ହୁହୁ ହୋଇ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା

0 209

ନୂଆଦିଲ୍ଲୀ: ସମସ୍ତ ପ୍ରକାର ଉଦ୍ୟମ ସତ୍ତେ୍ୱ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ିଚାଲିଛି । ଏହା ଏବେ ୩୧ ହଜାର ଅତିକ୍ରମ କରିଥିବା ବେଳେ ମୃତୁ୍ୟ ସଂଖ୍ୟା ୧ ହଜାର ଟପିଛି । ମଙ୍ଗଳବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସଂକ୍ରମଣରେ ମହାରାଷ୍ଟ୍ର ଶୀର୍ଷରେ ରହିଛି । ଭାରତରେ ମଙ୍ଗଳବାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୩୩୨ରେ ପହଞ୍ଚିଥିବା ବେଳେ ମୃତୁ୍ୟସଂଖ୍ୟା ୧ ହଜାର ୭କୁ ବୃଦ୍ଧି ପାଇଛି । ସେହିପରି, ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି । ଏହି ସଂଖ୍ୟା ଆଜି ୭୬୯୬ରେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ହଜାର ୬୨୯ ବୋଲି ମନ୍ତ୍ରାଳୟ ସୂତ୍ରରେ କୁହାଯାଇଛି । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଅତିକ୍ରମ କରିଛି । କେବଳ ମୁମ୍ବାଇରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାରରେ ପହଞ୍ଚିଛି । ଚାରିଶହରୁ ଅଧିକ ବ୍ୟକ୍ତି ରାଜ୍ୟରେ କରୋନା ରୋଗରେ ପ୍ରାଣ ହରାଇଲେଣି । ମୁମ୍ବାଇ ଓ ପୁନେରେ ପରିସ୍ଥିତି ସବୁଠୁ ସାଙ୍ଘାତିକ । ୩୬ ଜିଲ୍ଲା ମଧ୍ୟରୁ ୨୭ ଜିଲ୍ଲାରେ ପ୍ରତିଦିନ କରୋନା ରୋଗୀ ଚିହ୍ନଟ ହେଉଛନ୍ତି । କେବଳ ଦୁଇଟି ମାତ୍ର ରାଜ୍ୟ ବର୍ତ୍ତମାନ ସୁଦ୍ଧା ସଂକ୍ରମଣମୁକ୍ତ ରହିଛି । ସେଗୁଡ଼ିକ ହେଲା ୱାର୍ଦ୍ଧା ଓ ଗଡ଼ଚିରୋଲି । ଏହି ଦୁଇଟି ଜିଲ୍ଲାକୁ ଗ୍ରୀନ୍ ଜୋନରେ ରଖାଯାଇଛି । ଅନ୍ୟ ସାତୋଟି ଜିଲ୍ଲାରେ ସୁଧାର ଆସିଛି । ଅର୍ଥାତ ଗତ ସାତ ଦିନ ମଧ୍ୟରେ ଏହି ଜିଲ୍ଲାଗୁଡ଼ିକରେ କୌଣସି ନୂଆ ରୋଗୀ ଚିହ୍ନଟ ହୋଇନାହାନ୍ତି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି ଯେ, ମହାରାଷ୍ଟ୍ରର ସଚିବାଳୟରେ କରୋନା ପ୍ରବେଶ କରିଛି । ରାଜ୍ୟରେ ସଚିବାଳୟକୁ ମୁମ୍ବାଇ ମନ୍ତ୍ରାଳୟ କୁହାଯାଏ । ମନ୍ତ୍ରାଳୟର ଚାରିଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ସେଠାରେ କଟକଣା ଲାଗୁ କରାଯାଇଛି । ୨୯ ଓ ୩୦ ଦୁଇଦିନ ପାଇଁ ମନ୍ତ୍ରାଳୟ ବନ୍ଦ ରହିବ । ସେହିପରି, ଗତ ଚାରି ଦିନ ଭିତରେ ତିନି ଜଣ ପୁଲିସ୍ କର୍ମଚାରୀଙ୍କର କରୋନାରେ ମୃତୁ୍ୟ ଘଟିଛି । ଏହାପରେ ମୁମ୍ବାଇରେ କେତେକ ପୁଲିସ୍ କର୍ମଚାରୀଙ୍କୁ ଘରେ ରହିବା ପାଇଁ କୁହାଯାଇଛି । ବିଶେଷ କରି ଯେଉଁମାନଙ୍କର ବୟସ ୫୨ରୁ ଅଧିକ ଏବଂ ଯେଉଁମାନେ ବିଭିନ୍ନ ରୋଗରେ ପୀଡ଼ିତ ଅଛନ୍ତି, ସେମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ସେହିପରି, ରାଜଧାନୀ ନୂଆଦିଲ୍ଲୀରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ମଧ୍ୟପ୍ରଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୯୭ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ରାଜ୍ୟରେ ମୃତୁ୍ୟ ସଂଖ୍ୟା ୭୩ରେ ପହଞ୍ଚିଛି । ସେହିପରି, ୮୨୭ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସପ୍ତାହକ ମଧ୍ୟରେ ଦେଶର ୮୦ଟି ଜିଲ୍ଲାରୁ କୌଣସି ନୂଆ ରୋଗୀ ଚିହ୍ନଟ ହୋଇନାହାନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

nineteen − fifteen =