ନବରଙ୍ଗପୁର: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଆଜି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି ଉଦ୍ଦେଶ୍ୟରେ ଜିଲ୍ଲାରେ ଶିଶୁମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ କରୁଥିବା ଚାରିଟି କମିଟି ଯଥା ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା କମିଟି, କିଶୋରୀ ସଶକ୍ତିକରଣ ଓ ବାଲ୍ୟବିବାହ ପ୍ରତିରୋଧ ଟାସ୍କ ଫୋର୍ସ, ଶିଶୁ ଶ୍ରମିକ ନିରାକରଣ ଏବଂ ଚାଇଲ୍ଡ ଲାଇନ ପରାମର୍ଶଦାତା କମିଟିର ମିଳିତ ବୈଠକ ଆଜି ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ମିଳିତ ବୈଠକରେ ଜିଲ୍ଲାପାଳ ଡଃ ମିଶ୍ର ଅଧ୍ୟକ୍ଷତା କରି ଜିଲ୍ଲାରେ ବାଲ୍ୟ ବିବାହକୁ ରୋକିବା ଦିଗରେ ବାଲ୍ୟବିବାହ ନିଷେଧ ଅଧିକାରୀମାନେ ଗ୍ରାମସ୍ତରରେ ଜାତି ସମାଜର ମୁଖ୍ୟମାନଙ୍କୁ ନେଇ ପୋଲିସ ପ୍ରଶାସନ ସହାୟତାରେ ସଚେତନ ବୈଠକ କରିବା ସହିତ ଓ ଅଧିକରୁ ଅଧିକ କିଶୋରକିଶୋରୀମାନଙ୍କୁ କୌଶଳ ବିକାଶ ଶିକ୍ଷାରେ ସାମିଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ବୈଠକ ପ୍ରାରମ୍ଭରେ ସୂଚନା ଦେଇ କହିଥିଲେ ଯେ, ଜିଲ୍ଲାରେ ୧୦ ବ୍ଲକ ଓ ୧୮୯ ଟି ଗ୍ରାମ ପଞ୍ଚାୟତ ସ୍ତରରେ ଅନୁରୂପ ଭାବରେ ବ୍ଲକ ଓ ପଞ୍ଚାୟତ ସ୍ତରରେ ଶିଶୁ ସୁରକ୍ଷା କମିଟି, କିଶୋରୀ ସଶକ୍ତିକରଣ ଓ ବାଲ୍ୟବିବାହ ପ୍ରତିରୋଧ ଟାସ୍କ ଫୋର୍ସ, ଶିଶୁ ଶ୍ରମିକ ନିରାକରଣ କମିଟିର ବୈଠକ ଅନୁଷ୍ଟିତ ହୋଇଛି । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ୱର୍ଣ୍ଣଲତା ବିଶ୍ୱାସ ବୈଠକ ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ଚଳିତ ବର୍ଷ ଜିଲ୍ଲାରେ ମୋଟ ୨୮୧ ଗୋଟି ବାଲ୍ୟବିବାହକୁ ବନ୍ଦ କରାଯିବା ସହିତ ଆଜି ପର୍ଯ୍ୟନ୍ତ ୪୫୫ଟି ରାଜସ୍ୱ ଗ୍ରାମ ଓ ୪୨୬ ପଡାଗ୍ରାମକୁ ମିଶାଇ ମୋଟ ୮୮୧ ଗ୍ରାମ କୁ ପ୍ରଶାସନ ତରଫରୁ ବାଲ୍ୟବିବାହ ମୁକ୍ତ ଗ୍ରାମଭାବରେ ଘୋଷଣା କରାଯିବା ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି, ଜିଲ୍ଲା ସମାଜ କଲ୍ୟାଣ ବିଭାଗ , ୟୁନିସେଫ ଓ ଆକ୍ସନଏଡର ମିଳିତ ପ୍ରୟାସରେ ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇ ଗ୍ରାମ ଗୁଡିକରେ ସଚେତନତା କାର୍ଯ୍ୟକ୍ରମ ଚାଲୁଥିବାର ସୂଚନା ଦେଇଥିଲେ । ପରେ ପରେ ଆକ୍ସନଏଡର ଜିଲ୍ଲା ପରାମର୍ଶଦାତା ଫକିର ଚରଣ ରାଉତ ଶିଶୁ ମାନଙ୍କର ସୁରକ୍ଷା ଓ ବାଲ୍ୟ ବିବାହର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାରେ ନିଆଯାଇ ଥିବା ବିଭିନ୍ନ ପଦକ୍ଷେପ ଓ ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ବୈଠକରେ ଉପସ୍ଥାପନା କରିଥିଲେ । ବୈଠକ ପ୍ରାରମ୍ଭରେ ଜିଲ୍ଲାର ୧୫ ଜଣ କିଶୋରୀମାନଙ୍କୁ ଆକ୍ସନଏଡ ଅନୁଷ୍ଠାନ ସହଯୋଗରେ ଦିଆଯାଇ ଥିବା ସିଲେଇ ମେସିନକୁ ଜିଲ୍ଲାପାଳ ଡଃ ମିଶ୍ର ବଣ୍ଟନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁମଙ୍ଗଳ ସମିତିର ଅଧକ୍ଷ ଦିବାକର ବାହୁକ, ଡିଏସପି ବବିତା ତ୍ରିପାଠୀ, ଶିକ୍ଷା ଅଧିକାରୀ ପ୍ରଦୀପ୍ତ କୁମାର ନାଗ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଡିପିହେଚଓ ଡା ମଳୟ ତ୍ରିପାଠୀ, ଜିଲ୍ଲା ନିୟୋଜନ ଅଧିକାରୀ ଆନନ୍ଦ କୁମାର ପାଢୀ, ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ବେଣୁଧର ଶବର, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ବାଲ୍ୟବିବାହ ନିଷେଧ ଅଧିକାରୀ ସୁନିତା ଦେବୀ ତ୍ରିପାଠୀ, ଏସେ ଗୀତା, ଶୈଳେନ୍ଦ୍ରି ମହାନନ୍ଦ, ଯମୁନା ଭତ୍ରା, ଗୀତା ମହାରଣା, ଗୀତାଞ୍ଜଳି ମିଶ୍ର, ସୁରମା ମହାପାତ୍ର, ସଂଯୁକ୍ତା ବେହେରା, ୱାନଷ୍ଟପ କେନ୍ଦ୍ରର କର୍ମର କର୍ତ୍ତା ପ୍ରମୁଖ ଉପସ୍ତିତ ରହିବା ସହିତ ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲାରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ, ଶିଶୁ ଶ୍ରମିକ ନିରାକରଣ ଏବଂ ବାଲ୍ୟ ବିବାହର ସମାପ୍ତ ଦିଗରେ ନିଜର ମତାମତ ପ୍ରଦାନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post