ସମ୍ବଲପୁର: ଗତକାଲି ସନ୍ଧ୍ୟାରେ ଏକ ଟ୍ରକ ଦୁର୍ଘଟଣା ଘଟାଇବା ପରେ ହଠାତ୍ ଆସି ସ୍ଥାନୀୟ ଡିଆଇଜି ଅଫିସର ସାମନା ଠିଆ ହୋଇଥିଲା । ଏହାର ନମ୍ବରପ୍ଲେଟ, ଏମ୍ଏଚ୍ ୧୫ ଜିଭି ୫୨୫୫, ଯାହାକି ବର୍ତ୍ତମାନ କରୋନା ହଟସ୍ପଟ ରୂପେ ଚର୍ଚ୍ଚିତ ମହାରାଷ୍ଟ୍ରର ହୋଇଥିବାରୁ ସ୍ଥାନୀୟ ଜନସାଧାରଣ ଆତଙ୍କିତ ହୋଇ ସଂଗେ ସଂଗେ ପୁଲିସକୁ ଖବର କରିଥିଲେ । ପୁଲିସ୍ ସେଠାରେ ପହଞ୍ଚି ଟ୍ରକ ଚାଳକ ସଂଜୟ ଧାରିୱାଲକୁ ନିଜ କବଜାରେ ନେଇ ପଚରାଉଚୁରା କରୁଛି । ଘଟଣା ବିଷୟରେ ବୁଝିବାରୁ ଜଣାପଡ଼ିଲା ଯେ, ଏହି ଟ୍ରକଟି ଗତକାଲି ଝାରସୁଗୁଡ଼ା ଠାରେ ମାଲ୍ ଓହ୍ଲାଇଲା ପରେ ନିଜ ଗନ୍ତବ୍ୟ ନାଗପୁର ଅଭିମୁଖେ ଫେରୁଥିଲା । ବାଟରେ ସ୍ଥାନୀୟ ପରଧିଆପାଲି ପାଖ ବିଜୁ ହାଇୱେରେ ଏକ ତେଲ ଟ୍ୟାଙ୍କର ପଛପଟେ ବାଡ଼େଇ ଦେଲା ପରେ ଟ୍ରକ ଚାଳକ ପ୍ରାଣ ଭୟରେ ସେଠାରୁ ପଳାଇ ଆସିଲା । ଲୁଚିବା ପାଇଁ ସେ ଅଇଁଠାପାଲି ଛକରୁ ରାଜପଥ ଛାଡ଼ି ନଗର ଭିତରକୁ ପ୍ରବେଶ କରିଥିଲା ଓ ଶେଷରେ ଡିଆଇଜି ଅଫିସ୍ ପାଖରେ ନିର୍ମାଣାଧୀନ ଫ୍ଲାଇଓଭର ପାଇର୍ ରାସ୍ତା ବନ୍ଦ ଯୋଗୁଁ ଅଟକିଗଲା । ଦୁର୍ଘଟଣା ପରେ ଏହି ଟ୍ରକଟି ଅଇଁଠାପାଲି ଥାନା, ଅଇଁଠାପାଲି ଛକ, ଆଦର୍ଶ ନଗର ଛକ, ବୁଢ଼ାରାଜ, ଓଭରବ୍ରିଜ୍ ଓ କଲେଜ୍ ଛକ ପରି ଅନେକ ମହତ୍ୱପୂର୍ଣ୍ଣ ସ୍ଥାନ ହୋଇ ଶେଷରେ ବାଟବନ୍ଦ ଯୋଗୁଁ ସେଠାରେ ଅଟକିବା ପର୍ଯ୍ୟନ୍ତ କୌଣସିଠାରେ ହେଲେ ପୁଲିସର ଦୃଷ୍ଟିରେ ପଡ଼ିପାରିଲା ନାହିଁ । ହେଲମେଟ ଓ ମାସ୍କ ପିନ୍ଧି ନଥିବା ଲୋକଙ୍କ ଉପରେ ନିଜର ଶକ୍ତି ପ୍ରଦର୍ଶନ କରୁଥିବା ପୁଲିସ୍ର ସତର୍କତା ଓ ସକ୍ରିୟତା ଉପରେ ସ୍ଥାନୀୟ ଲୋକେ ବର୍ତ୍ତମାନ ପ୍ରଶ୍ନ ଉଠାଉଛନ୍ତି ।