ପଶ୍ଚିମବଙ୍ଗ ସ୍ଥିତି ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ

0 73

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନରେ ପଶ୍ଚିମବଙ୍ଗ ଗସ୍ତରେ ଆସି ଅମ୍ଫନ ବାତ୍ୟା ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ଅନୁଧ୍ୟାନ କରିଛନ୍ତି । ଏହାପରେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ସମଗ୍ର ସ୍ଥିତି ଅନୁଧ୍ୟାନ କରିବା ପରେ ପ୍ରଧାନମନ୍ତ୍ରୀ କ୍ଷୟକ୍ଷତିର ମୁକାବିଲା ପାଇଁ ଏକ ହଜାର କୋଟି ଟଙ୍କାର ଆଗୁଆ ପ୍ୟାକେଜ୍ ଘୋଷଣା କରିଛନ୍ତି । ଖୁବ୍‌ଶୀଘ୍ର ଏକ କେନ୍ଦ୍ରୀୟ ଟିମ୍ ରାଜ୍ୟ ଗସ୍ତରେ ଆସିବେ । ସେମାନେ କ୍ଷୟକ୍ଷତି ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ତାହାକୁ ଆଧାର କରି ପୁଣି ଆର୍ଥିକ ସହାୟତା ଘୋଷଣା କରାଯିବ ବୋଲି ମୋଦି ସୂଚନା ଦେଇଛନ୍ତି । ସମୀକ୍ଷା ବୈଠକରେ ମୋଦି କହିଥିଲେ ଯେ, ବର୍ତ୍ତମାନର ଦୁର୍ଦ୍ଦିନ ସମୟରେ ପଶ୍ଚିମବଙ୍ଗ ସହ ସମଗ୍ର ଦେଶ ରହିଛି । ଭାରତ ସରକାର ଏହି ରାଜ୍ୟକୁ ବିପଦର ମୁକାବିଲା ପାଇଁ କୌଣସି ପ୍ରକାର ସହାୟତା ଦେବାରେ ଆଦୌ ପଛାଇବେ ନାହିଁ । ରାଜ୍ୟ ବର୍ତ୍ତମାନ ଦୁଇ ଦୁଇଟି ବିପଦର ସାମ୍ନା କରୁଛି । ଗୋଟିଏ ହେଉଛି ମହାମାରୀ କରୋନା ସଂକ୍ରମଣ ଓ ଅନ୍ୟଟି ହେଉଛି ଅମ୍ଫନ ବାତ୍ୟା । ବାତ୍ୟାରେ ଓଡ଼ିଶା ଅପେକ୍ଷା ପଶ୍ଚିମବଙ୍ଗରେ ଅଧିକ କ୍ଷତି ଘଟିଛି । ବାତ୍ୟା ପ୍ରଭାବରେ ରାଜ୍ୟରେ ୮୦ଜଣ ଲୋକ ପ୍ରାଣ ହରାଇଛନ୍ତି । ଆହୁରି ବହୁ ଲୋକ ଆହତ ହୋଇଛନ୍ତି । ଚୂଡ଼ାନ୍ତ ଅନୁଧ୍ୟାନ ପରେ କ୍ଷୟକ୍ଷତି ସ୍ପଷ୍ଟ ହେବ । କେନ୍ଦ୍ର ସରକାର ରାଜ୍ୟମାନଙ୍କ ସହ କାନ୍ଧକୁ କାନ୍ଧ ମିଳାଇ କାମ କରିବାକୁ ଚାହାଁନ୍ତି । ପଶ୍ଚିମବଙ୍ଗରେ ହୋଇଥିବା କ୍ଷତିର ଭରଣା ପାଇଁ କେନ୍ଦ୍ର ସରକାର ସବୁ ପ୍ରକାର ସହାୟତା ଦେବା ପାଇଁ ପ୍ରସ୍ତୁତ । ଏହି ବିପତ୍ତିରୁ ରାଜ୍ୟବାସୀ ଖୁବ୍‌ଶୀଘ୍ର ମୁକୁଳିଯିବେ ବୋଲି ସେ ଆଶାପ୍ରକାଶ କରିଥିଲେ । ତା\’ ସହିତ ବାତ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଲେଖାଏଁ ଅନୁକମ୍ପା ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧନମନ୍ତ୍ରୀ ଶ୍ରୀ ମୋଦି ଘୋଷଣା କରିଛନ୍ତି ।

hiranchal ad1
Leave A Reply

Your email address will not be published.

fourteen + fourteen =