କରୋନା ସଙ୍କଟରୁ ଅନେକ ଶିକ୍ଷା ମିଳିଛି

0 98

ବେଙ୍ଗାଲୁର : କରୋନା ଭାଇରସ ସଂକ୍ରମଣ ସଂକଟରୁ ଆମକୁ ଅନେକ ଶିକ୍ଷା ମିଳିଛି । ସଂକଟକୁ କିପରି ସୁଯୋଗରେ ପରିଣତ କରାଯାଇପାରିବ ତାହା ଏହି ପରିସ୍ଥିତି ଆମକୁ ଶିଖାଇଛି । ଦେଶର ନାଗରିକମାନେ ମଧ୍ୟ ସମସ୍ୟାକୁ ସୁଯୋଗରେ ପରିଣତ କରିବା ଲାଗି ପ୍ରତିଜ୍ଞାବଦ୍ଧ ଥିବା ଲକ୍ଷ୍ୟ କରାଯାଉଛି । ଏହି ପରିସ୍ଥିତିରୁ ଏକ ବଡ଼ ପରିବର୍ତ୍ତନ ସୃଷ୍ଟି ହୋଇଛି । ତାହା ହେଉଛି ଆତ୍ମନିର୍ଭର ଭାରତ । ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି)ର ବାର୍ଷିକ ପୂର୍ଣ୍ଣ ଅଧିବେଶନକୁ ଆଜି ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି । ସେ କହିଛନ୍ତି ଯେ, ସାରା ବିଶ୍ୱ ବର୍ତ୍ତମାନ କରୋନା ବିରୋଧରେ ସଂଗ୍ରାମ କରୁଛି । ଭାରତ ମଧ୍ୟ ତା’ର ସମସ୍ତ ସାମର୍ଥ୍ୟ ଓ ଶକ୍ତି ଖଟାଇ ସଂଘର୍ଷ କରୁଛି । ସଂକଟର ମୁକାବିଲା ପାଇଁ ସମସ୍ତ ସାଧନକୁ ବ୍ୟବହାର କରାଯାଉଛି । ପ୍ରତିକୂଳ ପରିସ୍ଥିତିରେ କିଭଳି ବଞ୍ଚିବାକୁ ହେବ ଏବଂ ଆଗକୁ ଅଗ୍ରସର ହେବ, ତାହା କରୋନା ପରିସ୍ଥିତି ଆମକୁ ଶିକ୍ଷା ଦେଇଛି । ଏହି ସଂକଟ ବେଳେ ବହୁ ସମସ୍ୟା ମୁଣ୍ଡ ଟେକିଛି । ଯାହା ପୂର୍ବରୁ କେବେବି ଦେଖା ଦେଇନଥିଲା । ଦେଶ ଏକ ଅଦ୍ଭୁତ ପରିସ୍ଥିତି ମଧ୍ୟରେ ଗତି କରୁଛି । କରୋନା ସମୟରେ କେତେକ ରାଜ୍ୟ ବାତ୍ୟାର ସମ୍ମୁଖୀନ ହୋଇଛନ୍ତି । ଦେଶରେ ପଙ୍ଗପାଳଙ୍କ ଆକ୍ରମଣ ହୋଇଛି । ତା’ସାଙ୍ଗକୁ ଭୂମିକମ୍ପ ମଧ୍ୟ ହୋଇଛି । ଏହିସବୁ ସମସ୍ୟାକୁ ସରକାର ଓ ଦେଶବାସୀ ଧୈର୍ଯ୍ୟ, ସାହାସ ଓ ବୁଦ୍ଧିର ସହ ସାମ୍ନା କରିଛନ୍ତି । ଆମର ସଂକଳ୍ପ ଓ ଦୃଢ଼ ନିଷ୍ପତ୍ତି ଆମକୁ ଆଗକୁ ଯିବାରେ ସାହାଯ୍ୟ କରୁଛି । ଏହାହିଁ ସବୁଠୁ ବଡ଼ ବଳ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆଇସିସି ସଂପର୍କରେ ସେ କହିଲେ ଯେ, ଏହି ସଂଗଠନ ୯୫ ବର୍ଷ ଅତିକ୍ରମ କରିବାକୁ ଯେତିକି ଆଶ୍ଚର୍ଯ୍ୟର ବିଷୟ, ସେତିକି ଖୁସିର ବିଷୟ ମଧ୍ୟ । ଆଇସିସି ଦୀର୍ଘ ଦିନ ଧରି ଲୋକପ୍ରିୟ ହୋଇ କାର୍ଯ୍ୟ କରୁଛି । ଦେଶର ଅଭିବୃଦ୍ଧି କ୍ଷେତ୍ରରେ ଏହାର ପ୍ରମୁଖ ଭୂମିକା ରହିଛି । ଆଗକୁ ଆହୁରି ଏହା ଭାରତର ଅର୍ଥନୀତିକୁ ସୁଦୃଢ଼ କରିବାରେ କାର୍ଯ୍ୟ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

hiranchal ad1
Leave A Reply

Your email address will not be published.

fourteen + 10 =