପତ୍ତିଙ୍କ ଜୀବନ । ଜାତୀୟ କିିମ୍ବା ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନାରେ ଚାଉଳ ମିଳିବା ପାଇଁକାର୍ଡ ମଧ୍ୟ ନାହିଁ ।
ଲୋକଙ୍କ ନିକଟରୁ କିଛି କିଛି ପାଇସା ମାଗି ଭିନ୍ନକ୍ଷମ ଦମ୍ପତ୍ତି ଗତ ୨୦୧୯ ମସିହା ଡିସେମ୍ବର ମାସରେ ଅନୁଗୁଳ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇ ଦରଖାସ୍ତ କରିଥିଲେ । ତାଙ୍କର ଆବେଦନକୁ ଜିଲ୍ଲା ସାମାଜିକ ନିରାପତ୍ତା ଅଧିକାରୀଙ୍କ ନିକଟକୁ ଜିଲ୍ଲାପାଳ ପ୍ରେରଣ କରିଥିଲେ ମଧ୍ୟ ଆଜିଯାଏଁ ତାହା ସରକାରୀ ବାବୁଙ୍କ ନାଲିଫିତା ତଳେ ପଡିରହିଛି ।
ସ୍ଥାନୀୟ ସରପଞ୍ଚ, ବିଡିଓ, ଆଠମଲ୍ଲିକ ଉପ ଜିଲ୍ଲାପାଳ ତଥା ସର୍ବୋପରି ଅନୁଗୁଳ ଜିଲ୍ଲାପାଳ ଭିନ୍ନକ୍ଷମ ଦମ୍ପତ୍ତିଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

eighteen + ten =