ଉମରକୋଟ ପୌର ପରିଷଦ ଯୋଗାଇ ଦେଇଛି ମହିଳାଙ୍କୁ ରୋଜଗାର ପନ୍ଥା

0 61

ନବରଙ୍ଗପୁର: ଯାହାକୁ ଅଳିଆ କହି ଲୋକେ ବାହାରେ ଏଣେ ତେଣେ ଫୋପାଡି ଦିଅନ୍ତି, ସେହି ଅଳିଆ ଆଜି କିଛି ମହିଳାଙ୍କୁ ଯୋଗାଉଛି ରୋଜଗାର । ଯାହା ଫଳରେ ଆଜି କିଛି ମହିଳା ନିଜେ ସ୍ୱାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣ କରିବାରେ ସହାୟକ ହେଉଛନ୍ତି । ଉମରକୋଟ ପୌର ପରିଷଦର ଏହି ପ୍ରୟାସ ଯୋଗୁଁ ସହରର ଅଳିଆ ଆବର୍ଜନା ସଫା ହେବା ସହ ସହର ସ୍ୱଚ୍ଛ ହେଉଛି ଓ ଏହା ଦ୍ୱାରା ୨୪ ଜଣ ମହିଳା ମଧ୍ୟ ସ୍ୱାବଲମ୍ବୀ ହୋଇ ପାରିଛନ୍ତି । ପୌର ପରିଷଦକୁ ଉମରକୋଟ ବାସିନ୍ଦା ସାଧୁବାଦ ଜଣାଇଛନ୍ତି ।ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦରୁ ପ୍ରତ୍ୟେକ ଦିନ କୁଢ କୁଢ ଆବର୍ଜନା ବାହାରି ଥାଏ । ତେବେ ପୂର୍ବରୁ ଏହି ଆବର୍ଜନାକୁ ଲୋକେ ଏଣେ ତେଣେ ଫୋପାଡି ଦେଉଥିବା ବେଳେ ବାହାରେ ଆବର୍ଜନା ପଡ଼ି ପରିବେଶକୁ ଦୂଷିତ କରିବା ସହ ବିଭିନ୍ନ ୱାର୍ଡରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଥିଲା । ତେବେ କିଛି ବର୍ଷ ତଳେ ଉମରକୋଟ ପୌରପରିଷଦ ତରଫରୁ ଘରକୁ ଘର ବୁଲି ଅଳିଆ ଆବର୍ଜନା ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲା । କିନ୍ତୁ ସେହି ଆବର୍ଜନା ମଧ୍ୟ ଗୋଟିଏ ସ୍ଥାନରେ ପକାଇ ରଖାଯାଉଥିଲା ଏବଂ ଯେଉଁ ଅଞ୍ଚଳରେ ଆବର୍ଜନା ପକା ଯାଉଥିଲା ସେହି ଅଞ୍ଚଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଥିଲା । ତେବେ ଚଳିତ ବର୍ଷ ଫେବୃଆରୀ ମାସଠାରୁ ପୌରପାଳିକା ପକ୍ଷରୁ ଏହି ଆବର୍ଜନା ପରିଚାଳନା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଗଲା ଏବଂ ସହର ବାହାରେ ୮ ନମ୍ବର ୱାର୍ଡରେ ଏଥିପାଇଁ ପ୍ରାୟ ୭ ଏକର ଜମିରେ ତିଆରି କରାଗଲା ବର୍ଜ୍ୟବସ୍ତୁ ପରିଚାଳନା ଜୋନ୍‌ । ଯେଉଁଠି ସହରର ସମସ୍ତ ଅଳିଆ ଆବର୍ଜନା ଏକତ୍ରୀତ କରାଯିବା ସହ ସେହି ଆବର୍ଜନାରୁ ପ୍ଲାଷ୍ଟିକ, ଲୁହା ଏବଂ ଅନ୍ୟାନ୍ୟ ଜିନିଷ ଗୁଡିକୁ ବାହାର କରାଯାଇ କବାଡ଼ିରେ ବିକ୍ରି କରାଯାଉଛି । ଏଥିସହ ଓଦା ଆବର୍ଜନାକୁ ଏକତ୍ରୀତ କରାଯାଇ ତହିଁରୁ ତିଆରି କରାଯାଉଛି ଜୈବିକ ଖତ । ମୋ ଖତ ନାମରେ ଏହି ଖତକୁ ବିକ୍ରୀ କରାଯିବା ସହ ବନବିଭାଗ ଓ ମୃତ୍ତିକା ସଂରକ୍ଷଣ ବିଭାଗକୁ ଯୋଗଇ ଦିଆଯାଉଛି । ଏଥିପାଇଁ ପୌରପାଳିକା ତରଫରୁ ଏହି ମହିଳାମାନଙ୍କୁ ଯୋଗାଇ ଦିଆଯାଇଛି ସେଫଟି ସାନିଟାରୀ କିଟ । ଯାହାକୁ ବ୍ୟବହାର କରି ସମ୍ପୂର୍ଣ୍ଣ ନିରାପଦ ଭାବେ ଏହି ମହିଳାମାନେ କାମ କରୁଛନ୍ତି । ଏହି କାମରେ ନିୟୋଜିତ ହୋଇଛନ୍ତି ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ୨୪ ଜଣ ମହିଳା । ପ୍ରତ୍ୟେକ ମହିଳା ମାସକୁ ୪ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି । କିଛି ମହିଳା ଅଳିଆ ସଂଗ୍ରହ କରିବା ପରେ ଆଉ କିଛି ମହିଳା ଶୁଖିଲା ଆବର୍ଜନାକୁ କବାଡିରେ ବିକ୍ରୀ ପରେ ଓଦା ଆବର୍ଜନାକୁ ନିର୍ମିତ ହେଇଥିବା ସ୍ୱତନ୍ତ୍ର ଖତ କୁଣ୍ଡରେ ପକାଇ ଥାଆନ୍ତି । ଆବର୍ଜନା ଗୁଡ଼ିକ ଶୁଖି ଯିବାପରେ ତାକୁ ଗୁଣ୍ଡ କରି ସ୍ଥାପନା କରାଯାଇଥିବା ସ୍ୱତନ୍ତ୍ର ଯନ୍ତ୍ରରେ ପକାଇଥାନ୍ତି । ଏହା ପରେ ଏହି ଗୁଣ୍ଡକୁ ଏକତ୍ରିତ କରି ୫ କେଜି ଲେଖାଏଁ ପ୍ୟାକେଟ କରି ମୋ ଖତ ନାଁରେ କିଲୋ ପିଛା ୨୦ଟଙ୍କା ଦରରେ ବିଭିନ୍ନ ସରକାରୀ ବିଭାଗ ଯେପରି ଜଙ୍ଗଲ ବିଭାଗ, କୃଷି ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ ଓ ଉଦ୍ୟାନ ବିଭାଗ ଆଦିକୁ ବିକ୍ରି କରନ୍ତି । ଗତ ଅଗଷ୍ଟ ୧୫ ତାରିଖରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏଯାବତ୍‌ ୮ ଟନ ଖତ ବିଭିନ୍ନ ସରକାରୀ ବିଭାଗକୁ ବିକ୍ରି କରାଯାଇଥିବା କହିଛନ୍ତି ଉମରକୋଟ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ ।

hiranchal ad1
Leave A Reply

Your email address will not be published.

17 − thirteen =