ଏକାଧିକ ପ୍ୟାନ୍‌ କାଡର଼୍ ରଖିଥିବା ବ୍ୟକ୍ତିଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

0 101

ନୂଆଦିଲ୍ଲୀ : ପ୍ୟାନ୍‌ କାଡର଼୍ କ୍ଷେତ୍ରରେ ଆୟକର ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛି । ଯେଉଁମାନଙ୍କ ପାଖରେ ଏକାଧିକ ପ୍ୟାନ୍‌ କାଡର଼୍ ରହିଥିବା ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ସେହିପରି, ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ପ୍ୟାନ୍‌ କାଡର଼୍ ସହ ଆଧାର ନମ୍ବର ଲିଙ୍କ୍‌ ନକଲେ ସଂପୃକ୍ତ ପ୍ୟାନ୍‌ କାଡର଼୍ ଆକାଉଣ୍ଟ ଅକାମୀ ହୋଇଯିବ ବୋଲି ବିଭାଗ ସ୍ପଷ୍ଟ କରିଛି । ଅଲଗା ଅଲଗା ପ୍ୟାନ୍‌ କାଡର଼୍ ବ୍ୟବହାର କରି ବଡ଼ ଧରଣର ନେଣଦେଣ କରି ବହୁ ପରିମାଣର ଟିକସ ଫାଙ୍କୁଥିବା ଲୋକମାନଙ୍କୁ ସାବାଡ କରିବା ଉଦ୍ଦେଶ୍ୟରେ ବିଭାଗ ଏଭଳି ଏକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି । କର ଫାଙ୍କୁଥିବା ସାଧୁ ଲୋକମାନଙ୍କୁ ଧରିବା ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ବିଭାଗ କହିଛି । ଜୁନ୍‌ ମାସସୁଦ୍ଧା ଦେଶରେ ୫୦.୯୫ କୋଟି ପ୍ୟାନ୍‌ କାଡର଼୍ଧାରୀ ଥିଲେ । ସେମାନଙ୍କ ମଧ୍ୟରୁ ମାତ୍ର ୬.୪୮ କୋଟି ଲୋକ ଆୟକର ରିଟର୍ଣ୍ଣ ଦାଖଲ କରିଥିଲେ । ଦେଶରେ ଏଭଳି କିଛି ଲୋକ ଅଛନ୍ତି, ଯେଉଁମାନେ କମ୍‌ କର ଦେବା ପାଇଁ ଅଲଗା ଅଲଗା ପ୍ୟାନ୍‌ କାଡର଼୍ ବ୍ୟବହାର କରୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ସ୍ୱାଧୀନତା ଦିବସର ଉଦ୍‌ବୋଧନ ଅବସରରେ ଆୟକରକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ । ଭାରତର ୧୩୦ କୋଟି ଲୋକଙ୍କ ମଧ୍ୟରୁ କେବଳ ୧.୫ କୋଟି ଲୋକ ଟିକସ ଦାଖଲ କରୁଛନ୍ତି । ବାକି ଲୋକମାନେ ଠକୁଛନ୍ତି । ଏହା ଏକ ଅତ୍ୟନ୍ତ ଚିନ୍ତାର ବିଷୟ ବୋଲି ସେ କହିଥିଲେ । ବର୍ତ୍ତମାନ ଆୟକର ବିଭାଗ ଠକୁଥିବା ଲୋକମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଥିବାରୁ ଟିକସ ଆଦାୟ କ୍ଷେତ୍ରରେ ଉଲ୍ଲେଖନୀୟ ସୁଧାର ଆସିବ ବୋଲି ଅନୁମାନ କରାଯାଉଛି ।

hiranchal ad1
Leave A Reply

Your email address will not be published.

five × 1 =