ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ସନ୍ତ୍ରାସବାଦ ବିରୋଧୀ ଲଢ଼େଇରେ ସେନାକୁ ଏକ ବଡ଼ ସଫଳତା ମିଳିଛି । ଆଜି ହୋଇଥିବା ଏନ୍କାଉଣ୍ଟରରେ ହିଜବୁଲ୍ ମୁଜାହିଦ୍ଦିନ୍ ସନ୍ତ୍ରାସବାଦୀ ଗୋଷ୍ଠୀର କୁଖ୍ୟାତ ଆତଙ୍କବାଦୀ ତଥା ଜଣେ ଅତି ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ରିଆଜ୍ ନାଇକୁ ନିହତ ହୋଇଛି । ତା’ସହିତ ତା’ର ଆଉ ଦୁଇଜଣ ସହଯୋଗୀ ମଧ୍ୟ ଏହି ଏନ୍କାଉଣ୍ଟରରେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି । ଜଣେ ବରିଷ୍ଠ ସେନାଧିକାରୀ ବୁଧବାର ଏହି ତଥ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ନାଇକୁ ହିଜବୁଲ୍ ମୁଜାହିଦ୍ଦିନ୍ର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ । ସେ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଯଥେଷ୍ଟ ଜ୍ଞାନ ହାସଲ କରିଥିଲା । କାଶ୍ମୀର ଉପତ୍ୟକାରେ ହିଜବୁଲ୍ ଆତଙ୍କବାଦୀମାନଙ୍କୁ ଏକଜୁଟ କରି ରଖିବା ଦିଗରେ ସେ କାର୍ଯ୍ୟ କରୁଥିଲା । ଉପତ୍ୟକାରେ ହିଜବୁଲ୍ ମୁଜ୍ଜାହିଦ୍ଦିନ୍ ଗୋଷ୍ଠୀକୁ ନିଷିଦ୍ଧ ଘୋଷଣା କରାଯାଇଛି । ଏହି ଅଞ୍ଚଳରେ ନାଇକୁ ହିଜବୁଲ୍ ଶାଖାର ନେତୃତ୍ୱ ଦାୟିତ୍ୱ ନେଇଥିଲା । ପୁଲୱାମା ଜିଲ୍ଲାର ବିଘବୋରା ଗ୍ରାମରେ ସେ ରହୁଥିବା ସଂପର୍କରେ ଖବର ପାଇ ଏକ ସେନା ଦଳ ସେଠାରେ ଆଜି ସକାଳେ ପହଞ୍ଚିଥିଲେ । ସେମାନଙ୍କ ସହିତ ଏକ ପୁଲିସ୍ ଟିମ୍ ମଧ୍ୟ ଯୋଗ ଦେଇଥିଲା । କାଶ୍ମୀର ପୁଲିସ୍ ଡିଜି ଦିଲବାଗ୍ ସିଂ ଏହି ସମଗ୍ର ଅଭିଯାନର ତତ୍ତ୍ୱାବଧାନ ଦାୟିତ୍ୱ ନେଇଥିଲେ । ସମ୍ପୃକ୍ତ ସ୍ଥାନକୁ ଚାରିପଟୁ ଘେରାଉ କରାଯିବା ପରେ ଆତ୍ମସମର୍ପଣ ପାଇଁ କୁହାଯାଇଥିଲା । କିନ୍ତୁ ଆତ୍ମ ସମର୍ପଣ ନକରିବାରୁ ଏନ୍କାଉଣ୍ଟର କରାଯାଇଥିଲା । ଉଭୟ ପକ୍ଷ ମଧ୍ୟରେ କିଛି ସମୟ ଗୁଳି ବିନିମୟ ପରେ ନାଇକୁ ଓ ତା\’ର ଦୁଇ ସହଯୋଗୀଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ନାଇକୁର ନିପାତ୍ତ ଉଭୟ ପୁଲିସ୍ ଓ ସେନା ପାଇଁ ଏକ ବଡ଼ ସଫଳତା ବୋଲି ସେ କହିଛନ୍ତି । ହିଜବୁଲ୍ ଗୋଷ୍ଠୀରେ ଯୋଗଦେବା ପୂର୍ବରୁ କାଶ୍ମୀର ଉପତ୍ୟକାରେ ନାଇକୁ ସ୍କୁଲ ପିଲାଙ୍କୁ ଟ୍ୟୁସନ କରି ଚଳୁଥିଲା ।