ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପାହାଡ଼ ପର୍ବତ ଘେରା ଅଂଚଳରେ ଅବସ୍ଥିତ । ଏଠାକାର ଜୀବନଜୀବିକା କୃଷି ଉପରେ ନିର୍ଭର । କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କ ନିମନ୍ତେ ବିଭିନ୍ନ ଯୋଜନା କରାଯାଇ ଥିଲେ ମଧ୍ୟ ପ୍ରକୃତ ଚାଷୀ ସରକାରଙ୍କ ଯୋଜନାରୁ ବଞ୍ଚିତ ହେଉଛନ୍ତି । ବର୍ତ୍ତମାନ ସରକାର ସ୍ୱଚ୍ଛତା ଓ ଦୁର୍ନୀତିକୁ ହଟାଇବା ସକାଶେ ପ୍ରୟାସ ରହିଥିବା ବେଳେ ଏହାକୁ ପ୍ରତିରୋଧ କରିବା ସକାଶେ ସବୁକ୍ଷେତ୍ରରେ ଅନଲାଇନ ମାଧ୍ୟମରେ ଚାଷୀଙ୍କୁ ପଞ୍ଜିକୃତ କରାଯାଇ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରାଗଲେ ମଧ୍ୟ ବର୍ତ୍ତମାନ ଚାଷୀ ସାର ଖରିଫଋତୁ ପାଇଁ ସାରର କୃତ୍ରିମ ଅଭାବ ସାଙ୍ଗକୁ ସାରର କଳା ବଜାରୀ ଲାଗିରହିଥିବା ବେଳେ ଚାଷୀଙ୍କ ଅଭିଯୋଗ ସତ୍ତେ୍ୱ୍ୱ କୃଷି ବିଭାଗ କାର୍ଯ୍ୟାନୁଷ୍ଠାନ ନେଇ ପାରୁନାହିଁ । ସାର ବ୍ୟବସାୟୀ ଓ କୃଷି ବିଭାଗ ମଧ୍ୟରେ ମଧୁ ଚନ୍ଦ୍ରିକା ଯୋଗୁଁ କାର୍ଯ୍ୟାନୁଷ୍ଠାନ ହୋଇ ପାରୁନାହିଁ । ବର୍ତ୍ତମାନ ଚାଷୀଙ୍କୁ ସମବାୟ ସମିତି ଜରିଆରେ ଧାନ ଦେବା ସକାଶେ ପଞ୍ଜିକୃତ କରାଯାଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା କିଛି ଚାଷୀ ପଞ୍ଜିକୃତ ହୋଇ ନ ପାରିଥିବାର ଅଭିଯୋଗ ହେଉଛି । ଚାଷୀଙ୍କୁ ବର୍ତ୍ତମାନ ସୁଦ୍ଧା ପଞ୍ଜିକୃତ ହେବାର ମେସେଜ ଆସିନାହିଁ । ତେଣୁ ତୁରନ୍ତ ତଦାରକ କରି ରାଜସ୍ୱ ବିଭାଗ ଓ କୃଷି ବିଭାଗ କ୍ଷେତ୍ର ପରିଦର୍ଶନ କରି ଚାଷୀଙ୍କୁ ପଞ୍ଜିକୃତ କରାଇଲେ ଖରିଫ ଋତୁର ଧାନ ଅମଳ ପରେ ବିକ୍ରି କରିପାରିବେ । ପ୍ରକାଶ ଥାଉକି ଗତ ବର୍ଷ ଚାଷୀଙ୍କୁ ସମବାୟ ସମିତି ଜରିଆରେ ଧାନ ଦେବା ପରେ ଚାଷୀଙ୍କ ଠାରୁ ୨ରୁ ୪ କେଜି ବସ୍ତା ପିଛା ନେବା ସହ ଚାଷୀଙ୍କ ଅଖା ପଇସା ଓ ପରିବହନ ଖର୍ଚ୍ଚ ଦିଆଗଲା ନାହିଁ । ଯାହା ଫଳରେ ଚାଷୀ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କଲେ ନାହିଁ । ମିଲର ସମବାୟ ସମିତି ଓ ଯୋଗାଣ ବିଭାଗର ମଧୁଚନ୍ଦ୍ରିକାରେ ଚାଷୀ ତାର ଉପଯୁକ୍ତ ପ୍ରାପ୍ୟ ପାଇ ପାରିଲା ନାହିଁ । କିଛି ଚାଷୀ ବାହାର ରାଜ୍ୟର ବ୍ୟବସାୟୀଙ୍କୁ ଶାଗ ମାଛ ଦରରେ ନିଜର ଉତ୍ପାଦିତ ଦ୍ରବ୍ୟ । ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ତେଣୁ ଚାଷୀ ଚାଷ ପ୍ରତି ଆଗ୍ରହ ପ୍ରକାଶ ନ କରି ଭାଗ ଚାଷ ଦେଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେଉଛନ୍ତି ।