ଏସିଓ ଶିଖର ସମ୍ମିଳନୀରେ ମୋଦୀଙ୍କ ଅଭିଭାଷଣ :
ଭାରତ ହେବ ବିଶ୍ୱର ସର୍ବବୃହତ ଉତ୍ପାଦନ ହବ

0 48

ନୂଆଦିଲ୍ଲୀ,୧୬/୯ : ପାରସ୍ପରିକ ସହଯୋଗ ଯେତେ ବ୍ୟାପକ,ସୁଦୃଢ ଓ ସକରାତ୍ମକ ହେବ,ସଂପର୍କ ସେତିକି ଉନ୍ନତ ହେବ ଏବଂ ବିକାଶ ସମୃଦ୍ଧ ହେବ । ସାଂଘାଇ ସହଯୋଗ ସଂଗଠନ(ଏସସିଓ) ଏକ ଗୁରୁତ୍ୱପୂର୍ଣ୍ଣ ସଙ୍ଗଠନ । ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ସହଯୋଗ ଆହୁରି ସୁଦୃଢ ହେଉ ବୋଲି ଭାରତ ଚାହେଁ । ସଂପୂର୍ଣ୍ଣ ବିକାଶ ହାସଲ କରିବାକୁ ହେଲେ ସବୁ କ୍ଷେତ୍ରକୁ ଗୁରୁତ୍ୱ ଦେବାକୁ ପଡ଼ିବ । ଆଉ ଭାରତ ତାହା ହିଁ କରୁଛି । ଆମେ ଭାରତକୁ ଏକ ବୃହତ ନିର୍ମାଣ ହବରେ ପରିଣତ କରିବାକୁ ଉଦ୍ୟମ କରୁଛୁ । ଏହା ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ମଜବୁତ କରିବ । ଷ୍ଟାର୍ଟଅପ୍‌ ଓ ନବସୃଜନ ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟ ଗୋଷ୍ଠୀ ଗଠନ କରି ଆମେ ଏସସିଓ ସଦସ୍ୟ ଦେଶମାନଙ୍କ ସହ ଆମର ଅଭିଜ୍ଞତା ବାଣ୍ଟିବାକୁ ପ୍ରସ୍ତୁତ । ଉଜବେକିସ୍ତାନର ସମରକନ୍ଦ ଠାରେ ଆଜି ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ(ଏସସିଓ)ର ଶିଖର ସମ୍ମିଳନୀକୁ ସମ୍ବୋଧିତ କରି ଏହା କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଯେ ଆମେ ଭାରତକୁ ଏକ ନିର୍ମାଣ ହବରେ ପରିଣତ କରିବା ଦିଗରେ ଅଗ୍ରଗତି କରୁଛୁ । ଚଳିତ ବର୍ଷ ଭାରତର ଅର୍ଥନୀତି ୭.୫% ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି, ଯାହା ବିଶ୍ୱର ପ୍ରମୁଖ ଅର୍ଥନୀତି ମଧ୍ୟରେ ସର୍ବାଧିକ ହେବ । ଆମେ ଲୋକ-କୈନ୍ଦ୍ରିକ ବିକାଶ ମଡେଲ ଉପରେ ଧ୍ୟାନ ଦେଉଛୁ । ଆମେ ପ୍ରତି ସେକ୍ଟରରେ ନବସୃଜନକୁ ସମର୍ଥନ କରୁଛୁ । ଆଜି ଭାରତରେ ୧୦୦ରୁ ଅଧିକ ୟୁନିକର୍ଣ୍ଣ ସହିତ ୭୦,୦୦୦ରୁ ଅଧିକ ଷ୍ଟାର୍ଟ ଅପ୍‌ ଅଛି । ମହାମାରୀ ପରେ ଆଜି ଯେତେବେଳେ ସମଗ୍ର ବିଶ୍ୱ ଅର୍ଥନୈତିକ ପୁନରୁଦ୍ଧାରର ଆହ୍ୱାନର ସମ୍ମୁଖୀନ ହୁଏ, ସେତେବେଳେ ଏସସିଓର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶ୍ୱ ଜିଡିପିରେ ଏସସିଓ ସଦସ୍ୟ ଦେଶଗୁଡିକ ପ୍ରାୟ ୩୦ ପ୍ରତିଶତ ଯୋଗଦାନ ରହିଛି ଏବଂ ବିଶ୍ୱର ୪୦ ପ୍ରତିଶତ ଲୋକ ମଧ୍ୟ ଏସସିଓ ଦେଶରେ ରୁହନ୍ତି । ଭାରତ ଏସସିଓ ସଦସ୍ୟମାନଙ୍କ ମଧ୍ୟରେ ଅଧିକ ସହଯୋଗ ଏବଂ ପାରସ୍ପରିକ ବିଶ୍ୱାସକୁ ସମର୍ଥନ କରେ । ଆମ ଅଞ୍ଚଳରେ ନିର୍ଭରଯୋଗ୍ୟ, ସ୍ଥିର ଏବଂ ବିବିଧ ଯୋଗାଣ ଶୃଙ୍ଖଳା ବିକାଶ ପାଇଁ ଏସିଓ ପ୍ରୟାସ କରିବା ଉଚିତ୍‌ । ଆମେ ସମସ୍ତେ ପରସ୍ପରକୁ ଗମନାଗମନର ସମ୍ପୂର୍ଣ୍ଣ ଅଧିକାର ଦେବା ଉଚିତ ।

hiranchal ad1
Leave A Reply

Your email address will not be published.

three × 3 =