ହାଇଦ୍ରାବାଦ : ସାରା ଦେଶରେ ଲକ୍ଡାଉନ୍ ଜାରି ହୋଇଥିଲେ ମଧ୍ୟ ଜନ୍ମଦିନ ଉତ୍ସବ ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି । ଏଥିପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି ହୋଇଛି । ଉତ୍ସବ ପାଇଁ ଏଥିରେ କେତେକ ନିର୍ଦ୍ଧିଷ୍ଟ ସର୍ତ୍ତ ରହିଛି । ଏଭଳି ଅନୁମତି ମିଳିବା ପରେ ଦେଶରେ ବିବାହ ଉତ୍ସବ ଘଟଣା ଧିରେ ଧିରେ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି । ତେବେ ଅପରପକ୍ଷରେ ଏହା ଭୟଙ୍କର ବିପଦ ମଧ୍ୟ ସୃଷ୍ଟି କରୁଛି । ସଂକ୍ରମଣକୁ ରୋକିବା ପାଇଁ ଭିଡ଼ ଉପରେ କଟକଣା ଲାଗୁ କରାଯାଇଥିବା ବେଳେ ଜନ୍ମଦିନ ଉତ୍ସବରେ ହେଉଥିବା ଭିଡ଼ ନେଇ କେହି ଚିନ୍ତା କରୁନାହାଁନ୍ତି । ଯାହାଫଳରେ ଏଭଳି ଉତ୍ସବରୁ କରୋନା ସଂକ୍ରମଣ ସମସ୍ୟା ଦ୍ୱିଗୁଣିତ ହେଉଛି । ଏହାର ଜ୍ୱଳନ୍ତ ଉଦାହରଣ ଏବେ ହାଇଦ୍ରାବାଦରେ ଦେଖିବାକୁ ମିଳିଛି । ନିକଟରେ ଏଠାରେ ଏକ ଜନ୍ମ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ୪୫ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଜଣେ ବ୍ୟବସାୟୀ ତାଙ୍କ ସାଙ୍ଗର ବାହାଘର ଉପଲକ୍ଷେ ଉତ୍ସବର ଆୟୋଜନ କରିଥିଲେ । ଯେଉଁ ଅଞ୍ଚଳରେ ଉତ୍ସବ ହୋଇଥିଲା ତାହା ଏକ କଣ୍ଟେନମେଣ୍ଟ ତଥା ହଟ୍ସ୍ପଟ୍ ଅଞ୍ଚଳ । ତେଣୁ ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ, ଏଭଳି ଏକ ସ୍ଥାନରେ ଉତ୍ସବ ପାଇଁ ଅନୁମତି ଦିଆଗଲା କିପରି? ଏହି ବ୍ୟବସାୟୀ ଜଣକ ପୂର୍ବରୁ ଆକ୍ରାନ୍ତ ଥିଲେ । ତାଙ୍କଠାରୁ ସମସ୍ତଙ୍କୁ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି ।