ଲକ୍ଷେ ମୁହାଁ ଦେଶର ଆକ୍ରାନ୍ତ ସଂଖ୍ୟା

0 74

ନୂଆଦିଲ୍ଲୀ : ଭାରତ ଗତ କିଛିଦିନ ମଧ୍ୟରେ ସଂକ୍ରମଣ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ଦେଶକୁ ଅତିକ୍ରମ କରିଚାଲିଛି । ଏବେ ଦେଶର ସଂକ୍ରମଣ ସ୍ଥିତି ଅତି ଭୟଙ୍କର । ଏହା ଲକ୍ଷେ ଆଡକୁ ଗତି କରୁଛି । ସେହିପରି, ମୃତ୍ୟୁସଂଖ୍ୟା ମଧ୍ୟ ତିନି ହଜାର ଟପିଗଲାଣି । ତେବେ ଆରୋଗ୍ୟ ହାର ମଧ୍ୟ ବଢ଼ୁଛି । ସରକାରୀ ସୂଚନା ଅନୁଯାୟୀ ଦେଶରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୯୬ ହଜାର ୧୬୯ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୩,୦୨୯କୁ ବୃଦ୍ଧି ପାଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ, ଗୋଟିଏ ଦିନରେ ପାଞ୍ଚ ହଜାର ୨୪୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ କେବେବି ଗୋଟିଏ ଦିନରେ ଏତେ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହୋଇନଥିଲେ । ଗତ ୨୪ ଘଣ୍ଟା ମଧ୍ୟରେ ୧୫୭ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି । ଆକ୍ରାନ୍ତ ସଂଖ୍ୟାରେ ଭାରତ ଚୀନ୍ ଓ ପେରୁ ଭଳି ଦେଶକୁ ଅତିକ୍ରମ କରିସାରିଲାଣି । ବର୍ତ୍ତମାନ ସୁଦ୍ଧା ମୋଟ ୩୬ ହଜାର ୮୨୪ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଲେଣି । ଅର୍ଥାତ୍ ଏବେ ୫୬ ହଜାର ୩୧୬ଜଣ ରୋଗୀ ଚିକିତ୍ସାଧିନ ଅଛନ୍ତି । ୧୮ ତାରିଖରୁ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍ ଆରମ୍ଭ ହୋଇଛି । ଏହା ମଇ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍ ପାଇଁ ଜାରି ହୋଇଥିବା ନୂଆ ଗାଇଡଲାଇନରେ କେତେକ କ୍ଷେତ୍ରରେ କୋହଳ କରାଯାଇଛି । ବିଶେଷ କରି କ୍ଷୁଦ୍ର ବ୍ୟବସାୟୀମାନଙ୍କୁ କାରବାର ପାଇଁ ସୁଯୋଗ ଦିଆଯାଇଛି । ସେହିପରି, ରାଜ୍ୟ ଭିତରେ ବସ୍ ଚଳାଚଳ ଲାଗି ଅନୁମତି ଦିଆଯାଇଛି । ଏହି କୋହଳ ବ୍ୟବସ୍ଥା ଦ୍ୱାରା ବଜାର ଭିଡ଼ ଆହୁରି ବଢ଼ିବା ଆଶଙ୍କା କରାଯାଉଛି । ଗୋଟିଏ ପଟେ ସରକାର ସଂକ୍ରମଣ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରୁଥିବା ବେଳେ ଅନ୍ୟପଟେ କଟକଣା କୋହଳ କରୁଛନ୍ତି । ଏ ଦୃଷ୍ଟିରୁ ଆଗକୁ ବିଷମ ପରିସ୍ଥିତି ସୃଷ୍ଟି ହୋଇପାରେ । ମହାରାଷ୍ଟ୍ରରେ ପରିସ୍ଥିତି ଆହୁରି ଜଟିଳ ହୋଇପାରେ । ଏହି ରାଜ୍ୟ ଏବେବି ଆକ୍ରାନ୍ତ ତାଲିକାରେ ପ୍ରଥମ ସ୍ଥାନରେ ରହିଛି । ଗୋଟିଏ ଦିନରେ ପାଞ୍ଚ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ ହେବା ପରେ ସମସ୍ତଙ୍କର ଚିନ୍ତା ବଢ଼ିଯାଇଛି । ମୃତ୍ୟୁସଂଖ୍ୟା ମଧ୍ୟ ହୁହୁ ହୋଇ ବଢ଼ିଚାଲିଛି । ପ୍ରତିଦିନ ଶହଶହ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ରାଜ୍ୟରେ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ୫୩ରେ ପହଞ୍ଚିଛି । ଗୋଟିଏ ଦିନରେ ୬୩ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ମୃତ୍ୟୁ ସଂଖ୍ୟା ୧୧୯୮କୁ ବୃଦ୍ଧି ପାଇଛି । ତେବେ ୨୪ ଘଣ୍ଟା ମଧ୍ୟରେ ଶହଶହ ରୋଗୀ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରିଛନ୍ତି । ଏହାକୁ ମିଶାଇ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୭,୬୮୮ରେ ପହଞ୍ଚିଛି । ଆକ୍ରାନ୍ତ ତାଲିକାରେ ଗୁଜୁରାଟ ପୂର୍ବପରି ଦ୍ୱିତୀୟ ସ୍ଥାନରେ ରହିଛି । ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ହଜାର ୩୭୯ ରହିଛି । ୬୫୯ଜଣ ପ୍ରାଣ ହରାଇଥିବା ବେଳେ ୪,୪୯୯ଜଣ ସୁସ୍ଥ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

five × 2 =