ନୂଆଦିଲ୍ଲୀ : କରୋନା ସଙ୍କଟ ବେଳେ ଦେଶର ଆର୍ଥିକ ସ୍ଥିତି ସୁଧାରିବାକୁ ପ୍ରଧାନମନ୍ତ୍ରୀଙ୍କ “ଆତ୍ମନିର୍ଭର ଭାରତ’ ରିଲିଫ୍ ପ୍ୟାକ୍ଜ୍କୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଥର ଥର କରି ପାଞ୍ଚ ଥରରେ ୨୦ ଲକ୍ଷ କୋଟିକୁ ଭାଗ ବାଣ୍ଟି ଦେଇଛନ୍ତି । ଗତ ଚାରିଦିନ ହେଲା କେଉଁ ବିଭାଗ ପାଇଁ କେତେ କୋଟି, କେଉଁଥିପାଇଁ କ’ଣ ସବୁ ଖର୍ଚ୍ଚ ହେବ ଆଦି ପ୍ୟାକେଜ୍ ଘୋଷଣା କରିଥିଲା ବେଳେ ଆଜି ପଞ୍ଚମ ତଥା ଶେଷ କିସ୍ତି ବିଷୟରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମଧ୍ୟ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଦେଶ ଆଜି ବିଭିନ୍ନ ସଙ୍କଟ ଦେଇ ଗତି କରୁଥିଲେ ମଧ୍ୟ ଆମକୁ ଆତ୍ମନିର୍ଭରଶୀଳ ଭାରତ ଗଠନ କରିବାକୁ ହେବ । ଆର୍ଥିକ ସଙ୍କଟ ସତ୍ତ୍ୱେ୍ୱ ଆମକୁ ଆଗକୁ ବଢ଼ିବାକୁ ହେବ । ଗରିବ କଲ୍ୟାଣ ଯୋଜନାରେ ଲୋକଙ୍କ ଖାତାକୁ ସିଧାସଳଖ ଟଙ୍କା ଯାଇଛି । ଉଜ୍ଜ୍ୱଳା ଯୋଜନା ୬.୮୧ କୋଟି ମାଗଣା ସିଲିଣ୍ଡର ଯୋଗାଇ ଦିଆଯାଇଛି । ଲକ୍ଡାଉନ୍ ସମୟରେ ଗରିବଙ୍କ ପାଇଁ ତିନି ମାସର ମାଗଣା ରାସନ ମଧ୍ୟ ଯୋଗାଇ ଦିଆଯାଇଛି । ୯.୧୯ କୋଟି କୃଷକଙ୍କ ଖାତାକୁ ଦୁଇ ଦୁଇ ହଜାର ଲେଖାଏଁ ଟଙ୍କା ଦିଆଯାଇଛି । ୨୦ କୋଟି ମହିଳାଙ୍କ ଜନଧନ ଆକାଉଣ୍ଟକୁ ୧୦,୦୨୫ କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି । ୨.୨୦ କୋଟି ନିର୍ମାଣ ଶ୍ରମିକଙ୍କୁ ସିଧାସଳଖ ବ୍ୟାଙ୍କ ଖାତାରେ ଟଙ୍କା ଯୋଗାଇ ଦିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ସୀତାରମଣ ସାମ୍ବାଦିକମାନଙ୍କୁ କହିଥିଲେ । ସେ ପୁଣି କହିଥିଲେ ଯେ, ସ୍ୱାସ୍ଥ୍ୟ ବିଭାଗକୁ ୧୫ ହଜାର କୋଟି ଟଙ୍କା ଦିଆଯାଇଥିଲା ବେଳେ ଟେଷ୍ଟିଂ ଲ୍ୟାବ କିଟ୍ ପାଇଁ ୫୫୦ କୋଟି ଏବଂ କରୋନା ସହ ଲଢ଼ୁଥିବା ସ୍ୱାସ୍ଥ୍ୟକର୍ମୀ ପାଇଁ ୫୦ ଲକ୍ଷ ଟଙ୍କାର ବୀମା ରାଶି ଘୋଷଣା କରାଯାଇଛି । ସେ ଆଜିର ସାମ୍ବାଦିକ ସମ୍ମିଳନୀରେ ଆଉ ଏକ ବଡ଼ ଘୋଷଣା କରି କହିଥିଲେ ଯେ, ଖୁବ୍ଶୀଘ୍ର ଏକ ମଲ୍ଟି ମୋଡ଼୍ ଡିଜିଟାଲ୍ ଅନ୍ଲାଇନ୍ ଶିକ୍ଷାଦାନ ପ୍ଲାଟଫର୍ମ ପିଏମ୍ ଇ-ବିଦ୍ୟା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ । ଏଥିରେ ସ୍କୁଲ ଶିକ୍ଷାକୁ ଆଧାର କରି ଦୀକ୍ଷା ପ୍ଲାଟଫର୍ମ ଯୋଜନାକୁ ଅନ୍ତର୍ଭୁକ୍ତ କରାଯିବ । ଦଶମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୱାନ୍ କ୍ଳାସ୍ ୱାନ ଚ୍ୟାନେଲ୍ ବ୍ୟବସ୍ଥା କରାଯିବ । ଦିବ୍ୟାଙ୍ଗ ପିଲାଙ୍କୁ ଅନ୍ଲାଇନରେ ପଢ଼ାଇବା ପାଇଁ ବ୍ୟବସ୍ଥା କରାଯିବ । ସର୍ବୋଚ୍ଚ ୧୦୦ଟି ବିଶ୍ୱବିଦ୍ୟାଳୟକୁ ଅନ୍ଲାଇନ୍ କୋର୍ସ ଲାଗି ମଞ୍ଜୁରୀ ମିଳିବ । ପିଲାମାନଙ୍କ ପାଇଁ ମନୋଦର୍ପଣ ଯୋଜନା ଆରମ୍ଭ ହେବ ।