ରାମ ମନ୍ଦିର ଭୂମି ପୂଜନ କଲେ ପ୍ରଧାନମନ୍ତ୍ରୀ

0 102

ଅଯୋଧ୍ୟା : ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆଧାରଶୀଳା ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମ ଭୂମି ପୂଜନ ନାମରେ ନାମିତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସାଧୁସନ୍ଥ ଏବଂ ଆମନ୍ତ୍ରିତ ଅତିଥିମାନଙ୍କ ଉପସ୍ଥିତିରେ ମନ୍ଦିର ପାଇଁ ଆଧାରଶୀଳା ସ୍ଥାପନ କରିଥିଲେ । ଦିନ ଠିକ୍‌ ୧୨ଟା ୪୪ ମିନିଟ୍‌ ୮ ସେକେଣ୍ଡରେ ଆଧାରଶୀଳା ସ୍ଥାପନ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଏହାପରେ ମୋଦି ଉପସ୍ଥିତ ଅତିଥିବୃନ୍ଦଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଆଜି ହେଉଛି ଏକ ଐତିହାସିକ ଦିବସ ଏବଂ ଆଧାରଶୀଳା ସ୍ଥାପନ ହେଉଛି ଐତିହାସିକ ଓ ଅବିସ୍ମରଣୀୟ ମୁହୂର୍ତ୍ତ । ପ୍ରଭୁ ଶ୍ରୀରାମ ହେଉଛନ୍ତି ଭାରତୀୟ ତଥା ଆମ ସଂସ୍କୃତିର ଆଧାର । ଆଜି ଶୀଳା ସ୍ଥାପନ ହେବା ସହ କୋଟିକୋଟି ହିନ୍ଦୁ ଭକ୍ତଙ୍କର ଦୀର୍ଘ ବର୍ଷର ସ୍ୱପ୍ନ ସାକାର ହୋଇଛି ବୋଲି ସେ କହିଥିଲେ ।
‘ଜୟଶ୍ରୀରାମ’ ଧ୍ୱନି ଉଚ୍ଚାରଣ କରି ପ୍ରଧାନମନ୍ତ୍ରୀ ମୋଦି କହିଲେ, କେବଳ ପ୍ରଭୁ ରାମଙ୍କ ନଗରୀରେ ନୁହେଁ ସମଗ୍ର ବିଶ୍ୱରେ ଏହି ଧ୍ୱନି ଗୁଞ୍ଜରିତ ହେଉଛି । ଦୀର୍ଘ ବର୍ଷ ଧରି ଶିବିରରେ ବାସ କରୁଥିବା ଆମ ରାମ ଲାଲାଙ୍କ ପାଇଁ ବିଶାଳ ମନ୍ଦିରଟିଏ ତୋଳାଯିବ । ଆଜି ରାମ ଜନ୍ମଭୂମି ଭଗ୍ନ ଚକ୍ରରୁ ମୁକ୍ତ ହୋଇ ପୁଣି ନିର୍ମାଣ ହେବାକୁ ଯାଉଛି । ଅଯୋଧ୍ୟାରେ ଭାରତ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରୁଛି । ଯୁଗ ଯୁଗ ପ୍ରତୀକ୍ଷାର ଅବସାନ ଘଟିଛି । ଏହି ମନ୍ଦିର ଆମ ଭକ୍ତି, ଜାତୀୟ ଆବେଗର ସଙ୍କେତ ହେବ । ଏହି ମନ୍ଦିର ଆମ କୋଟି କୋଟି ଜନତାଙ୍କ ସାମୂହିକ ପ୍ରତିବଦ୍ଧତାର ସଙ୍କେତ ହେବ । ଏହା ଆମ ଆଗାମୀ ବଂଶଜମାନଙ୍କୁ ଉତ୍ସାହ ଦେବ । ରାମ ମନ୍ଦିର ନିର୍ମାଣ ଦ୍ୱାରା କେବଳ ଇତିହାସ ସୃଷ୍ଟି ହେଉନାହିଁ, ଇତିହାସର ପୁନରାବୃତ୍ତି ହେଉଛି । ନାବିକ ଜନଜାତି ଯେମିତି ପ୍ରଭୁ ଶ୍ରୀରାମଙ୍କୁ ସହାୟକ ହୋଇଥିଲେ, ଗୋବର୍ଦ୍ଧନ ଉଠାଇବାରେ ପିଲାଏ ଯେମିତି ପ୍ରଭୁ କୃଷ୍ଣଙ୍କୁ ସାହାଯ୍ୟ କରିଥିଲେ ସେଭଳି ସମସ୍ତଙ୍କ ଉଦ୍ୟମରେ ମନ୍ଦିର ନିର୍ମାଣ ସମାପନ ହେବ ।
ଜୀବଦଶା ମଧ୍ୟରେ ରାମ ମନ୍ଦିର ନିର୍ମାଣ ସ୍ୱପ୍ନ ସାକାର ହେବା ଦେଖିପାରି ନ ଥିବା ପୂର୍ବପିଢ଼ିଙ୍କ ସ୍ୱପ୍ନ ପୂରଣ କରିଥିବାରୁ ପ୍ରଥମେ ବକ୍ତବ୍ୟ ଆରମ୍ଭ କରି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ ଆହୁରି ମଧ୍ୟ କହିଲେ ଯେ, ବିବାଦ କିଭଳି ଶାନ୍ତିପୂର୍ଣ୍ଣ, ଗଣତାନ୍ତ୍ରିକ ଓ ମାମ୍ବିଧାନିକ ଭାବେ ସମାଧାନ ହୋଇପାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଗଣତାନ୍ତ୍ରିକ ମୂଲ୍ୟବୋଧର କ୍ଷମତା ଏବଂ ତାହାର ନ୍ୟାୟପାଳିକା ବିଶ୍ୱକୁ ଦେଖାଇ ଦେଇଛି । ବକ୍ତବ୍ୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତ କହିଲେ, ସମଗ୍ର ଦେଶରେ ଆଜି ଆନନ୍ଦର ତରଙ୍ଗ । ଯୁଗ ଯୁଗର ଆଶ ପୂର୍ଣ୍ଣ ହେବାର ଆନନ୍ଦ । ସବୁଠାରୁ ଆନନ୍ଦର ବିଷୟ ହେଲା, ଭାରତକୁ ଆତ୍ମନିର୍ଭର କରିବାକୁ ଯେଉଁ ଆତ୍ମବିଶ୍ୱାସର ଆବଶ୍ୟକତା ଥିଲା ତାହାର ଶୁଭ-ସାକାର ଅଧିଷ୍ଠାନ ଆଜି ହେଉଅଛି । ସେ ପୁଣି କହିଛନ୍ତି ଯେ, ରାମ ମନ୍ଦିର ନିର୍ମାଣ ଲାଗି ୨୦/୩୦ ବର୍ଷ ଲାଗିବ ବୋଲି ଆର୍‌ଏସ୍‌ଏସ୍‌ ଜାଣିଥିଲା । ଶେଷରେ ତିନି ଦଶନ୍ଧି ପରେ ସ୍ୱପ୍ନ ସାକାର ହେଲା । ଆମ ଦେଶ ବସୁଦେବ କୁଟୁମ୍ବକମ୍‌ରେ ବିଶ୍ୱାସ କରେ । ଆମ ଦେଶବାସୀଙ୍କର ଏହି ସ୍ୱଭାବ ସବୁ ସମସ୍ୟା ସମାଧାନର ଉପାୟ ବତାଇ ଦିଏ ।

hiranchal ad1
Leave A Reply

Your email address will not be published.

2 × two =