ଅତ୍ୟାବଶ୍ୟକ ଦ୍ରବ୍ୟ ସୂଚୀରୁ ବାଦ୍ପଡ଼ିଲା ଫେସ୍ ମାସ୍କ ଓ ସାନିଟାଇଜର

0 76

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ସୂଚୀରୁ ସରକାର ଫେସ୍ ମାସ୍କ ଓ ସାନିଟାଇଜରକୁ ବାଦ୍ ଦେଇଛନ୍ତି । ଗତ ମାର୍ଚ୍ଚ ମାସରେ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏହି ଦୁଇଟି ଦ୍ରବ୍ୟକୁ ଅତ୍ୟାବଶ୍ୟକ ସୂଚୀ ବା ଏସେନ୍ସିଆଲ୍ କମୋଡିଟି ଆକ୍ଟରେ ଅନ୍ତର୍ଭୁକ୍ତ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସରକାର ତାଙ୍କର ପୂର୍ବ ନିଷ୍ପତ୍ତିକୁ ବଦଳାଇ ଏହି ଦୁଇଟି ସାମଗ୍ରୀକୁ ତାଲିକାରୁ ବାଦ୍ ଦେଇଛନ୍ତି ।
ନିଷ୍ପତ୍ତିକୁ ନେଇ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଫେସ୍ ମାସ୍କ ଏବଂ ହ୍ୟାଣ୍ଡ ସାନିଟାଇଜରର ଉପଲବ୍ଧତା କିମ୍ବା ସୁଲଭତା ସମ୍ପର୍କରେ ରାଜ୍ୟରୁ କୌଣସି ଅଭିଯୋଗ ନଆସିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଅତ୍ୟାବଶ୍ୟକ ତାଲିକାରୁ ଉତ୍ପାଦଗୁଡିକୁ ସରକାର ହଟାଇବା ପରେ ଏହି ଦୁଇଟି ଜିନିଷର ଉତ୍ପାଦନରେ ନିୟୋଜିତ ଥିବା କମ୍ପାନୀଗୁଡିକ ଏବେ ନିଜ ହିସାବରେ ଫେସ୍ ମାସ୍କ ଏବଂ ସାନିଟାଇଜର ମୂଲ୍ୟ ଧାର୍ଯ୍ୟ କରିପାରିବେ । ଫେସ୍ ମାସ୍କ ଏବଂ ସାନିଟାଇଜର ତିଆରି କରିବା ପାଇଁ କମ୍ପାନିମାନେ ବ୍ୟବହାର କରୁଥିବା ଉପାଦାନ ହିସାବରେ ଏହାର ମୂଲ୍ୟ କମ ବା ବଢ଼ାଇ ପାରିବେ ।
ଜରୁରୀ ଦ୍ରବ୍ୟ ଅଧିନିୟମ ୧୯୫୫ରେ ସମସ୍ତ ଦ୍ରବ୍ୟର ମୂଲ୍ୟ ଏବଂ ଷ୍ଟକକୁ ନିୟନ୍ତ୍ରଣ କରିବା ପାଇଁ କଠୋର ବ୍ୟବସ୍ଥା ରହିଛି, ଯାହା ଆଇନ ଅନୁଯାୟୀ “ଜରୁରୀ” ଭାବରେ ତାଲିକାଭୁକ୍ତ । ମାର୍ଚ୍ଚ ମାସରେ ଦେଶରେ କୋଭିଡ-୧୯ ମାମଲା ବଢ଼ିବା ଆରମ୍ଭ ହେବାପରେ ବଜାରରେ ଫେସ୍ ମାସ୍କ ଏବଂ ହ୍ୟାଣ୍ଡ ସାନିଟାଇଜର ଅଭାବ ଦେଖାଯାଇଥିଲା । ଏହାକୁ ନଜରରେ ରଖି ସରକାର ଦ୍ରବ୍ୟର ମୂଲ୍ୟ ଏବଂ ଷ୍ଟକକୁ ନିୟନ୍ତ୍ରଣ କରିବା ପାଇଁ ଫେସ୍ ମାସ୍କ ଏବଂ ହ୍ୟାଣ୍ଡ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ସୂଚୀରେ ସାମିଲ କରିଥିଲେ ।

hiranchal ad1
Leave A Reply

Your email address will not be published.

eighteen − 16 =