କରୋନା କ୍ଷତିଗ୍ରସ୍ତଙ୍କ ପାଇଁ ୧.୧ ଲକ୍ଷ କୋଟିର ଋଣ ପ୍ୟାକେଜ ଘୋଷଣା କଲେ ଅର୍ଥମନ୍ତ୍ରୀ

0 167

ନୂଆଦିଲ୍ଲୀ: ଦେଶରେ କରୋନାର ଭୟଙ୍କର ସଂକ୍ରମଣ ଯୋଗୁ ଆର୍ଥିକ ସ୍ଥିତି ଦୋହଳିଯାଇଛି । ଛୋଟ,ମଧ୍ୟମ ଓ ବଡ଼ କଂପାନୀ ସମସ୍ତେ ପ୍ରଭାବିତ ହୋଇଛନ୍ତି । ବହୁ କ୍ଷୁଦ୍ର ବେପାରୀ ଭୀଷଣଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହାକୁ ଆଖି ଆଗରେ ରଖି ସେମାନଙ୍କୁ ଅଣ୍ଟା ସଳଖି ଛିଡ଼ା ହେବାଲାଗି ବଳ ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ମହତ୍ୱପୂର୍ଣ୍ଣ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । କ୍ଷତିଗ୍ରସ୍ତ ବ୍ୟବସାୟିକ କ୍ଷେତ୍ରଗୁଡିକ ପାଇଁ ସରକାର ଜରୁରୀ ଋଣ ସହାୟତାର ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ଷତିଗ୍ରସ୍ତଙ୍କ ପାଇଁ ୧.୧ ଲକ୍ଷ କୋଟି ଟଙ୍କାର ଋଣ ଘୋଷଣା କରିଛନ୍ତି । ଋଣ ପାଇଁ ପୂର୍ବରୁ ଗ୍ୟାରେଣ୍ଟି ଦରକାର ପଡୁଥିବା ବେଳେ ଏହି ୧.୧ ଲକ୍ଷ କୋଟି ଟଙ୍କାର ଋଣ ପାଇଁ ସରକାର ନିଜେ ଗ୍ୟାରେଣ୍ଟର ରହିବେ । ସେହିପରି ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସଜାଡିବା ପାଇଁ କେନ୍ଦ୍ର ସରକାର ଅତିରିକ୍ତ ୫୦ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ।
ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ ଏସଂପର୍କରେ ବିସ୍ତୃତ ସୂଚନା ଦେଇ କହିଛନ୍ତି,ସରକାର ୮ଟି ଆର୍ଥିକ ସହାୟତା ସମ୍ପର୍କରେ ନିଷ୍ପତ୍ତି ନେଇଛନ୍ତି । ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାକୁ ୨୦୨୧ ଜୁନ୍‌ ୩୦ରୁ ୨୦୨୨ ମାର୍ଚ୍ଚ ୩୧ ଯାଏ ବୃଦ୍ଧି କରାଯାଉଛି । ୫ ଲକ୍ଷ ପର୍ଯ୍ୟଟକଙ୍କ ପାଇଁ ମାଗଣା ଭିସା ଯୋଜନା ଲାଗୁ କରାଯିବ । ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବା ପରେ ଭାରତକୁ ପ୍ରଥମେ ଆସିବାକୁ ଥିବା ୫ ଲକ୍ଷ ଲୋକଙ୍କ ପାଇଁ କୌଣସି ପ୍ରକାରର ଟୁରିଷ୍ଟ ଭିସା ବାବଦ ଫି’ ଲାଗୁ ହେବନି । ୨୦୨୨ ମାର୍ଚ୍ଚ ୩୧ ଯାଏ ଏହି ଯୋଜନା କାର୍ଯ୍ୟକାରୀ ହେବ । ଏହା ମଧ୍ୟରେ ଯଦି ୫ ଲକ୍ଷ ପର୍ଯ୍ୟଟକ ଆସିଯିବେ, ତା’ହେଲେ ଏହି ସଂଖ୍ୟା ପରେ ମାଗଣା ଭିସା ବ୍ୟବସ୍ଥାକୁ ବନ୍ଦ କରିଦିଆଯିବ । ଜଣେ ପର୍ଯ୍ୟଟକଙ୍କୁ ଗୋଟିଏ ଥର ଏହି ସୁବିଧା ମିଳିବ । କିଛି କଟକଣା ମଧ୍ୟରେ ୧୧ ହଜାରରୁ ଅଧିକ ଟୁରିଷ୍ଟ ଗାଇଡ, ଟ୍ରାଭେଲ, ଟୁରିଜିମ ଷ୍ଟେକ ହୋଲ୍ଡରମାନଙ୍କୁ ଆର୍ଥିକ ସହାୟତା କରାଯିବ । ସେମାନଙ୍କୁ ୧୦୦% ଗ୍ୟାରେଣ୍ଟି ଯୋଗାଇ ଦିଆଯିବ । ୧୦,୭୦୦ ପଞ୍ଜିକୃତ ଟୁରିଷ୍ଟ ଗାଇଡଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ଋଣ ମିଳିବ ।
ବିଭିନ୍ନ କ୍ଷେତ୍ର ପାଇଁ ୬୦ ହଜାର କୋଟି ଟଙ୍କାର ଋଣ ବ୍ୟବସ୍ଥା କରିଛନ୍ତି । ଏହି ଅର୍ଥ ଉପରେ ବାର୍ଷିକ ୮.୨୫% ସୁଧ ଲାଗିବ । ମାଇକ୍ରୋ ଫାଇନ୍ସ ଇନଷ୍ଟିଚ୍ୟୁଟ ଅଧୀନରେ ୨୫ ଲକ୍ଷ ଲୋକଙ୍କୁ ଋଣ ଦିଆଯିବ । ଛୋଟ ବ୍ୟବସାୟୀଙ୍କୁ ସର୍ବାଧିକ ୧.୨୫ ଲକ୍ଷ ଯାଏ ଋଣ ଦିଆଯିବ । ଜରୁରୀ କାଳୀନ ଋଣ ପରିମାଣକୁ ୩ ଲକ୍ଷରୁ ବୃଦ୍ଧି କରି ୪.୫ ଲକ୍ଷ କରାଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ବୃଦ୍ଧି କରାଯାଇଛି । ଏ ବାବଦରେ ୨,୨୭,୮୪୧ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଏହି ଯୋଜନରେ ମହାମାରୀ ଦ୍ୱାରା ପ୍ରଭାବିତ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି । ଏନବିଏସ୍‌ ବା ଚାଷୀଙ୍କ ସବସିଡିକୁ ଚଳିତ ଆର୍ଥିକ ବର୍ଷରେ ୪୨,୨୭୫ କୋଟି କରାଯାଇଛି । ଏଥିପାଇଁ ଅତିରିକ୍ତ ୧୪,୭୫୫ କୋଟିର ବ୍ୟବସ୍ଥା ହୋଇଥିବା ନିର୍ମଳା ସୀତାରମଣ କହିଛନ୍ତି ।

hiranchal ad1
Leave A Reply

Your email address will not be published.

four × 4 =