ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପ୍ରଣବଙ୍କ ଶେଷକୃତ୍ୟ ସମ୍ପନ୍ନ

0 105

ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି “ଭାରତ ରତ୍ନ’ ପ୍ରଣବ ମୁଖାର୍ଜୀଙ୍କର ଆଜି ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଦିଲ୍ଲୀସ୍ଥିତ ଲୋଧିଘାଟରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କର ବଡ଼ପୁଅ ଅଭିଜିତ୍‌ ମୁଖାଗ୍ନି ଦେଇଥିଲେ । ଏହା ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରାୟ ସମସ୍ତ କେନ୍ଦ୍ରମନ୍ତ୍ରୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମେତ ଆହୁରି ବହୁ ବରିଷ୍ଠ ରାଜନେତା ଏବଂ ବିଭିନ୍ନ କ୍ଷେତ୍ରର ବ୍ୟକ୍ତିବିଶେଷ ତାଙ୍କ ବାସଭବନରେ ପହଞ୍ଚି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ । ପ୍ରଣବଙ୍କ ପାର୍ଥିବ ଶରୀରକୁ ଏକ ସୁସଜ୍ଜିତ ଗାଡ଼ିରେ ଲୋଧି ସ୍ମଶାନ ଘାଟକୁ ନିଆଯାଇଥିଲା ।
ଉଲ୍ଲେଖଯୋଗ୍ୟ, ସୋମବାର ସନ୍ଧ୍ୟାରେ ପୂର୍ବତନ ରାଷ୍ଟ୍ରପତିଙ୍କ ପରଲୋକ ଘଟିଥିଲା । ମୃତ୍ୟବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ପ୍ରଣବଙ୍କୁ ଗତ ଅଗଷ୍ଟ ୧୦ରେ ସେନାର ରିସର୍ଚ୍ଚ ଆଣ୍ଡ ରେଫ୍ରଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ମସ୍ତିଷ୍କ ସର୍ଜରୀ କରାଯାଇଥିଲା । ସ୍ଥିତି ଜଟିଳ ହେବାରୁ ତାଙ୍କୁ କୋମାରେ ରଖାଯାଇଥିଲା । ପ୍ରଣବ କରୋନା ପଜିଟିଭ ମଧ୍ୟ ଚିହ୍ନଟ ହୋଇଥିଲେ । ପରେ ତାଙ୍କର ଫୁସ୍‌ଫୁସ୍‌ ସଂକ୍ରମଣ ହୋଇଥିଲା । ପ୍ରଣବ ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ଦେଶର ୧୩ତମ ରାଷ୍ଟ୍ରପତି ରହିଥିଲେ । ତାଙ୍କୁ ୨୦୧୯ରେ ଭାରତ ରତ୍ନ ଓ ୨୦୦୮ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ପ୍ରଣବ ମୁଖାର୍ଜୀଙ୍କ ନିଧନରେ କେନ୍ଦ୍ର ସରକାର ଦେଶରେ ସାତ ଦିନର ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ଏହା ସହିତ ପଶ୍ଚିମବଙ୍ଗ ସରକାର ମଧ୍ୟ ଶୋକ ଘୋଷଣା କରିଛନ୍ତି । ପ୍ରଣବ ମୁଖାର୍ଜୀ ପାଞ୍ଚ ଦଶନ୍ଧି ଧରି ରାଜନୀତରେ ସକ୍ରିୟ ରହିଥିଲେ । ସେ କଂଗ୍ରେସ ଶାସନ କାଳରେ ଅନେକ ଗୁରୁତ୍‌ବପୂର୍ଣ୍ଣ ମନ୍ତ୍ରୀ ପଦରେ ରହିଥିଲେ । ସେ ପାଞ୍ଚ ଥର ରାଜ୍ୟସଭା ସଦସ୍ୟ ଏବଂ ଦୁଇ ଥର ଲୋକସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ ।
୧୯୯୧ରୁ ୧୯୯୬ ପର୍ଯ୍ୟନ୍ତ ପ୍ରଣବ ମୁଖାର୍ଜୀ ଯୋଜନା ଆୟୋଗର ଉପାଧ୍ୟକ୍ଷ, ୧୯୯୩ ରୁ ୯୫ ପର୍ଯ୍ୟନ୍ତ ବାଣିଜ୍ୟ ମନ୍ତ୍ରୀ, ୧୯୯୫ ରୁ ୧୯୯୬ ପର୍ଯ୍ୟନ୍ତ ବୈଦେଶିକ ମନ୍ତ୍ରୀ, ୨୦୦୪ ରୁ ୨୦୦୬ ପର୍ଯ୍ୟନ୍ତ ପ୍ରତିରକ୍ଷା ମନ୍ତ୍ରୀ ତଥା ୨୦୦୬ ରୁ ୨୦୦୯ ପର୍ଯ୍ୟନ୍ତ ବୈଦେଶିକ ମନ୍ତ୍ରୀ ରହିଥିଲେ । ସେ ୨୦୦୯ ରୁ ୨୦୧୨ ପର୍ଯ୍ୟନ୍ତ ଦେଶର ଅର୍ଥମନ୍ତ୍ରୀ ରହିଛନ୍ତି । ୨୦୧୨ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ସେ କଂଗ୍ରେସ ଓ ଲୋକସଭାରୁ ଇସ୍ତଫା ଦେଇଥିଲେ ।

hiranchal ad1
Leave A Reply

Your email address will not be published.

two × 1 =