କରୋନା ସ୍ଥିତି ଅସମ୍ଭାଳ

0 99

ନୂଆଦିଲ୍ଲୀ : ଭାରତରେ ମାର୍ଚ୍ଚ, ଅପ୍ରେଲ୍ ତୁଳନାରେ ଜୁନ୍ ମଧ୍ୟଭାଗରୁ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମଣ ସ୍ଥିତି ଅଧିକ ଭୟଙ୍କର ହୋଇଛି । ଏହି ସମୟ ମଧ୍ୟରେ ଦିନକର ସଂକ୍ରମଣ ହାର ଦ୍ରୁତ ଗତିରେ ବୃଦ୍ଧି ପାଇଛି । ବର୍ତ୍ତମାନ ପ୍ରତିଦିନର ନୂଆ କରୋନା ରୋଗୀ ସଂଖ୍ୟା ୧୧ ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୧୧ ହଜାର ୯୨୯ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଯାହାକି ବର୍ତ୍ତମାନ ସୁଦ୍ଧା ଏକ ରେକଡର଼୍ ସର୍ବାଧିକ । ଏହାକୁ ମିଶାଇ ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୦ ହଜାର ୯୨୨ରେ ପହଞ୍ଚିଛି । ତେବେ ସୁସ୍ଥ ହାର ମଧ୍ୟ ବୃଦ୍ଧି ପାଉଛି । ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୬୨ ହଜାର ୩୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଫଳରେ ଦେଶରେ ସୁସ୍ଥ ହାର ୫୦.୫୯ ପ୍ରତିଶତରେ ପହଞ୍ଚିଛି । ଆଗାମୀ ଦିନରେ କରୋନା ପରୀକ୍ଷା ସଂଖ୍ୟାକୁ ତିନିଗୁଣା କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । ସେହିପରି, କରୋନା ମୃତ୍ୟୁସଂଖ୍ୟା ୯ ହଜାର ୧୯୫କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୧୧ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଜି ସୂଚନା ଦେଇଛି । ଦେଶରେ ପ୍ରଥମ ଥର ପାଇଁ ସୁସ୍ଥ ହାର ୫୦ ପ୍ରତିଶତ ଟପିଛି । ଆଇସିଏମ୍ଆର୍ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୫୬ ଲକ୍ଷ ୫୮ ହଜାର ୬୧୪ ଜଣଙ୍କର ପରୀକ୍ଷା କରାଯାଇ ସାରିଲାଣି । ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୫୧ ହଜାର ୪୩୨ଜଣଙ୍କ କୋଭିଡ୍ ଟେଷ୍ଟ କରାଯାଇଛି । ଏମାନଙ୍କ ମଧ୍ୟରେ ୧୧ ହଜାର ୯୨୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ କରୋନା ପଜିଟିଭ୍ ହାର ୭.୮୭ରେ ପହଞ୍ଚିଛି । ମହାରାଷ୍ଟ୍ରରେ ସଂକ୍ରମଣ ସ୍ଥିତି ଆହୁରି ଗୁରୁତର ହୋଇପଡିଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଏକ ଲକ୍ଷ ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୪୨୭ଜଣ ଆକ୍ରାନ୍ତ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪ ହଜାର ୫୬୮ରେ ପହଞ୍ଚିଛି । ସେହିପରି, ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୧୩ ଜଣ ଲୋକ ପ୍ରାଣ ହରାଇଛନ୍ତି । ଫଳରେ ମୋଟ ମୃତ୍ୟୁସଂଖ୍ୟା ୩,୮୩୦କୁ ବୃଦ୍ଧି ପାଇଛି । କେବଳ ଭାରତ ନୁହେଁ, ଆମେରିକା, ବ୍ରାଜିଲ୍, ଇଟାଲୀ, ଋଷିଆ ଭଳି ଦେଶଗୁଡ଼ିକରେ ସଂକ୍ରମଣ ସ୍ଥିତି ସାଙ୍ଘାତିକ ରହିଛି । ଆମେରିକା ସବୁଠୁ ଖରାପ ପରିସ୍ଥିତି ଦେଇ ଗତି କରୁଛି । ସାରା ବିଶ୍ୱରେ ୧୮୦ରୁ ଅଧିକ ଦେଶ ବର୍ତ୍ତମାନ କରୋନା କବଳରେ । ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୪ ଲକ୍ଷ ୨୫ ହଜାର ଅତିକ୍ରମ କରିଛି । ସେହିପରି, ୭୬ ଲକ୍ଷରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । ଆମେରିକାରେ ପ୍ରତିଦିନ ହଜାର ହଜାର ଲୋକ ଆକ୍ରାନ୍ତ ହେଉଛନ୍ତି । ଅବଶ୍ୟ ସୁସ୍ଥ ଲୋକଙ୍କ ସଂଖ୍ୟା ମଧ୍ୟ ପ୍ରତିଦିନ ବଢ଼ୁଛି । ଦିଲ୍ଲୀରେ ସଂକ୍ରମଣ ସ୍ଥିତି ଗୁରୁତର ହେଉଥିବାରୁ ତାହାର ମୁକାବିଲା ନେଇ ଏକ ଫଳପ୍ରଦ ରଣନୀତି ପ୍ରସ୍ତୁତ କରିବା ଲାଗି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ ଆଜି ବୈଠକ ଡକାଇଥିଲେ । ଦିଲ୍ଲୀ ଉପରାଜ୍ୟପାଳ ଅନୀଲ୍ ବୈଜଲ୍, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ୍ ସିଶୋଡ଼ିଆ, କେନ୍ଦ୍ର ଅର୍ଥମନ୍ତ୍ରୀ ହର୍ଷବର୍ଦ୍ଧନ ଏବଂ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଏହି ବୈଠକରେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

five × 2 =