ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି ଆଜି ଅନୁଷ୍ଠିତ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛି । ଯାହା ବ୍ୟାଙ୍କ ଗ୍ରାହକମାନଙ୍କୁ ବହୁମାତ୍ରାରେ ଆଶ୍ୱସ୍ତି ଦେବ । ଏକ ପ୍ରମୁଖ ନିଷ୍ପତ୍ତିକ୍ରମେ ରିଜର୍ଭ ବ୍ୟାଙ୍କ ଋଣ କିସ୍ତିକୁ ଆଉ ୩ ମାସ କୋହଳ କରିଛନ୍ତି । ଅର୍ଥାତ୍ ମାସିକ କିସ୍ତି କୋହଳ ଅବଧିକୁ ୩ ମାସ ବୃଦ୍ଧି କରାଯାଇଛି । ଅଗଷ୍ଟ ପର୍ଯ୍ୟନ୍ତ ଏହି ଅବଧି ବୃଦ୍ଧି ପାଇଛି । ଅର୍ଥାତ୍ କୌଣସି ବ୍ୟାଙ୍କ ଋଣ ଗ୍ରହିତାଙ୍କୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ସେମାନଙ୍କର କିସ୍ତି ପୈଠ କରିବାକୁ ପଡ଼ିବ ନାହିଁ । ଏହି ଅବଧି ମଧ୍ୟରେ ବ୍ୟାଙ୍କ ଗ୍ରାହକଙ୍କଠାରୁ କିସ୍ତି ପାଇଁ ଚାପ ପକାଇ ପାରିବେ ନାହିଁ । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେଉଛି ରେପୋ ରେଟ୍ ହ୍ରାସ । ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ୪୦ ଆଧାର ଅଙ୍କ ହ୍ରାସ କରିଛନ୍ତି । ଅର୍ଥାତ୍ ଏହା ୪.୪ ପ୍ରତିଶତରୁ ୪ ପ୍ରତିଶତକୁ ହ୍ରାସ ପାଇଛି । ଆଜି ବୈଠକ ଶେଷ ହେବା ପରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଅର୍ଥନୈତିକ ଅଭିବୃଦ୍ଧିର ପୁନରୁଦ୍ଧାର ଏବଂ କରୋନା ଭାଇରସ ସଂକ୍ରମଣ ତଥା ଲକ୍ଡାଉନର ପ୍ରଭାବକୁ ନିୟନ୍ତ୍ରଣ କରିବା ନେଇ ବୈଠକରେ ସହମତି ପ୍ରକାଶ ପାଇଛି । ସେହିପରି, ରିଭର୍ସ ରେପୋ ରେଟ୍ ମଧ୍ୟ ହ୍ରାସ ପାଇଛି । ଏହା ୩.୩୫ ପ୍ରତିଶତକୁ ଖସି ଆସିଛି । ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ଜିଡିପି ଅଭିବୃଦ୍ଧି ୠଣାତ୍ମକ ସ୍ଥିତିରେ ରହିବ । ତେବେ ଦ୍ୱିତୀୟାର୍ଦ୍ଧରେ ଏ କ୍ଷେତ୍ରରେ କିଛିଟା ସୁଧାର ଆସିବ ବୋଲି ସେ କହିଛନ୍ତି । ରିଜର୍ଭ ବ୍ୟାଙ୍କର ଏଭଳି ନିଷ୍ପତ୍ତି କେଉଁ କେଉଁ କ୍ଷେତ୍ରରେ କି ପ୍ରକାର ପ୍ରଭାବ ପକାଇବ ସେ ନେଇ ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଏହି ଆକଳନ ଅନୁଯାୟୀ ଗୃହ, ଗାଡ଼ି, ବ୍ୟକ୍ତିଗତ ଓ ମିଆଦି ଋଣ ହାର ଆସନ୍ତା ଦିନମାନଙ୍କରେ ଉଲ୍ଲେଖନୀୟ ଭାବେ ହ୍ରାସ ପାଇପାରେ ।