ନୂଆଦିଲ୍ଲୀ : କରୋନା ସଂକଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ରାଷ୍ଟ୍ରବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଦେଶ ଗତ ୪ ମାସ ହେଲାଣି ମହାମାରୀ କୋରନା ଲଢେଇ କରୁଛି । ଦେଶରେ କେତେକ ପରିବାର ନିଜ ନିଜର ଆତ୍ମୀୟଙ୍କୁ ହରାଇଛନ୍ତି । ତାଙ୍କର ଅମର ଆତ୍ମାର ସଦଗତି କାମନା କରୁଛି । ସେ କହିଛନ୍ତି ଏମିତି ସଂକଟ ଆଗରୁ କେବେ ଦେଖିବାକୁ ମିଳିଥିଲା ନା ଆମେ ଜାଣିଥିଲେ । ଏହି ଅବସରରେ ସେ ଏକ ବଡ ଘୋଷଣା କରିଛନ୍ତି । ୨୦ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ସେ ଘୋଷଣା କରିଛନ୍ତି । ଏହା ଭାରତ ଜିଡିପିର ୧୦ ପ୍ରତିଶତ ବୋଲି ସେ କହିଛନ୍ତି । ଏହା ଜରିଆରେ ଦେଶର ବିଭିନ୍ନ ବର୍ଗଙ୍କୁ, ବ୍ୟବସ୍ଥାକୁ ୨୦ ଲକ୍ଷ କୋଟି ଟଙ୍କା ମିଳିବ । ଏହି ପ୍ୟାକେଜ୍ ୨୦୨୦ରେ ଦେଶର ବିକାଶ ଯାତ୍ରାକୁ ଏକ ନୂଆ ଗତି ଦେବ । ଆତ୍ମ ନିର୍ଭର ଭାରତକୁ ଏହି ପ୍ୟାକେଜରେ ଭୂମି, ଶ୍ରମିକ ଓ ଆଇନ କ୍ଷେତ୍ରରେ ସମସ୍ତଙ୍କୁ ସହଯୋଗ କରିବ । ଏହା କୁଟୀର ଶିଳ୍ପ, ଗୃହଦ୍ୟୋଗ, ଲଘୁ ଉଦ୍ୟୋଗ ପାଇଁ ସହାୟକ ହେବ । ଏହା ଦେଶର ମଧ୍ୟମ ବର୍ଗ ପାଇଁ ମଧ୍ୟ ଅଟେ । ଆଗାମୀ କିଛି ଦିନରେ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ସମସ୍ତ ତଥ୍ୟ ପ୍ରଦାନ କରାଯିବ । ସରକାରୀ ଦପ୍ତର ବନ୍ଦ ଥିବା ସତ୍ତ୍ୱେ ଲୋକଙ୍କ ପାଖରେ ଆର୍ଥିକ ସହାୟତା ପହଁଚିଛି । ଏହି ପ୍ୟାକେଜରେ ଅନେକ ପ୍ରାବଧାନ କରାଯାଇଛି । ସେହିପରି ଲକଡାଉନ ୪ ମଧ୍ୟ ଦେଶରେ ଜାରି ରହିବ ବୋଲି ଆଗୁଆ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଲକଡାଉନ ୪.୦ ଏକ ନୂଆ ରୂପରେ ଆସିବ । ଏହାର ଗାଇଡ ଲାଇନ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା ମଇ ୧୮ ତାରିଖ ପୂର୍ବର ଜାରି ହେବ ବୋଲି ସେ କହିଛନ୍ତି ।