ନୂଆଦିଲ୍ଲୀ: ଦେଶରେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନି ବିଏସ୍ଏନ୍ଏଲ୍କୁ ମିଳିବ ପୁନର୍ଜୀବନ । ଏଥିପାଇଁ କେନ୍ଦ୍ର ସରକାର ଏକ ବଡ଼ ଆର୍ଥିକ ପ୍ୟାକେଜ ବ୍ୟବସ୍ଥା କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବିଏସଏନଏଲର ପୁନରୁଦ୍ଧାର ପାଇଁ ୧.୬୪ ଲକ୍ଷ କୋଟି ଟଙ୍କାର ପ୍ୟାକେଜକୁ ଅନୁମୋଦନ ପ୍ରଦାନ କରାଯାଇଛି । କ୍ୟାବିନେଟ ବୈଠକ ପରେ ଦୂରସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । ବିଏସଏନଏଲ ପାଇଁ ପ୍ରଥମ ପ୍ୟାକେଜ୍ ୨୦୧୯ରେ ଦିଆଯାଇଥିଲା । ସେତେବେଳେ ଘୋଷଣା କରାଯାଇଥିଲା ଯେ ବିଏସଏନଏଲ ଏବଂ ଏମଟିଏନଏଲକୁ ୪-ଜି ସେବାର ପ୍ରଶାସନିକ ଆବଣ୍ଟନ କରାଯିବ । ଫଳରେ ଏହି ଦୁଇଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଦ୍ରୁତ ବ୍ରଡବ୍ୟାଣ୍ଡ ଓ ଅନ୍ୟ ଡାଟା ସେବା ଯୋଗାଇ ଦେଇପାରିବେ । ଏହି ସ୍ପେକ୍ଟ୍ରମ ପାଇଁ ସରକାର ପାଣ୍ଠି ଯୋଗାଇଦେବେ । ଏହି ଦୁଇଟି ରାଷ୍ଟ୍ରାୟତ୍ତ କମ୍ପାନିକୁ ୨୦,୧୪୦ କୋଟି ଟଙ୍କାର ପାଣ୍ଠି ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା । ଏହି ସ୍ପେକ୍ଟ୍ରମ ମୂଲ୍ୟର ଜିଏସଟି ବାବଦ ଅର୍ଥ ୩,୬୭୪ କୋଟି ଟଙ୍କା ମଧ୍ୟ ସରକାର ବଜେଟରୁ ବ୍ୟୟ କରିବେ । ଏହି ସ୍ପେକ୍ଟ୍ରମ ଉପଯୋଗ କରି ବିଏସଏନଏଲ ଏବଂ ଏମଟିଏନଏଲ ୪-ଜି ସେବା ଯୋଗାଇଦେବାରେ ସଫଳ ହେବା ସହିତ ଅନ୍ୟ କମ୍ପାନୀମାନଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ଏବଂ ଗ୍ରାମାଂଚଳରେ ସେମାନଙ୍କ ବିଶାଳ ନେଟୱର୍କ ମାଧ୍ୟମରେ ଦ୍ରୁତ ଡାଟା ସେବା ଯୋଗାଇ ଦେବେ ବୋଲି କେନ୍ଦ୍ର ସରକାର କହିଥିଲେ । ତେବେ ଆଜିର ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ବିଏସଏନଏଲ ଏବଂ ଭାରତ ବ୍ରଡବ୍ୟାଙ୍କ ନେଟୱାର୍କ ଲିମିଟେଡର ମିଶ୍ରଣକୁ କ୍ୟାବିନେଟ ଅନୁମୋଦନ କରିଛି । ଏଥିସହ କ୍ୟାବିନେଟ୍ ଆଜି ଗ୍ରାମଗୁଡିକରେ ସଂଯୋଗ ପାଇଁ ୨୬୩୧୬ କୋଟି ପ୍ୟାକେଜ୍ ଅନୁମୋଦନ କରିଛି । ଯେଉଁ ଗ୍ରାମଗୁଡିକରେ ୨ଜି ଅଛି,ସେମାନଙ୍କୁ ୪ଜି ସେବା ପାଇବାକୁ ଅନୁମୋଦନ କରାଯାଇଛି । ସୀମା ଅଞ୍ଚଳ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସୀମା ଅଞ୍ଚଳରେ ଇଷ୍ଟର୍ଣ୍ଣ ଲଦାଖ ମଧ୍ୟ ଅନ୍ତର୍ଭୂକ୍ତ ହେବ ଯେଉଁଠାରେ ୪ଜି ଅଣାଯାଇପାରିବ ବୋଲି ସେ କହିଛନ୍ତି ।