ଜାଣନ୍ତୁ,ରେଳବାଇ ପାଇଁ କ’ଣସବୁ ରହିଛି ବ୍ୟବସ୍ଥା

0 85

ନୂଆଦିଲ୍ଲୀ: ଆଜି ସଂସଦରେ ଉପସ୍ଥାପିତ ବଜେଟରେ ସବୁଥର ଭଳି ଏଥର ମଧ୍ୟ ରେଳସେବାରେ ବିକାଶ ଓ ଉନ୍ନତି ଉପରେ ଗୁରୁତ୍ୱ ଦିଆଯାଇଛି । ରେଳ ମନ୍ତ୍ରଣାଳୟକୁ ଏଥର ମିଳିଛି ୧,୪୦,୩୬୭.୧୩ କୋଟି ଟଙ୍କା । ପୂର୍ବ ଆର୍ଥିକ ବର୍ଷର ସଂଶୋଧିତ ବଜେଟ ତୁଳନାରେ ଏହା ୨୦,୩୧୧ କୋଟି ଟଙ୍କା ଅଧିକ । ଅତିରିକ୍ତ ଭାବେ ଡେହିକେଟେଡ ଫାଇଟ କରିଡ(ଡିଏଫସି) ଭାବେ ୧୫,୭୧୦.୪୪ କୋଟି ଦିଆଯାଇଛି । ଅପରେସନ ଓ ରକ୍ଷାଣବେକ୍ଷଣ ବାବଦରେ ଏହାକୁ ଖର୍ଚ୍ଚ କରାଯିବ । ରେଳଲାଇନର ନବୀକରଣ ପାଇଁ ୧୩,୩୩୫.୪୭ କୋଟି, ଗଜ କନଭରସନ ପାଇଁ ୨,୮୫୦ କୋଟି ଓ ଦୋହରୀକରଣ ପାଇଁ ୧୨,୧୦୮ କୋଟି ଟଙ୍କା ଦିଆଯାଇଛି । ନୂଆ ରେଳଲାଇନ ପାଇଁ ୨୫,୨୪୩ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ନୂଆ ଟ୍ରେନର ଯୋଜନା ମଧ୍ୟ ରହିଛି । ଏହି ଯୋଜନା ଅନୁଯାୟୀ,ଆସନ୍ତା ୩ ବର୍ଷରେ ୪୦୦ଟି ନୂଆ ବନ୍ଦେ ଭାରତ ଟ୍ରେନ୍‌ ନିର୍ମାଣ କରାଯିବ । ଏହା ପାଇପ ଲାଇନରେ ଥିବା ୧୦୦ ଟ୍ରେନ ସହ ଅତିରିକ୍ତ ଭାବେ ତିଆରି କରାଯିବ । ବଜେଟ ଉପସ୍ଥାପନ ପରେ ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାମ୍ବାଦିକ ସମ୍ମିଳନୀ କରି ରେଳବାଇ ପାଇଁ ବଜେଟରେ ରହିଥିବା ବ୍ୟବସ୍ଥା ସଂପର୍କରେ ବିସ୍ତୃତ ସୂଚନାଦେଇଥିଲେ । ସେ କହିଛନ୍ତି, ବଜେଟରେ ରେଳ ମନ୍ତ୍ରଣାଳୟ ପାଇଁ ୧ ଲକ୍ଷ ୩୭ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ସହାୟତା କରାଯାଇଛି । ବଜେଟରେ ବୈଷୟିକ ଓ ଯାତ୍ରୀ ନିରାଙ୍ଗତ୍ତାକୁ ଗୁରୁତ୍ୱ ଦିଆଯାଇଛି । ୩ ବର୍ଷରେ ୪୦୦ ବନ୍ଦେ ଭାରତ ଟ୍ରେନ ଚଳାଚଳ ହେବ । ବନ୍ଦେ ଭାରତ ଟ୍ରେନକୁ ଲୋକେ ଗ୍ରହଣ କରିଛନ୍ତି । ଏହା ପ୍ରାୟ ୯୫% ସିଟ୍‌ ପୂରଣର ସେବା ଯୋଗାଉଛି । ସେହିପରି ବଜେଟରେ ୫ଜି ସ୍ପେକ୍ଟ୍ରମ ପାଇଁ ବିଡ୍‌ ଆହ୍ୱାନ କରାଯିବ ବୋଲି ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ । ଏ ସମ୍ପର୍କରେ ସୂଚନା ଦେଇ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ୫ଜି ସ୍ପେକ୍ଟ୍ରମ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ମାର୍ଚ୍ଚ ସୁଦ୍ଧା ଏଥିପାଇଁ ନିଲାମ ଡକାଯିବ । ଇଲେକ୍‌ଟ୍ରୋନିକ୍‌ ଉତ୍ପାଦନ ୭୫ ବିଲିୟନ ଡଲାର ରହିଛି । ଏହାକୁ ୭୫ ବିଲିୟନ ଡଲାରରୁ ୩ଶହ ବିଲିୟନରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଇଲେକ୍‌ଟ୍ରୋନିକ୍ସ ଉତ୍ପାଦନ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ପୋଷ୍ଟ ଓ ରେଳବାଇର ମିଶ୍ରଣ ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଉନ୍ନତ ଲଜିଷ୍ଟିକ ସୁବିଧା ଯୋଗାଇଦେବ । ରେଳ କ୍ଷେତ୍ର ସହ ଚାଷୀଙ୍କୁ ମଧ୍ୟ ଯୋଡିବାକୁ ବ୍ୟବସ୍ଥା ହୋଇଛି । ଏଥିପାଇଁ ‘ୱାନ ଷ୍ଟେସନ, ୱାନ ପ୍ରଡକ୍ଟ’ ଆରମ୍ଭ ହେବ । ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଉତ୍ପାଦନ କରୁଥିବା ସାମଗ୍ରୀ ଟ୍ରେନ ଯୋଗେ ପରିବହନ କରାଯିବ । ରେଳ ମନ୍ତ୍ରଣାଳୟ ପକ୍ଷରୁ ପୋଷ୍ଟାଲ ରେଳବାଇ ଆରମ୍ଭ କରାଯିବ । ଏହାଦ୍ୱାରା ପାର୍ସଲ ନେବାଆଣିବା କରି ବ୍ୟବସାୟିକ ସ୍ଥିତିକୁ ସୁଦୃଢ କରାଯାଇପାରିବ । ଆସନ୍ତା ୩ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଗତି ଶକ୍ତି କାର୍ଗ ତିଆରି କରାଯିବ । ସେହିପରି ମେଟ୍ରୋ ସେବା ପାଇଁ ନୂଆ ଧରଣର ବ୍ୟବସ୍ଥା ମଧ୍ୟ ହେବ । ରେଳବାଇ କ୍ଷୁଦ୍ର ଚାଷୀ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ନୂତନ ଉତ୍ପାଦ ଏବଂ ଦକ୍ଷ ଲଜିଷ୍ଟିକ୍‌ ସେବା ସୃଷ୍ଟି କରିବ । ଆତ୍ମନିର୍ଭର ଭାରତର ଅଂଶବିଶେଷ ଭାବେ ୨୦୦୦ କିମି ରେଳ ନେଟୱାର୍କକୁ କବଚ ଅଧୀନକୁ ଅଣାଯିବ । ଏହା ସ୍ୱଦେଶୀ ଜ୍ଞାନକୌଶଳ ଦ୍ୱାରା ଯାତ୍ରୀଙ୍କ ସୁରକ୍ଷାକୁ ନିଶ୍ଚିତ କରିବ । ଏହି କାମ ୨୦୨୨-୨୩ ଆର୍ଥିକ ବର୍ଷ ସୁଦ୍ଧା ଶେଷ ହେବ । ବଜେଟରେ ଘୋଷିତ ୧୦୦ଟି ଗତି ଶକ୍ତି ଟର୍ମିନାଲ ଶିଳ୍ପ କ୍ଷେତ୍ର ପାଇଁ ବହୁତ ଲାଭଦାୟକ ହେବ । କାରଣ ଏହା ଲଜିଷ୍ଟିକ୍‌ ଦାମ ଓ ସମୟକୁ ବହୁ ମାତ୍ରାରେ ହ୍ରାସ କରିବ । କିନ୍ତୁ ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ରେଳବାଇ ଆଗରେ ଚ୍ୟାଲେଞ୍ଜ ସୃଷ୍ଟି କରିବାର ଆଶଙ୍କା ରହିଛି । ୪୦୦ଟି ନୂତନ ବନ୍ଦେ ଭାରତ ଟ୍ରେନ୍‌ ଚଳାଇବା ପାଇଁ ପ୍ରାୟ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।

hiranchal ad1
Leave A Reply

Your email address will not be published.

two + seventeen =