ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ଉଠିଲା ବୃତ୍ତଙ୍ଗ ଦାବି

0 288

ଦଶପଲ୍ଲା : ଗତକାଲି ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେଶନ । ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ଉଠିଛି ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ଦାବି । ନୟାଗଡ ଓ ଖୋର୍ଦ୍ଧା ଜିଲ୍ଲାର ଜୀବନରେଖା ତଥା ବହୁ ପ୍ରତିକ୍ଷୀତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପ୍ରଶ୍ନ ଉଠାଇଛନ୍ତି ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା । ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆବଶ୍ୟକୀୟ ଷ୍ଟେଜ୍‌–୧, ଷ୍ଟେଜ୍‌–୨ ସହ ଜଙ୍ଗଲ ଓ ପରିବେଶ ମଞ୍ଜୁରୀର ବର୍ତ୍ତମାନ ସ୍ଥିତି କ’ଣ ରହିଛି ତାହାର ସବିଶେଷ ତଥ୍ୟ ପ୍ରଦାନ କରିବାକୁ ଜଳସମ୍ପଦ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ସେହିଭଳି ବନୀକରଣ କ୍ଷୟକ୍ଷତି ପାଇଁ କେତେ ଜମି ଓ କେତେ ସଂଖ୍ୟକ ବୃକ୍ଷରୋପଣ କରିବାର ଆବଶ୍ୟକତା ଅଛି । ଏଦିଗରେ ନୟାଗଡ ଜିଲ୍ଲାର କେଉଁକେଉଁ ଫରେଷ୍ଟ ରେଞ୍ଜ ଏବଂ ତହସିଲରେ କେତେ ପରିମାଣର ଜଙ୍ଗଲ ଜମି ଚିହ୍ନଟ କରାଯାଇଛି । ସେଥିରେ କେତେ ପରିମାଣର ଗଛ ଲଗା ଯାଇପାରିବ ଏବଂ ଅବଶିଷ୍ଟ କେତେ ପରିମାଣର ଜଙ୍ଗଲ ଜମିକୁ କେଉଁକେଉଁ ଜିଲ୍ଲାରେ ଚିହ୍ନଟ କରାଯାଇଛି ତାର ସବିଶେଷ ତଥ୍ୟ ମାଗିଛନ୍ତି । ପ୍ରକଳ୍ପ କାର୍ଯ୍ୟକୁ ତ୍ୱରିତ କାର୍ଯ୍ୟକାରୀ କରିବା ପାଇଁ ବିଧାୟକ ଅଣ୍ଟା ଭିଡିଥିବା ବେଳେ ଏଭଳି ଗୁରୁପୂର୍ଣ୍ଣ ପ୍ରସଙ୍ଗର ପ୍ରଶ୍ନର ଉତ୍ତର ରଖିଛନ୍ତି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ । ସେ କହିଛନ୍ତି ଏହି ପ୍ରକଳ୍ପ ପାଇଁ ପ୍ରଥମ ପର୍ଯ୍ୟାୟ ପରିବେଶ ମଞ୍ଜୁରୀ ବା ଜଙ୍ଗଲ ନିକାସ ପ୍ରାପ୍ତ ହୋଇଅଛି । ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ ନିକାସ କେନ୍ଦ୍ରୀୟ ଜଙ୍ଗଲ ଓ ପରିବେଶ ବିଭାଗକୁ ପ୍ରେରଣ କରାଯାଇଥିଲା । ଯାହାକି ଏହା ଉପରେ କେତେକ ଆପତ୍ତି ପ୍ରାପ୍ତ ହୋଇଥିଲା । ଉକ୍ତ ଆପତ୍ତି ଗୁଡିକ ଅନୁପାଳନ କରି ବନଖଣ୍ଡ ଅଧିକାରୀ ନୟାଗଡଙ୍କ ନିକଟକୁ ପ୍ରେରଣ କରାଯାଇଥିବା ଉତ୍ତର ରଖିଛନ୍ତି । ସେହିଭଳି ଉକ୍ତ ପ୍ରକଳ୍ପର ପର୍ଯ୍ୟାବରଣ ନିକାସ ୨୦୧୬ ମସିହା ପର୍ଯ୍ୟନ୍ତ ବୈଧତା ଥିଲା । ପରବର୍ତ୍ତୀ ପର୍ଯ୍ୟାବରଣ ନିକାସ ନିମନ୍ତେ ନିବେଦନର ନିବନ୍ଧନ କେନ୍ଦ୍ରୀୟ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟରୁ ଅନୁମୋଦନ ପ୍ରାପ୍ତ ହୋଇଛି । ଏହାର ପରିବେଶ ପରିଚାଳନା ଯୋଜନା ଓ ପରିବେଶ ପ୍ରଭାବ ନିର୍ଦ୍ଧାରଣ ନିମନ୍ତେ ଟେଣ୍ଡର ଆହ୍ୱାନ କରିବା ପାଇଁ ଯୋଜନା ଚାଲୁ ରହିଥିବା କହିଛନ୍ତି । ପ୍ରଥମ କ୍ଷତିପୂରଣ ବନୀକରଣ ନିମନ୍ତେ ହେକ୍ଟର ପ୍ରତି ୩ଶହ ଗଛ ଲଗାଇବା ପାଇଁ ପରିକଳ୍ପନା କରାଯାଇଥିଲା । ମାତ୍ର ପୁନଃ ସଂଶୋଧନ ପରିକଳ୍ପନାରେ ହେକ୍ଟର ପ୍ରତି ୧ ହଜାର ଗଛ ଲଗାଇବାକୁ ସ୍ଥିରୀକୃତ ହୋଇଛି । ସେଥିପାଇଁ ନୟାଗଡ ବନଖଣ୍ଡ ଅଧିକାରୀ, ରେଞ୍ଜର ମାନଙ୍କୁ ପ୍ରାୟ ୧୫୨୪.୧୭ ହେକ୍ଟର ବନୀକରଣ ଜମି ଯାଞ୍ଚ କରି ହେକ୍ଟର ପ୍ରତି ୧ ହଜାର ଗଛ ଲଗାଇବାକୁ ନିର୍ଦ୍ଦେଶ ଦେଇଥିବା ଜଣାଇଛନ୍ତି । ଯେଉଁଥିରେ ଗଣିଆ ବନାଞ୍ଚଳର ଗଣିଆ ତହସିଲ ଅଧୀନରେ ୪୪୩.୬୨ ହେକ୍ଟର, ଖଣ୍ଡପଡା ବନାଞ୍ଚଳର ଭାପୁର ତହସିଲ ଅଧୀନରେ ୩୨୧.୯୮ ହେକ୍ଟର, ମହିପୁର ବନାଞ୍ଚଳର ନୂଆଗାଁ ତହସିଲ ଅଧୀନରେ ୨୭୮.୮୪ ହେକ୍ଟର, ଓଡଗାଁ ବନାଞ୍ଚଳ ଓଡଗାଁ ତହସିଲ ଅଧୀନରେ ୧୨୫.୦୫ ହେକ୍ଟର, ପଂଚରିଡା ରେଞ୍ଜର ଓଡଗାଁ ତହସିଲ ଅଧୀନରେ ୬୨.୨୪ ହେକ୍ଟର ଏବଂ ପଂଚରିଡା ରେଞ୍ଜ ରଣପୁର ତହସିଲ ଅଧୀନରେ ୨୯୨.୪୫ ହେକ୍ଟର ସ୍ଥାନରେ ଗଛ ଲଗାଯିବାକୁ ଧାର୍ଯ୍ୟ ହୋଇଛି । ହେକ୍ଟର ପ୍ରତି ୩ଶହ ଗଛରୁ ୧ ହଜାର ଗଛ ପ୍ରତି ହେକ୍ଟର ପ୍ରତି ପରିବର୍ତ୍ତନ ହେଲାପରେ ଆଉ କେତେ ଜମିର ଆବଶ୍ୟକତା ଅଛି ତତ୍‌ ସମ୍ବନ୍ଧୀୟ ତଥ୍ୟ ଜଙ୍ଗଲ ବିଭାଗ ବନଖଣ୍ଡ ଅଧିକାରୀ ନୟାଗଡଙ୍କ ଠାରୁ ଅପେକ୍ଷା କରାଯାଇଥିବା ମନ୍ତ୍ରୀ ଉତ୍ତର ରଖିଛନ୍ତି । ତେବେ ନୟାଗଡ ଓ ଖୋର୍ଦ୍ଧା ଜିଲ୍ଲାବାସୀଙ୍କ ଜୀବନରେଖା କୁହାଯାଉଥିବା ଏହି ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବା ଦିଗରେ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

twenty − one =