ସମ୍ବଲପୁର: ସମ୍ବଲପୁର ନଗରରେ ଯେଉଁ ପରିମାଣରେ ବାହନ ସଂଖ୍ୟା ବଢ଼ିବାରେ ଲାଗିଛି, ସେହି ଅନୁସାରେ ଯିବାଆସିବା ପାଇଁ ସଡ଼କ ମିଳୁନାହିଁ । ଏହାର ପରିଣାମ ସ୍ୱରୂପ ପ୍ରତିଦିନ ବ୍ୟସ୍ତ ସମୟ ଅର୍ଥାତ୍ ସ୍କୁଲ କଲେଜ ଓ ଅଫିସ ଯିବା ଓ ସେହିପରି ଫେରିବା ସମୟରେ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଟ୍ରାଫିକ ଜାମ ଏକ ନିତିଦିନିଆ ଘଟଣା ହୋଇଗଲାଣି । କହିବାକୁ ଗଲେ ସେଠାରେ ଟ୍ରାଫିକ ପୁଲିସ ମୁତୟନ ରହିଥାନ୍ତି, କିନ୍ତୁ ନିଜ ଗନ୍ତବ୍ୟ ପଥରେ ଲୋକେ ଏପରି ବ୍ୟସ୍ତ ରହିଥାନ୍ତି ଯେ ସେତେବେଳେ ଟ୍ରାଫିକ ପୁଲିସର ନିର୍ଦ୍ଦେଶ ପ୍ରାୟତଃ ଉପେକ୍ଷାର ଶିକାର ହୋଇଥାଏ । ସେତେବେଳେ ଲୋକଙ୍କ ଗନ୍ତବ୍ୟ ପ୍ରତି ଏତେ ଅନୁରାଗ ଥାଏ ଯେ ସେମାନେ କାହାରି କଥା ଶୁଣିବାକୁ ପ୍ରସ୍ତୁତ ନଥାନ୍ତି । ପ୍ରକୃତରେ କହିବାକୁ ଗଲେ ସ୍ଥାନୀୟ ଫାଟକ ରେଲୱେ ଓଭରବ୍ରିଜ ହିଁ ଏକମାତ୍ର ମାର୍ଗ ଯାହାକି ନଗର ଭିତରକୁ ପ୍ରବେଶ ଓ ନିକାସ ପାଇଁ ବ୍ୟବହୃତ ହୋଇଥାଏ ତଥା ଏହାର କୌଣସି ବିକଳ୍ପ ନାହିଁ । ସେପଟେ ସାକ୍ଷୀପଡାରୁ ଜଗନ୍ନାଥ ମନ୍ଦିର କଲୋନୀ ଦେଇ ବୁଢ଼ାରଜା ଅଞ୍ଚଳକୁ ସଂଯୋଗ କରୁଥିବା ମାର୍ଗକୁ ଏହାର ଏକ ବିକଳ୍ପ ରୂପେ ବ୍ୟବହାର କରାଯାଇ ପାରିବ କିନ୍ତୁ ସେ ଦିଗରେ ନଗର ପ୍ରଶାସନର ଚିନ୍ତା ସୁଦ୍ଧା ନାହିଁ । ଏହି ବାଟ ଦେଇ ଯଥାସମ୍ଭବ ଟ୍ରାଫିକ ଛଡାଗଲେ ଉକ୍ତ ଓଭରବ୍ରିଜ ଉପରେ ପଡୁଥିବା ବୋଝ କମ ହୁଅନ୍ତା ଓ ଅବରୁଦ୍ଧ ଟ୍ରାଫିକ କିଛି ଭାରମୁକ୍ତ ହୁଅନ୍ତା । ଏଥିପାଇଁ ଏହି ମାର୍ଗକୁ ଯଥାସମ୍ଭବ ପ୍ରଶସ୍ତ କରିବା ସହିତ ଏହାକୁ ନିୟମିତ ଟ୍ରାଫିକ ପାଇଁ ବ୍ୟବହାରଯୋଗ୍ୟ କରିବାକୁ ପଡ଼ିବ । ଏଠାରେ ଗୋଟିଏ କଥା ଉଲ୍ଲେଖ କରିବା ସମିଚୀନ ହେବ ଯେ ସମ୍ବଲପୁରରେ ସମ୍ପୂର୍ଣ୍ଣ ଅଫସରୀ ଶାସନ ରହିଛି ଓ ଆମର ନିର୍ବାଚିତ ପ୍ରତିନିଧି ଅସହାୟ ହୋଇ ଏସବୁ ଦେଖନ୍ତି । ପୁନଶ୍ଚ ଗୋଟିଏ ଦଶନ୍ଧି ପାଖାପାଖି ହୋଇ ଗଲାଣି ସମ୍ବଲପୁର ମହାନଗର ନିଗମର ନିର୍ବାଚନ ହୋଇପାରି ନାହିଁ, ଏଣୁ ପ୍ରଶାସନରେ ଜନସାଧାରଣଙ୍କ କୌଣସି ଭାଗିଦାରୀ ନାହିଁ କହିଲେ ଚଳେ । ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କ ମନରେ କୁହୁଳୁଥିବା ଅସନ୍ତୋଷର ଯେବେ ବିସ୍ଫୋରଣ ହେବ, ସେତେବେଳେ ହିଁ ନଗରୀର ସମସ୍ୟା ଗୁଡ଼ିକର ସମାଧାନ ପାଇଁ ବାଟ ଫିଟିବ ।